ନୂଆଦିଲ୍ଲୀ: ମେଡିକାଲ ସାଇନ୍ସ କ୍ଷେତ୍ରରେ ଏକ ବଡ଼ ଉପଲବ୍ଧି ମିଳିଛି । ଘୁଷୁରୀ କିଡନୀ ଜଣେ ରୋଗୀଙ୍କ ଲାଗି ସାହାରା ପାଲଟିଥିବା ନେଇ ଜଣାପଡ଼ିଛି । ଅର୍ଥାତ, ଘୁଷୁରୀ କିଡନୀ ଯୋଗୁଁ ଜଣେ ରୋଗୀ ୯ ମାସ ଯାଏଁ ବିନା ଡାୟାଲିସିସିରେ ଜୀବିତ ରହିପାରିଛନ୍ତି । ପରେ ତାଙ୍କୁ ମଣିଷ କିଡନୀ ମିଳିବା ପରେ ତାଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି ।  ଜେନେଟିକାଲି ମୋଡିଫାଏଡ୍ (ଜିନ୍‌-ପରିବର୍ତ୍ତିତ) ଘୁଷୁରିର କିଡନୀ ସାହାଯ୍ୟରେ ଜଣେ ୬୬ ବର୍ଷୀୟ ରୋଗୀ ବିନା ଡାୟାଲିସିସରେ ରେକର୍ଡ ୯ ମାସ ସୁସ୍ଥ ରହିବା ପରେ ସଫଳତାର ସହ ତାଙ୍କ ଶରୀରରେ ମାନବ କିଡନୀ ପ୍ରତିରୋପଣ କରାଯାଇଛି ।

ପ୍ରସିଦ୍ଧ ଚିକିତ୍ସା ସାଇନ୍ସ ଜର୍ଣ୍ଣାଲ 'ଦି ଲାନସେଟ୍' ରେ ପ୍ରକାଶିତ ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଅଙ୍ଗଦାନ ଅଭାବ ସମସ୍ୟାର ସମାଧାନ ପାଇଁ ଘୁଷୁରୀ ଅଙ୍ଗକୁ ଏକ ଅସ୍ଥାୟୀ ସେତୁ ବା ବ୍ରିଜ୍‌ ଭାବେ ବ୍ୟବହାର କରାଯିବାର ଏହା ବିଶ୍ୱର ପ୍ରଥମ ସଫଳ ଘଟଣା। ଆମେରିକାର ମାସାଚୁସେଟ୍ସ ଜେନେରାଲ ହସ୍ପିଟାଲରେ ଏହି ଐତିହାସିକ କିଡନୀ ପ୍ରତିରୋପଣ କରାଯାଇଥିଲା।

eGenesis କମ୍ପାନୀ ଦ୍ୱାରା 'ୟୁକାଟାନ୍ ମିନିଏଚର' ପ୍ରଜାତିର ଘୁଷୁରୀ କିଡନୀରେ ଜିନ୍ ସଂଶୋଧନ କରାଯାଇଥିଲା, ଯେପରି ମାନବ ଶରୀର ଏହାକୁ ଗ୍ରହଣ କରିପାରିବ ଏବଂ ଭୂତାଣୁ ସଂକ୍ରମଣର ଭୟ ରହିବ ନାହିଁ। ରୋଗୀଙ୍କର ଟାଇପ୍-୨ ମଧୁମେହ ଯୋଗୁଁ କିଡନୀ ଖରାପ ହୋଇଥିଲା। ଘୁଷୁରୀ କିଡନୀ ଲଗାଯିବା ପରେ ରୋଗୀଙ୍କୁ ଡାୟାଲିସିସ୍ କରିବାକୁ ପଡ଼ିନଥିଲା।

୨୦୨୪ ମସିହାରେ ଜୀବିତ ମଣିଷ ଶରୀରରେ ପ୍ରଥମ ଘୁଷୁରୀ କିଡନୀ ଲଗାଯାଇଥିଲା, ମାତ୍ର ହୃଦରୋଗ ଜନିତ ସମସ୍ୟା ଯୋଗୁଁ ୫୨ ଦିନ ପରେ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହି ନୂତନ ମାମଲାରେ ପ୍ରଥମ ଥର ପାଇଁ ଏକ ପଶୁ ଅଙ୍ଗ ମଣିଷ ଶରୀରରେ ୨ ମାସରୁ ଅଧିକ ସମୟ (୯ ମାସ) ସଫଳତାର ସହ କାର୍ଯ୍ୟ କରି ମାନବ କିଡନୀ ମିଳିବା ପର୍ଯ୍ୟନ୍ତ ରୋଗୀଙ୍କୁ ନୂଆ ଜୀବନ ଦେଇପାରିଛି।

ଅନ୍ୟପଟେ ଭାରତରେ ପ୍ରତିବର୍ଷ ପ୍ରାୟ ୨ ଲକ୍ଷ ରୋଗୀଙ୍କୁ କିଡନୀ ଆବଶ୍ୟକ ହୋଇଥାଏ, ମାତ୍ର କେବଳ ୧,୫୦୦ ଅସ୍ତ୍ରୋପଚାର ସମ୍ଭବ ହୁଏ। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ପ୍ରଫେସର ଡାକ୍ତର ଅନୁପ କୁମାରଙ୍କ କହିବାନୁଯାୟୀ, ଏହା ଏକ ପାଇଲଟ୍ ପ୍ରକଳ୍ପ ଥିଲା। ଭାରତ ଭଳି ଦେଶରେ ଏହାକୁ ପ୍ରୟୋଗ କରିବା ପୂର୍ବରୁ ଅନ୍ତତଃ ୫ ବର୍ଷର ଗବେଷଣା ରିପୋର୍ଟ ଏବଂ ବହୁ ସଂଖ୍ୟକ ସଫଳ ପରୀକ୍ଷଣର ଆବଶ୍ୟକତା ରହିଛି।