ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପାର୍ଟିର ନବ ନିଯୁକ୍ତ ଜାତୀୟ ପଦାଧିକାରୀଙ୍କୁ ଭେଟିଛନ୍ତି। ପାର୍ଟିର ନୂଆ ଜାତୀୟ ସଭାପତି ନୀତିନ ନବୀନଙ୍କ ଟିମ୍ ଘୋଷଣା ପରେ ଅନୁଷ୍ଠିତ ଏହି ପ୍ରଥମ ଔପଚାରିକ ପଦାଧିକାରୀ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଉତ୍ସାହର ସହ ସ୍ୱାଗତ କରାଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ନୂଆ ଟିମ୍ ସହ ସାକ୍ଷାତ କରିବା ସାଙ୍ଗକୁ ସଙ୍ଗଠନାତ୍ମକ କାର୍ଯ୍ୟକୁ ନେଇ ଚର୍ଚ୍ଚା କରିଛନ୍ତି।

ବିଜେପି ସଭାପତି ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଉଚ୍ଚସ୍ତରୀୟ ବୈଠକର ପ୍ରାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହିତ ହୋଇଛି। ବୈଠକରେ ଭାରତର ଗୌରବ ଓ ଜାତୀୟ ଚେତନାର ପ୍ରତୀକ ‘ବନ୍ଦେ ମାତରମ’ ସମ୍ମାନରେ ସର୍ବ ସମ୍ମତିରେ ଏକ ବିଶେଷ ପ୍ରସ୍ତାବ ଗୃହୀତ କରାଯାଇଛି। ପାର୍ଟି ପକ୍ଷରୁ କୁହାଯାଇଛି ଯେ ଗତ କିଛି ସମୟ ହେଲା ଜାତୀୟ ଗୀତ ବନ୍ଦେ ମାତରମକୁ ନେଇ କେତେକ ଐତିହାସିକ ନିଷ୍ପତ୍ତି ନିଆଯାଇଛି ଓ ଏହି ବର୍ଷ ବନ୍ଦେ ମାତରମର ୧୫୦ତମ ଜୟନ୍ତୀକୁ ଉତ୍ସାହର ସହିତ ପାଳନ କରାଯାଉଛି।

ବୈଠକରେ ନେତାମାନେ ଏ କଥା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ ଆଜି ପୁରା ଦେଶରେ ବନ୍ଦେ ମାତରମ ପ୍ରତି ଏକ ବିଶେଷ ସମ୍ମାନ, ଆସ୍ଥା ଓ ଭାବନାତ୍ମକ ସମ୍ପର୍କ ଦେଖିବାକୁ ମିଳୁଛି। ଏହି ମହାମନ୍ତ୍ର ମୂଳରେ କେବଳ ଓ କେବଳ ଦେଶଭକ୍ତି ରହିଛି। ମୁଖ୍ୟାଳୟରେ ପୂର୍ବାହ୍ନରେ ଆରମ୍ଭ ହୋଇଥିବା ବୈଠକ ଦିନ ତମାମ ଜାରି ଥିଲା। ଏଥିରେ ସଙ୍ଗଠନର ବିସ୍ତାର ଓ ଆଗାମୀ ରଣନୀତି ଉପରେ ଗହନ ମନ୍ଥନ କରାଯାଇଛି। ପାର୍ଟି କାର୍ଯ୍ୟକର୍ତ୍ତା ଓ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନୂଆ ଉତ୍ସାହର ସହ ରାଷ୍ଟ୍ରୀୟ ସେବା ଓ ରାଷ୍ଟ୍ର ନିର୍ମାଣ କାର୍ଯ୍ୟକୁ ଆଗକୁ ବଢାଇବା ପାଇଁ ସଂକଳ୍ପ କରିଛନ୍ତି।