ନୂଆଦିଲ୍ଲୀ ୨୦।୦୯; ୭୬ ବର୍ଷ ବୟସ... ଏଇ ବୟସରେ ଆଜି ବି ପୂରାପୁରି ଫିଟ୍ । ସାରା ଦିନ ବ୍ୟସ୍ତତା, ଲଗାତାର ମିଟିଂ ଠାରୁ ଆରମ୍ଭ କରି ଦେଶ ବିଦେଶ ଯାତ୍ରା... ହେଲେ ଏତେ ସବୁରେ ବି ଥକିବାର ନାଁ ନାହିଁ। କୁହାଯାଏ, ରାତିରେ ମାତ୍ର ୪ ଘଣ୍ଟା ଶୋଇ ବି ଦିନତମାମ ଫୁର୍ତ୍ତି ରୁହନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ କ’ଣ ରହିଛି ତାଙ୍କ ଫିଟନେସ୍ର ରାଜ୍? କେଉଁ ଅଭ୍ୟାସ ଓ ଜୀବନଶୈଳୀ ତାଙ୍କୁ ଏତେ ଆକ୍ଟିଭ ରଖୁଛି? ଆସନ୍ତୁ ଜାଣିବା…

ଦେଶର ଦାୟିତ୍ୱ ସମ୍ଭାଳିବା ସହ ନିଜ ଫିଟନେସ୍ ପ୍ରତି ମଧ୍ୟ ବେଶ୍ ସଚେତନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ଦୈନନ୍ଦିନ ଜୀବନରେ ଯୋଗ, ନିୟମିତତା ଏବଂ ନିୟନ୍ତ୍ରିତ ଆହାରକୁ ଦିଆଯାଏ ବିଶେଷ ଗୁରୁତ୍ୱ। ହେଲେ ସକାଳର ଆରମ୍ଭ ହୁଏ ଯୋଗରୁ।ପ୍ରାୟ ୪୦ ମିନିଟ୍ ଯୋଗାଭ୍ୟାସ ସହ ସୂର୍ଯ୍ୟ ନମସ୍କାର ଓ ପ୍ରାଣାୟାମ କରିଥାନ୍ତି ବୋଲି ବିଭିନ୍ନ ସୂଚନାରେ ଉଲ୍ଲେଖ ରହିଛି। ବଜ୍ରାସନ, ସେତୁବନ୍ଧାସନ, ଭୁଜଙ୍ଗାସନ ଏବଂ ଉତ୍ତାନପାଦାସନ ଭଳି ଆସନ ମଧ୍ୟ ତାଙ୍କ ଯୋଗାଭ୍ୟାସର ଅଂଶ । କେବଳ ଯୋଗ ନୁହେଁ... ସକାଳେ ସବୁଜ ଘାସ ଉପରେ ଚାଲିବା ମଧ୍ୟ ତାଙ୍କ ଦୈନନ୍ଦିନ ରୁଟିନ୍।