ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସଂସ୍କୃତି ବିଭାଗର ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମୀକ୍ଷା ବୈଠକରେ କଟକର ଐତିହାସିକ ବାଲିଯାତ୍ରାର ଆୟୋଜନକୁ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଆସନ୍ତା ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ କଟକରେ ବାଲିଯାତ୍ରା ଆୟୋଜିତ ହେବ।

ଚଳିତ ବର୍ଷ ବାଲିଯାତ୍ରାର ଆୟୋଜନ ପାଇଁ ସରକାରଙ୍କ ତରଫରୁ ୧୦ କୋଟି ଟଙ୍କା ଅର୍ଥରାଶି ପ୍ରଦାନ ପାଇଁ ପ୍ରସ୍ତାବ ରହିଛି। ଏଥିସହ ଚଳିତ ବର୍ଷ ବାଲିଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଓଡ଼ିଶା ରୁରାଲ ଡେଭେଲପ୍ମେଣ୍ଟ ଆଣ୍ଡ ମାର୍କେଟିଙ୍ଗ ସୋସାଇଟି (ଓରମାସ୍) ତରଫରୁ ୫୦୦ଟି ଷ୍ଟଲ୍ ରହିବା ସହ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ବାଲିଯାତ୍ରା ପଡ଼ିଆର ପ୍ରମୁଖ ସ୍ଥାନମାନଙ୍କରେ ପ୍ରଦର୍ଶିତ କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦୁଇଟି ମଞ୍ଚ ରହିବ। ବାଲି ଦେଶରୁ ଏକ ପ୍ରତିନିଧି ମଣ୍ଡଳୀ ଚଳିତ ବର୍ଷ ବାଲିଯାତ୍ରାକୁ ଆସିବାର ମଧ୍ୟ ଯୋଜନା ରହିଛି।

ଏଥିସହ କଟକ-ଇନ୍-କଟକରେ ବାଲି ଓ ପ୍ରାଚୀନ କଳିଙ୍ଗ ରାଜ୍ୟ ମଧ୍ୟରେ ରହିଥିବା ସାଂସ୍କୃତିକ ସାମଞ୍ଜସ୍ୟକୁ ପ୍ରଦର୍ଶିତ କରାଯିବ। ବାଲି ଓ କଳିଙ୍ଗ ମଧ୍ୟରେ ରହିଥିବା ଭାଷା, ଖାଦ୍ୟ, ବସ୍ତ୍ର, ତାଳପତ୍ର ଓ ଲୋଣ୍ଟାର (Bali's traditional palm leaf manuscript) ମଧ୍ୟରେ ରହିଥିବା ସାମଞ୍ଜସ୍ୟକୁ କଟକ-ଇନ୍-କଟକ ପାଭିଲିୟନରେ ପ୍ରଦର୍ଶିତ କରାଯିବା ସହ ଏକ ଡିଜିଟାଲ ଇନ୍ଫରମେସନ୍ ୱାଲ୍ ମଧ୍ୟ ରହିବ।

ସେହିପରି ଭାବେ ଚଳିତ ବର୍ଷ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟ ପୁସ୍ତକ ମହୋତ୍ସବର ପ୍ରସ୍ତୁତି ସମ୍ବନ୍ଧରେ ମଧ୍ୟ ସଂସ୍କୃତି ମନ୍ତ୍ରୀ ସମୀକ୍ଷା କରିଥିଲେ। ଚଳିତ ବର୍ଷ ୪ ଡିସେମ୍ବରରୁ ୧୪ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ପୁସ୍ତକ ମହୋତ୍ସବ ଆୟୋଜିତ ହେବ। ପୁସ୍ତକ ମହୋତ୍ସବରେ କପିଳେନ୍ଦ୍ର ଦେବଙ୍କ ଜୀବନୀ ଉପରେ ଆଧାରିତ ପାଭିଲିୟନ ସହ ବନ୍ଦେ ମାତରମ୍, ଜ୍ଞାନଭାରତମ୍ ଆଦି ଥିମ୍କୁ ଆଧାର କରି ପାଭିଲିୟନ ନିର୍ମାଣ କରିବା ପାଇଁ ସଂସ୍କୃତି ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥିସହ ଶିଶୁ ସାହିତ୍ୟ, ସାହିତ୍ୟିକଙ୍କ ସହ ସାକ୍ଷାତ(ମିଟ୍ ଦି ଅଥର) କର୍ଣ୍ଣନର ସ୍ଥାପନ ସହ କ୍ଵିଜ୍ ପ୍ରତିଯୋଗିତାର ଆୟୋଜନ, ଓପନ ମାଇକ୍ ଆଦିର ଆୟୋଜନକୁ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।

Also Read: କାର୍ତ୍ତିକ ବ୍ରତ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୩.୩୦ କୋଟି ଟଙ୍କା ଅର୍ଥରାଶି ଅନୁମୋଦନ

ବୈଠକରେ ସଂସ୍କୃତି ବିଭାଗ ଅଧୀନରେ ଥିବା ବିଭିନ୍ନ ପ୍ରକଳ୍ପର ମଧ୍ୟ ସମୀକ୍ଷା କରାଯାଇଥିଲା। କଳାମଣ୍ଡଳ କାର୍ଯ୍ୟକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ମନ୍ତ୍ରୀ ଇଡ଼କୋର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟ ସ୍ଥାପନ କାର୍ଯ୍ୟ, କଳାବିକାଶ କେନ୍ଦ୍ରର ପ୍ରେକ୍ଷାଳୟ ଓ ଶ୍ରେଣୀଗୃହ ନବୀକରଣ କାର୍ଯ୍ୟ, ବକୁଳବନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତିକୁ ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା।

ରାଜଧାନୀରେ ଆଧୁନିକ ସଂଗ୍ରହାଳୟ, ପୁରୀରେ ଶ୍ରୀ ଜଗନ୍ନାଥ ବ୍ୟାଖ୍ଯାନ କେନ୍ଦ୍ର ଓ ସଂଗ୍ରହାଳୟ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା, ଭଞ୍ଜକଳା ମଣ୍ଡପର ନବୀକରଣ କାର୍ଯ୍ୟରେ ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଏଥିସହ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ କ୍ୟାମ୍ପସ ପ୍ରତିଷ୍ଠା, ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ଏବଂ ବିଭିନ୍ନ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ସଂସ୍କୃତି ମନ୍ତ୍ରୀ ସମୀକ୍ଷା କରିଥିଲେ। ସଂସ୍କୃତି ବିଭାଗ ଅଧିନସ୍ଥ ସମସ୍ତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସୂରଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।