ନୂଆଦିଲ୍ଲୀଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ତେଲ ସଞ୍ଚୟ କରିବାକୁ ନିବେଦନ କରିଛନ୍ତି । ଭଦୋଦରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ଗମ୍ଭୀର ସଙ୍କଟ ମଧ୍ୟରୁ ଗୋଟିଏ । ସେ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ଯେପରି ଭାରତ କରୋନା ମହାମାରୀରୁ ସଫଳତାର ସହ ବାହାରିଛି ଏବଂ ଆଗକୁ ବଢ଼ିଛିସେହିପରି ମଧ୍ୟ ଏହି ସଙ୍କଟରୁ ବାହାରି ଆସିବ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତକୁ ବିଶ୍ୱ ଯୋଗାଣ ଶୃଙ୍ଖଳର ଏକ ପ୍ରମୁଖ ଅଂଶ କରିବା ପାଇଁ ନିରନ୍ତର କାର୍ଯ୍ୟ କରାଯାଉଛି । ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ଦେଶ ଯୁଦ୍ଧ କିମ୍ବା ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛିନାଗରିକମାନେ ସରକାରଙ୍କ ଆହ୍ୱାନରେ ସାମନାକୁ ଆସିଛନ୍ତି । ବର୍ତ୍ତମାନ ସମାନ ଏକତା ଆବଶ୍ୟକ । ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବା ଏବଂ ବିଦେଶୀ ମୁଦ୍ରା ବ୍ୟବହାର କରୁଥିବା ବ୍ୟକ୍ତିଗତ ଖର୍ଚ୍ଚକୁ ଏଡାଇବା ପାଇଁ ପ୍ରୟାସ କରିବାକୁ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ପୁଣି ଥରେ ଇନ୍ଧନ ବ୍ୟବହାର ହ୍ରାସ କରିବାକୁ ଏବଂ ସାର୍ବଜାନୀନ ପରିବହନର ବ୍ୟବହାର ବୃଦ୍ଧି କରିବାକୁ କିମ୍ବା ଇଭି ଗାଡ଼ି ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି। ଦେଶର ଆର୍ଥିକ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ସେ ଲୋକମାନଙ୍କୁ ସୁନା କିଣିବା ଭଳି ଅଣ-ଆବଶ୍ୟକୀୟ ଖର୍ଚ୍ଚକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ପୂର୍ବ ଦଶନ୍ଧିଗୁଡ଼ିକରେ,ଯେତେବେଳେ ଦେଶ ଯୁଦ୍ଧ କିମ୍ବା ଅନ୍ୟ କୌଣସି ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି,ପ୍ରତ୍ୟେକ ନାଗରିକ ସରକାରଙ୍କ ଆହ୍ୱାନକୁ ସମର୍ଥନ କରି ସମାନ ଭାବରେ ନିଜ ଦାୟିତ୍ୱ ପୂରଣ କରିଛନ୍ତି । ଆଜି ମଧ୍ୟ,ଆମକୁ ଆମର ଦାୟିତ୍ୱ ପୂରଣ କରିବା ପାଇଁ ଏକାଠି କାମ କରିବାକୁ ପଡିବ । ଦେଶର ସମ୍ବଳ ଉପରେ ବୋଝ ହ୍ରାସ କରିବା ପାଇଁ ଆମକୁ ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର ହ୍ରାସ କରିବା ପାଇଁ ଛୋଟ ହେଉ କି ବଡ଼,ସମସ୍ତ ପ୍ରୟାସ କରିବାକୁ ପଡିବ । ବିଦେଶୀ ମୁଦ୍ରା ଖର୍ଚ୍ଚ କରୁଥିବା ବ୍ୟକ୍ତିଗତ କାର୍ଯ୍ୟକଳାପକୁ ମଧ୍ୟ ଏଡାଇବାକୁ ପଡିବ ।"

Also Read:ମୋଦୀଙ୍କ ଅପିଲ୍ ପରେ କମିବ କି ଆମଦାନୀ ବିଲ୍ ? ଏହି ୪ ସାମଗ୍ରୀ ଲାଗି ଖର୍ଚ୍ଚ ହୋଇଛି ୨୪୦ ବିଲିୟନ୍ ଡଲାର