ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ୪ ବର୍ଷରୁ ଅଧିକ ଦିନ ଧରି ଚାଲିଥିବା ଯୁଦ୍ଧର ସମାଧାନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସହାୟତାର ହାତ ବଢ଼ାଇଛନ୍ତି। ଦିଲ୍ଲୀରେ ଚାଲିଥିବା BRICS ଶିଖର ସମ୍ମିଳନୀ ଅବସରରେ ଦୁଇ ନେତା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ସମୟରେ ଏହି ଶାନ୍ତି ପ୍ରସ୍ତାବ ଦେଇଥିବା ନେଇ ରୁଷର ରାଷ୍ଟ୍ରପତି ଭବନ କ୍ରେମଲିନ୍ ସୂଚନା ଦେଇଛି । 

ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ଓ ଯୁଦ୍ଧବିରତି ପାଇଁ ଭାରତ ଓ ଚୀନ୍ ମଧ୍ୟସ୍ଥତା କିମ୍ବା ସହାୟତା କରିବାକୁ ପ୍ରସ୍ତାବ ଦେଇଛନ୍ତି। କ୍ରେମଲିନ୍ ପ୍ରବକ୍ତା ଦିମିତ୍ରୀ ପେସକୋଭ (Dmitry Peskov) କହିଛନ୍ତି ଯେ, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଏହି ଶାନ୍ତି ବାର୍ତ୍ତା ଓ ଆଲୋଚନା ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ BRICS 2026 ସମ୍ମିଳନୀ ସମୟରେ ବିଶ୍ୱର ଏହି ପ୍ରମୁଖ ନେତାମାନେ ଏକାଠି ହୋଇଥିଲେ। ଏହି ଅବସରରେ ମାନବସେବା ଏବଂ ବିଶ୍ୱ ସ୍ଥିରତା ପାଇଁ ଯୁଦ୍ଧର କୂଟନୈତିକ ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ପ୍ରଚେଷ୍ଟା ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସଫଳତା ପାଇନଥିବା ବେଳେ, ଭାରତ ଓ ଚୀନର ଏହି ଶାନ୍ତି ପ୍ରସ୍ତାବକୁ ବିଶ୍ୱ କୂଟନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ମଧ୍ୟ କହିସାରିଛନ୍ତି ଯେ, ‘ଏହା ଯୁଦ୍ଧର ଯୁଗ ନୁହେଁ ଏବଂ ଭାରତ ସଦାସର୍ବଦା ଶାନ୍ତି ପକ୍ଷରେ ରହିଆସିଛି।’ ରୁଷ-ୟୁକ୍ରେନ୍ ସଙ୍କଟର ସମାଧାନ ପାଇଁ ଭାରତ ଓ ଚୀନ୍ ଦ୍ୱାରା ଦିଆଯାଇଥିବା ଏହି ପ୍ରସ୍ତାବ ସମଗ୍ର ବିଶ୍ୱ ଅର୍ଥନୀତି ଓ ଗ୍ଲୋବାଲ୍ ସାଉଥର ସ୍ଥିରତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।