ନୂଆଦିଲ୍ଲୀ ୨୦।୦୯; ୭୬ ବର୍ଷ ବୟସ... ଏଇ ବୟସରେ ଆଜି ବି ପୂରାପୁରି ଫିଟ୍ । ସାରା ଦିନ ବ୍ୟସ୍ତତା, ଲଗାତାର ମିଟିଂ ଠାରୁ ଆରମ୍ଭ କରି ଦେଶ ବିଦେଶ ଯାତ୍ରା... ହେଲେ ଏତେ ସବୁରେ ବି ଥକିବାର ନାଁ ନାହିଁ। କୁହାଯାଏ, ରାତିରେ ମାତ୍ର ୪ ଘଣ୍ଟା ଶୋଇ ବି ଦିନତମାମ ଫୁର୍ତ୍ତି ରୁହନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ କ’ଣ ରହିଛି ତାଙ୍କ ଫିଟନେସ୍ର ରାଜ୍? କେଉଁ ଅଭ୍ୟାସ ଓ ଜୀବନଶୈଳୀ ତାଙ୍କୁ ଏତେ ଆକ୍ଟିଭ ରଖୁଛି? ଆସନ୍ତୁ ଜାଣିବା…

ଦେଶର ଦାୟିତ୍ୱ ସମ୍ଭାଳିବା ସହ ନିଜ ଫିଟନେସ୍ ପ୍ରତି ମଧ୍ୟ ବେଶ୍ ସଚେତନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ଦୈନନ୍ଦିନ ଜୀବନରେ ଯୋଗ, ନିୟମିତତା ଏବଂ ନିୟନ୍ତ୍ରିତ ଆହାରକୁ ଦିଆଯାଏ ବିଶେଷ ଗୁରୁତ୍ୱ। ହେଲେ ସକାଳର ଆରମ୍ଭ ହୁଏ ଯୋଗରୁ।ପ୍ରାୟ ୪୦ ମିନିଟ୍ ଯୋଗାଭ୍ୟାସ ସହ ସୂର୍ଯ୍ୟ ନମସ୍କାର ଓ ପ୍ରାଣାୟାମ କରିଥାନ୍ତି ବୋଲି ବିଭିନ୍ନ ସୂଚନାରେ ଉଲ୍ଲେଖ ରହିଛି। ବଜ୍ରାସନ, ସେତୁବନ୍ଧାସନ, ଭୁଜଙ୍ଗାସନ ଏବଂ ଉତ୍ତାନପାଦାସନ ଭଳି ଆସନ ମଧ୍ୟ ତାଙ୍କ ଯୋଗାଭ୍ୟାସର ଅଂଶ । କେବଳ ଯୋଗ ନୁହେଁ... ସକାଳେ ସବୁଜ ଘାସ ଉପରେ ଚାଲିବା ମଧ୍ୟ ତାଙ୍କ ଦୈନନ୍ଦିନ ରୁଟିନ୍।

ସବୁଠାରୁ ବଡ କଥା ଫିଟନେସ୍ର ଆଉ ଏକ ବଡ଼ ମନ୍ତ୍ର ଖାଦ୍ୟରେ ନିୟମ। ମୋଦୀ ଶାକାହାରୀ ଖାଦ୍ୟ ଗ୍ରହଣ କରନ୍ତି।ସକାଳ ପ୍ରାୟ ୯ଟାରେ ହାଲୁକା ଜଳଖିଆ ଖାଇଥାନ୍ତି। ସଜନା ଛୁଇଁ କିମ୍ବା ସଜନା ପତ୍ରର ପରଟା ଭଳି ପାରମ୍ପରିକ ଓ ପୋଷକତତ୍ତ୍ୱରେ ଭରପୂର ଖାଦ୍ୟ ତାଙ୍କ ପସନ୍ଦ ବୋଲି ଜଣାପଡ଼ିଛି। ତାଙ୍କ ଖାଦ୍ୟ ତାଲିକାରେ ଋତୁକାଳୀନ ଫଳ ଓ ମିଲେଟ୍ସକୁ ମଧ୍ୟ ଗୁରୁତ୍ୱ ଦିଆଯାଏ। ବାଜରା, ମକା, ରାଗି ଭଳି ଶସ୍ୟକୁ ଖାଦ୍ୟରେ ସାମିଲ କରିବାକୁ ସେ ମଧ୍ୟ ପରାମର୍ଶ ଦେଇଥାନ୍ତି। ଜଙ୍କ୍ ଫୁଡ୍, ଅତ୍ୟଧିକ ତେଲିଆ ଖାଦ୍ୟ ଓ ମଇଦା ଜାତୀୟ ଖାଦ୍ୟଠାରୁ ଦୂରେଇ ରହିବା ତାଙ୍କ ଖାଦ୍ୟ ଅଭ୍ୟାସର ଅନ୍ୟତମ ଦିଗ।

କୁହାଯାଏ, ସନ୍ଧ୍ୟା ୬ଟା କିମ୍ବା ସୂର୍ଯ୍ୟାସ୍ତ ପରେ ସେ ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ପର୍ବପର୍ବାଣିରେ ବ୍ରତ ରଖିବା ମଧ୍ୟ ତାଙ୍କ ଜୀବନଶୈଳୀର ଗୁରୁତ୍ବପୂର୍ଣ୍ଣ ଅଂଶ। ଖାଦ୍ୟ ଖାଇବାର ଶୈଳୀ ନେଇ ମଧ୍ୟ ମୋଦୀଙ୍କ ଏକ ପରାମର୍ଶ ଚର୍ଚ୍ଚିତ।ପ୍ରତ୍ୟେକ ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଇବା ଉପରେ ସେ ଗୁରୁତ୍ୱ ଦେଇଥାନ୍ତି। ୭୬ ବର୍ଷ ବୟସରେ ବି ତାଙ୍କର ଆକ୍ଟିଭ ଓ ବ୍ୟସ୍ତ ଜୀବନଶୈଳୀ ଏବେ ବି ଚର୍ଚ୍ଚାର ବିଷୟ। ତେବେ ଫିଟ୍ ରହିବାର ମୂଳମନ୍ତ୍ର ହୁଏତ ଗୋଟିଏ ନିୟମିତ ଜୀବନଶୈଳୀ, ସନ୍ତୁଳିତ ଖାଦ୍ୟ ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନତା।