ନାଣ୍ଟକେଟ୍: ଏକ ଗଲଫ୍ ଷ୍ଟ୍ରିମ୍ ଜି-୧୦୦ ବିମାନ ଶନିବାର ମାସାଚୁସେଟସ୍ ର ନାଣ୍ଟକେଟ୍ ଉପକୂଳରେ ନିଖୋଜ ହୋଇଯାଇଛି। ଏହି ବିମାନରେ ୬ ଜଣ ଯାତ୍ରୀ ଥିଲେ ଓ ବରମୁଡ଼ାରୁ ବୋଷ୍ଟନ ଲାଗି ଉଡାଣ କରୁଥିବା ବେଳେ ଏହା ନିଖୋଜ ହୋଇଯାଇଛି। ଅମେରିକୀୟ ଫେଡେରାଲ ଏଭିଏସନ ଆଡମିନେଷ୍ଟ୍ରେସନ (ଏଫଏଏ) ସହିତ ସମ୍ପର୍କ ବିଛିନ୍ନ ହେବା ପରେ ୟୁଏସ୍ କୋଷ୍ଟଗାର୍ଡ ସମୁଦ୍ର ଓ ଆକାଶରେ ବିମାନର ସନ୍ଧାନ ଅଭିଯାନ ଆରମ୍ଭ କରିଛି। ଫ୍ଲାଇଟ୍ ଟ୍ରାକିଂ ଡାଟା ଅନୁସାରେ ବିମାନ ବରମୁଡାରୁ ଉଡାଣ କରିବା ପରେ ବୋଷ୍ଟନ ଦିଗରେ ଆଗକୁ ବଢୁଥିଲା। ତେବେ ମଝି ଆକାଶରେ ଅଚାନକ ଉଚ୍ଚତା ହରାଇଥିଲା। ଏହା ପରଠାରୁ ବିମାନ ସହ ସମ୍ପର୍କ ବିଛିନ୍ନ ହୋଇଛି।

ବିମାନଟି ୨୪ ହଜାର ଫୁଟ ଉଚ୍ଚ ଆକାଶରେ ଉଡୁଥିବା ବେଳେ ଏହା ହ୍ରାସ ହୋଇ ୧୧ ହଜାର ଫୁଟ ପର୍ଯ୍ୟନ୍ତ ଆସି ଯାଇଥିଲା। ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଅଧିକାରୀମାନେ ପୁଷ୍ଟି କରି ନାହାନ୍ତି। ବିମାନ ବୋଷ୍ଟନର ଲୋଗାନ ଏୟାରପୋର୍ଟରେ ମଧ୍ୟାହ୍ନ ୧.୩୦ ମିନିଟ୍ ରେ ଅବତରଣ କରିବାର ଥିଲା। ତେବେ ନିର୍ଦ୍ଧାରିତ ଲ୍ୟାଣ୍ଡିଂ ପୂର୍ବରୁ ବିମାନ ସହ ଏଫଏଏର ସମ୍ପର୍କ ବିଛିନ୍ନ ହୋଇଥିଲା। ଏହା ପରଠାରୁ ଆମେରିକୀୟ କୋଷ୍ଟଗାର୍ଡ ନାଣ୍ଟକେଟ୍ ଉପକୂଳରେ ବିମାନର ସନ୍ଧାନ ଆରମ୍ଭ କରିଦେଇଛି।

ୟୁଏସ୍ କୋଷ୍ଟଗାର୍ଡ ବିମାନକୁ ଖୋଜିବା ଲାଗି ଏୟାର ଓ ସର୍ଫେସ୍ କ୍ରୁଙ୍କୁ ମୁତୟନ କରିଛି। ନଣ୍ଟକେଟ୍ ସମୁଦ୍ର କ୍ଷେତ୍ରରେ ସନ୍ଧାନ ଅଭିଯାନ ଚଳାଯାଇଛି। ଅଧିକାରୀଙ୍କ ଅନୁସାରେ ବିମାନରେ ମୋଟ ୬ ଜଣ ଯାତ୍ରା କରୁଥିଲେ। ତେବେ ଯାତ୍ରୀ ଓ ଚାଳକ ଦଳଙ୍କ ପରିଚୟ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳୁ ନାହିଁ। ବିମାନର ରେଜିଷ୍ଟ୍ରେସନ ଓ ରିପୋର୍ଟ ଅନୁସାରେ ଏହା ଗଲଫଷ୍ଟ୍ରିମ ଜି-୧୦୦ କାନାଡାର ଲାଟିଟ୍ୟୁଡ ଏୟାର ଆମ୍ବୁଲାନ୍ସ ସମ୍ପର୍କିତ ଏକ ମେଡିକାଲ ଟ୍ରାନ୍ସଫର ବିମାନ ଥିଲା। ତେବେ ବିମାନରେ ଯାତ୍ରା କରୁଥିବା ରୋଗୀ, ମେଡିକାଲ ଷ୍ଟାଫ ଓ ଅନ୍ୟ ଯାତ୍ରୀଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକାରୀକ ପୁଷ୍ଟି ହୋଇ ନାହିଁ।