ନୂଆଦିଲ୍ଲୀ: ଦୁଇ ଦିନିଆ ଗସ୍ତରେ ଗୁରୁବାର ଭାରତ ଆସିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ନୂଆଦିଲ୍ଲୀରେ ପହଞ୍ଚିବା ପରେ ପୁଟିନଙ୍କ ସ୍ବାଗତ କରିବା ଲାଗି ଏୟାରପୋର୍ଟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହା ପରେ ମୋଦୀ ରୁଷ ରାଷ୍ଟ୍ରପତିଙ୍କ ଅଭେଦ୍ୟ କିଲା କୁହାଯାଉଥିବା ତାଙ୍କ ବ୍ୟକ୍ତିଗତ କାରରେ ସାଥିରେ ବସିଥିଲେ । ପୁଟିନଙ୍କ କାର ଆଉରସ୍ ସିନେଟ୍ରେ ପିଏମ ମୋଦୀ ଯାତ୍ରା କରିଥିଲେ । ପୁଟିନଙ୍କ ଏହି କାର ସୁରକ୍ଷା ଦୃଷ୍ଟିରୁ ବହୁ ବିକଶିତ । ଏହା ପୂର୍ବରୁ ଚୀନ୍ର ତିଆନଜିନ୍ ଅଭିମୁଖେ ମଧ୍ୟ ଦୁଇ ନେତା ଏହି କାରରେ ଯାତ୍ରା କରିଥିଲେ ।

ରୁଷ ରାଷ୍ଟ୍ରପତି ‘Aurus Senat’ ଲିମୋଜିନରେ ଯାତ୍ରା କରନ୍ତି । ‘Au’ ଅର୍ଥ Aurum । ଲାଟିନ ଭାଷାରେ ଏହାର ଅର୍ଥ Gold ବା ସୁନା ଏବଂ ‘Rus’ ଅର୍ଥ ରୁଷିଆ । ଏହି କାରଟି ୨୦୧୮ରେ ପୁଟିନଙ୍କ ଚତୁର୍ଥ ଥର ଶପଥ ଗ୍ରହଣ ସମୟରେ ସେବାକୁ ଆସିଥିଲା । ପୂର୍ବରୁ, ରୁଷୀୟ ନେତା ପୁରୁଣା ମର୍ସିଡିଜ୍ ବେଞ୍ଜ ଏସ ୬୦୦ ଗାର୍ଡ ପୁଲାମରେ ଯାତ୍ରା କରୁଥିଲେ। ଆଉରସ୍ ସିନେଟ୍ ଲିମୋଜିନ ରୁଷର ଆଉରସ୍ ମୋଟର୍ସ ଦ୍ୱାରା ନିର୍ମିତ । ଏହା ସାଧାରଣ ବ୍ୟବହାର ପାଇଁ ଉପଲବ୍ଧ। ଏହି କାରଟି ରୋଲ୍ସ ରୟସ୍ ଏବଂ ବେଣ୍ଟଲେର ମିଶ୍ରଣ ହୋଇଥିବାରୁ ଏହାକୁ ‘Rusian Rolls-Royce’ ମଧ୍ୟ କୁହାଯାଏ ।

ସେପଟେ ଟ୍ରମ୍ପଙ୍କ କାର ‘ଦି ବିଷ୍ଟ’ରେ କୌଣସି ନେତା ବସିବା ବିରଳ । ଅତୀତରେ କେବଳ ତାଙ୍କ ସହଯୋଗୀମାନେ ଏହି ସୁଯୋଗ ପାଇଛନ୍ତି । ଟ୍ରମ୍ପଙ୍କ ଏହି କାରରେ କିଏ ବସିଛନ୍ତି ଏବଂ କଣ କଥା ହେଉଛନ୍ତି ଜାଣିବା ଅସମ୍ଭବ ବୋଲି କୁହାଯାଏ । ଅଟୋୱିକ୍ର ଏକ ରିପୋର୍ଟ ଅନୁଯାୟୀ, ଦି ବିଷ୍ଟ ପାରମ୍ପରିକ ଭାବରେ ଆମେରିକା ଗୁପ୍ତ ସେବା ଦ୍ୱାରା ମୂଳରୁ ଡିଜାଇନ୍ କରାଯାଇଥିଲା । ଏହାର ଏକାଧିକ କପି ମଧ୍ୟ ରହିଛି, ଯାହାକୁ ପରିବର୍ତ୍ତିତ କରି ବ୍ୟବହାର କରାଯାଏ । ଏହାକୁ ଗୁପ୍ତ ସେବା ମୁଖ୍ୟାଳୟର ବେସମେଣ୍ଟରେ ରଖାଯାଏ ଏବଂ ୨୪ ଘଣ୍ଟା ଏହା ଉପରେ ନଜର ରଖନ୍ତି ସୁରକ୍ଷାକର୍ମୀ । କାରଟି ବୁଲେଟପ୍ରୁଫ୍ ଏବଂ ବୋମା ପ୍ରତିରୋଧୀ । ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ଏହା ରାଷ୍ଟ୍ରପତିଙ୍କୁ ରକ୍ଷା କରିବାକୁ ଏହାକୁ ଡିଜାଇନ୍ କୁରାଯାଇଛି ।

ପୁଟିନଙ୍କ ଆଉରସ୍ ସିନେଟ୍ ଏବଂ ଟ୍ରମ୍ପଙ୍କ ବିଷ୍ଟ ମଧ୍ୟରେ ସେତେଟା ଅଧିକ ଫରକ ନାହିଁ । ଉଭୟ କାର ବିଳାସ, ଗତି ଏବଂ ସୁରକ୍ଷା ପାଇଁ ଡିଜାଇନ୍ ହୋଇଛି । ଏହି କାରଣ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ମଧ୍ୟ ନିର୍ମାଣ ହୁଏ । ହେଲେ ଦୁଇ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କ ଲାଗି ଏହି କାର ସ୍ବତନ୍ତ୍ର ଭାବରେ ତିଆରି କରାଯାଇଛି । ଟ୍ରମ୍ପଙ୍କ ବିଷ୍ଟ ବିଶେଷ କରି ଦ୍ରୁତ ଗତି ଏବଂ ସୁରକ୍ଷା ଲାଗି ଜଣାଯାଏ । ଟ୍ରମ୍ପଙ୍କ ବ୍ୟତୀତ ଏହି କାରରେ ଆଉ କେହି ବସିପାରିବେ ନାହିଁ ।