ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପୂର୍ବାହ୍ନରେ ଏନଡିଏରେ ସାମିଲ ନୂଆ ସାଂସଦଙ୍କୁ ବ୍ରେକଫାଷ୍ଟ ମିଟିଂରେ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ତୃଣ ମୂଳ କଂଗ୍ରେସର ବିଦ୍ରୋହୀ ଓ ଶିବସେନା (ଉଦ୍ଧବ)ର ୬ ଜଣ ସାଂସଦ ଯେଉଁମାନେ ନିକଟରେ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି ସେମାନଙ୍କୁ ଆଶ୍ୱସ୍ତ କରିଛନ୍ତି ଓ କହିଛନ୍ତି ଚିନ୍ତା କରିବାର କୌଣସି କାରଣ ନାହିଁ ଆମେ ଆପଣମାନଙ୍କ ସାଙ୍ଗରେ ଅଛୁ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏନଡିଏ ଏକ ପରିବାର। ଆମେ ସବୁ ସହଯୋଗୀ ଦଳଙ୍କ ସହିତ ଅଛୁ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନ କରାଯିବ ଓ ତାଙ୍କୁ ସୁଯୋଗ ଦିଆଯିବ। ମୁଁ ଏନଡିଏର କୌଣସି ଏକ ସହଯୋଗୀ ଦଳ ସହ ନୁହେଁ ବରଂ ପ୍ରତ୍ୟେକ ସାଂସଦଙ୍କ ସହ ରହିଛି। ମୁଁ ଏନଡିଏର ପ୍ରତ୍ୟେକ ସାଂସଦଙ୍କ ସହ ଛିଡା ହୋଇଛି। ଏଣୁ କୌଣସି କଥା କୁ ନେଇ ଆପଣମାନଙ୍କୁ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଅଭୟବାଣୀ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ସେମାନଙ୍କ ନିଜନିଜ ନିର୍ବାଚନମଣ୍ଡଳିର ବିକାଶ କାର୍ଯ୍ୟକ୍ରମ ଆଗକୁ ବଢାଇବା ପାଇଁ ନିଜ ଶକ୍ତିକୁ ପ୍ରଭାବୀ ଢଙ୍ଗରେ ଉପଯୋଗ କରନ୍ତୁ ବୋଲି କହିଛନ୍ତି।

ନୂଆ ସାଂସଦମାନଙ୍କୁ ନିଜନିଜ ନିର୍ବାଚନମଣ୍ଡଳିର ଯେ କୌଣସି ବିକାଶ କାର୍ଯ୍ୟ ଲାଗି ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସମ୍ପର୍କ କରିବାକୁ କହିଛନ୍ତି। ସେ ସାଂସଦମାନଙ୍କୁ ଗରିବ, ଶ୍ରମିକ, ଖଟିଖିଆ ସମସ୍ତଙ୍କୁ ଭେଟିବାକୁ ଓ ସେମାନଙ୍କ ସମସ୍ୟା ବୁଝିବାକୁ ସାଂସଦମାନଙ୍କୁ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜଣ ଜଣ କରି ସାଂସଦଙ୍କୁ ଭେଟି କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବୈଠକ ତାଙ୍କ ଅଧିକାରୀକ ବାସଭବନରେ ୩୭ ଜଣ ବିଜେପି ସାଂସଦଙ୍କ ସହିତ ଅନୁଷ୍ଠିତ ଡିନରର ଦିନକ ପରେ ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ଏହି ସାକ୍ଷାତ ଆଲୋଚନା ମୌସୁମୀ ଅଧିବେଶନ କାଳରେ ସାଂସଦଙ୍କ ସହିତ ସାକ୍ଷାତ ଆଲୋଚନା ଅଭିଯାନର ଅଂଶ ବିଶେଷ ଥିଲା। ଏହି ଅନୌପଚାରିକ ସଭା ଶାସନ ଓ ସଂସଦୀୟ ବ୍ୟାପାରରେ ବିଚାରର ଆଦାନ ପ୍ରଦାନ ଓ ପାର୍ଟି ମଧ୍ୟରେ ସମନ୍ୱୟକୁ ମଜଭୁଚ କରିବା ପାଇଁ ଆୟୋଜନ କରାଯାଇଥିଲା। କଥିତ ରୂପେ ପ୍ରଧାନମନ୍ତ୍ରୀ ସାଂସଦଙ୍କ ସହ ତାଙ୍କ ବ୍ୟକ୍ତିଗତ ଅନୁଭବ ମଧ୍ୟ ସେୟାର କରିଛନ୍ତି ଓ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚା କରିଛନ୍ତି। ଏହି ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ନ୍ୟାରେଟିଭ ଜାଲରେ ନ ଫଶିବାକୁ ଓ ବିରୋଧୀ ଦଳ ସାଂସଦଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ମଜଭୁତ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।