ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ତାଙ୍କ ପତ୍ନୀ ରିତିକା ସଜଦେହ ସେମାନଙ୍କର ସୁନ୍ଦର ସମ୍ପର୍କ ପାଇଁ ସଦାସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରୋହିତଙ୍କୁ ଦେଶର ନାଗରିକ ସମ୍ମାନ 'ପଦ୍ମଶ୍ରୀ' ପୁରସ୍କାରରେ ସମ୍ମାନିତ କରାଯାଇଛି। ମହାମହିବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ଏହି ଗୌରବମୟ ମୁହୂର୍ତ୍ତ ମଧ୍ୟରେ ସୋସିଆଲ ମିଡିଆରେ ରୋହିତ ଏବଂ ରିତିକାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି, ଯାହାକୁ ଦେଖି ପ୍ରଶଂସକମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ପୁରସ୍କାର ସମାରୋହ ଶେଷ ହେବା ପରେ ରୋହିତ ଶର୍ମା ଏକ କାର୍ ଭିତରକୁ ପ୍ରବେଶ କରୁଛନ୍ତି ଏବଂ ଗୋଟିଏ ସିଟ୍‌ରେ ବସି ଯାଉଛନ୍ତି। ମାତ୍ର ସେହି ସିଟ୍‌ରେ ରିତିକା ବସିବାକୁ ଚାହୁଁଥିଲେ। ଏହାପରେ ଦୁହେଁ କିଛି କଥା ହେଉଥିବା ଦେଖିବାକୁ ମିଳିଥିଲା।

ରିତିକା ଜିଦ୍ ଧରିଥିଲେ ଯେ, ରୋହିତ ସେହି ସିଟଟିକୁ ତାଙ୍କ ପାଇଁ ଛାଡ଼ି ଦିଅନ୍ତୁ। ଶେଷରେ ଜଣେ ଭଲ ସ୍ୱାମୀ ଭଳି ରୋହିତ ପତ୍ନୀଙ୍କ କଥା ମାନି ନେଇଥିଲେ। ସେ ସେହି ସିଟରୁ ଉଠି ଅନ୍ୟ ସିଟକୁ ଚାଲିଯାଇଥିଲେ ଏବଂ ରିତିକା ହସି ହସି ସେହି ସିଟ୍‌ରେ ବସିପଡ଼ିଥିଲେ। ଇଣ୍ଟରନେଟରେ ପ୍ରଶଂସକମାନେ ସ୍ୱାମୀ-ସ୍ତ୍ରୀଙ୍କ ଏହି ପ୍ରେମଭରା ମାନ-ଅଭିମାନକୁ ଖୁବ୍ ପସନ୍ଦ କରୁଛନ୍ତି।

ଏହି ମଜାଦାର ଭିଡିଓ ପୂର୍ବରୁ ରାଷ୍ଟ୍ରପତି ଭବନରୁ ଅନ୍ୟ ଏକ ଭାବପୂର୍ଣ୍ଣ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା। ଯେତେବେଳେ ପଦ୍ମଶ୍ରୀ ପୁରସ୍କାର ପାଇଁ ରୋହିତ ଶର୍ମାଙ୍କ ନାମ ଘୋଷଣା କରାଗଲା, ସେତେବେଳେ ସେ ସମ୍ମାନ ଗ୍ରହଣ କରିବାକୁ ଆଗକୁ ବଢ଼ିଥିଲେ। ସେହି ସମୟରେ ସାମ୍ନାରେ ବସିଥିବା ପତ୍ନୀ ରିତିକାଙ୍କ ଆଖି ଖୁସିରେ ଛଳଛଳ ହୋଇଯାଇଥିଲା।

ସେ ଅତ୍ୟନ୍ତ ଭାବୁକ ଏବଂ ଗର୍ବିତ ଅନୁଭବ କରୁଥିବା ତାଙ୍କ ମୁହଁରୁ ସ୍ପଷ୍ଟ ଜଣାପଡ଼ୁଥିଲା। ରୋହିତ ପୁରସ୍କାର ଗ୍ରହଣ କରିବା ମାତ୍ରେ ରିତିକା ନିଜ ସିଟରୁ ଛିଡ଼ା ହୋଇ ଜୋରଦାର ତାଳି ବଜାଇ ତାଙ୍କୁ ଉତ୍ସାହିତ କରିଥିଲେ। ସୋସିଆଲ ମିଡିଆରେ ଲୋକେ ରୋହିତଙ୍କର ଏହି ବଡ଼ ସଫଳତାକୁ ଶୁଭେଚ୍ଛା ଜଣାଇବା ସହ, ରିତିକାଙ୍କ ସହ ତାଙ୍କର ଏହି ସୁନ୍ଦର କେମେଷ୍ଟ୍ରି ଏବଂ ପବିତ୍ର ବନ୍ଧନକୁ ଭୂରି ଭୂରି ପ୍ରଶଂସା କରୁଛନ୍ତି।