ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଦେଉଥିଲା ଧାର୍ମିକ ଜ୍ଞାନ।ନିଜକୁ କହୁଥିଲା ପୂଜାରୀ। ହେଲେ ପୂଜାରୀର ପ୍ରକୃତ ରୂପ ଏବେ ସାମ୍ନାକୁ ଆସିଛି। ଜଣେ ମହିଳା ଏବଂ ତାଙ୍କ ମାଆଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ପୋଲିସ ଏହି ୨୭ ବର୍ଷୀୟ ଭଣ୍ଡ ପୂଜାରୀକୁ ଗିରଫ କରିଛି। ବଡ଼ କଥା ହେଲା ଏହି ଅଭିଯୁକ୍ତ ଜଣକ ଏଆଇ ଟୁଲ୍ସ ମାଧ୍ୟମରେ ମହିଳା ଏବଂ ତାଙ୍କ ମାଆଙ୍କ ଫଟୋକୁ ରୂପାନ୍ତରିତ କରିଥିଲା। ଗୁଜରାଟ ଅହମଦାବାଦର ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ଗୁଜରାଟର ପୀଡ଼ିତ ମହିଳା ସୋସିଆଲ ମିଡିଆ ମାଧ୍ୟମରେ ଅଭିଯୁକ୍ତ ସୁମିତ ନେମଚନ୍ଦ ଶର୍ମାଙ୍କ ସଂସ୍ପର୍ଶରେ ଆସିଥିଲେ। ସୁମିତ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନଲାଇନ ଧାର୍ମିକ ପ୍ରବଚନ ଦେଉଥିଲା। ଏମିତିରେ ଅଭିଯୁକ୍ତ ଜଣକ ଆରମ୍ଭରେ ଇନଷ୍ଟାଗ୍ରାମରେ ପୀଡ଼ିତାଙ୍କୁ ଯୋଗାଯୋଗ କରିଥିଲା। ପ୍ରଥମେ ସେ ପୀଡ଼ିତାଙ୍କ ସହ ଧାର୍ମିକ ବିଷୟରେ କଥାବାର୍ତ୍ତା ହେଉଥିଲା । କିନ୍ତୁ ପରେ ସେ ତାଙ୍କ ସହ ବନ୍ଧୁତା କରିବାକୁ କହିଥିଲା।ହେଲେ ଏଥିରେ ମହିଳା ଜଣକ ରାଜି ହୋଇଥିଲେ। ଯାହାପରେ ଗତ ବର୍ଷ ଡିସେମ୍ବର ଠାରୁ ୨୦୨୬ ଏପ୍ରିଲ ୬ ତାରିଖ ମଧ୍ୟରେ ଇଣ୍ଟରନେଟ ମାଧ୍ୟମରେ ଅଭିଯୁକ୍ତ ତାଙ୍କର ପିଛା (ଡିଜିଟାଲ ଟ୍ରାକିଂ) କରିଥିଲା।

Also Read: ଲକ୍ଷ୍ନୌରେ ତ୍ବିଶା ଭଳି ମାମଲା; ବିବାହର ୬ ମାସରେ ଝୁଲନ୍ତା ଅବସ୍ଥାରେ ମିଳିଲା ଶ୍ଵେତାଙ୍କ ମୃତଦେହ, ନିର୍ଯାତନା ଅଭିଯୋଗ ଆଣିଲେ ପରିବାର

ଏଆଇ ଦ୍ବାରା ପ୍ରସ୍ତୁତ କରିଥିଲା ଅଶ୍ଲୀଳ ଫଟୋ 

ଏହିକ୍ରମରେ ପ୍ରଥମେ ସେ ମହିଳା ଏବଂ ତାଙ୍କ ମାଆଙ୍କର ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଡାଉନଲୋଡ କରିଥିଲା। ଏହାପରେ ଏଆଇ ଟୁଲ ମାଧ୍ୟମରେ ଏହି ଫଟୋକୁ ୧୦୦ରୁ ଅଧିକ ଅଶ୍ଲୀଳ ଫଟୋ ଏବଂ ଭିଡିଓରେ ବଦଳାଇଦେଇଥିଲା। ଆହୁରି ମଧ୍ୟ ଅଭିଯୁକ୍ତ ଜଣକ ମହିଳାଙ୍କୁ ଟାର୍ଗେଟ କରିବା ପାଇଁ ତାଙ୍କ ନାଁ ଏବଂ ଫଟୋର ବ୍ୟବହାର କରି ତିନିଟି ଫେକ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ଏବଂ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲା। ଏହି ପ୍ଲାଟଫର୍ମରେ ମଧ୍ୟ ଏଆଇ ଦ୍ବାରା ପ୍ରସ୍ତୁତ ଭିଡିଓ ଅପଲୋଡ କରି ଏବଂ ସେଥିରେ କମେଣ୍ଟ କରି ମହିଳା ଏବଂ ତାଙ୍କ ପରିବାରର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଥିଲା।

ତେବେ ପୀଡ଼ିତା ଅହମଦାବାଦ ସାଇବର ଥାନାରେ ଅଭିଯୋଗ କରିଥିଲେ। ଇନ୍ସପେକ୍ଟର ଏମଏଚ ଭେଟରିୟାଙ୍କ ନେତୃତ୍ବରେ ପୋଲିସ ଟିମ୍ ଡିଜିଟାଲ ଟ୍ରାକିଂ ଏବଂ ତଥ୍ୟ ଆଧାରରେ ଅଭିଯୁକ୍ତକୁ ଉତ୍ତର ପୂର୍ବ ଦିଲ୍ଲୀର ଉସ୍ମାନପୁରରୁ ଗିରଫ କରିଥିଲା। ଅଭିଯୁକ୍ତ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଏବଂ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଆକ୍ଟ ସହ ଜଡ଼ିତ ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି। ଯାଞ୍ଚରେ ପୋଲିସ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟର୍ଫମରୁ ୮ଟି ଫେକ ଆଇଡି ଥିବା ଜାଣିବାକୁ ପାଇଛି।