ଭୁବନେଶ୍ୱର: ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଅନେକ ଲୋକ ନୂଆ ସଫ୍ଟୱେର ଅପଡେଟ୍ ଆସିଲେ ତାହାକୁ ଅଣଦେଖା କରିଥାନ୍ତି। କିନ୍ତୁ ଏହି ଛୋଟ ଅବହେଳା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ, ବ୍ୟାଙ୍କିଂ ସୁରକ୍ଷା ଓ ଫୋନ କାର୍ଯ୍ୟଦକ୍ଷତା ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ । ବିଶେଷଜ୍ଞମାନେ ନିୟମିତ ଭାବେ ଫୋନ୍ ଅପଡେଟ୍ କରିବାକୁ ପରାମର୍ଶ ଦେଇଥାନ୍ତି ।

ସ୍ମାର୍ଟଫୋନ୍ କମ୍ପାନୀମାନେ ସମୟ ସମୟରେ ସଫ୍ଟୱେର ଓ ସିକ୍ୟୁରିଟି ଅପଡେଟ୍ ଜାରି କରନ୍ତି। ଏହି ଅପଡେଟ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଫୋନ୍ରେ ଥିବା ସୁରକ୍ଷା ତ୍ରୁଟିକୁ ଦୂର କରିବା, ନୂଆ ଫିଚର ଯୋଡ଼ିବା ଏବଂ ଫୋନ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା। ଯଦି ଆପଣ ଦୀର୍ଘ ସମୟ ଧରି ଫୋନ୍ ଅପଡେଟ୍ କରୁନାହାନ୍ତି, ତେବେ ସାଇବର ଅପରାଧୀମାନେ ପୁରୁଣା ସୁରକ୍ଷା ତ୍ରୁଟିର ସୁଯୋଗ ନେଇ ଆପଣଙ୍କ ଡିଭାଇସ୍କୁ ଟାର୍ଗେଟ୍ କରିପାରନ୍ତି। ଏହା ଦ୍ୱାରା ବ୍ୟକ୍ତିଗତ ଫଟୋ, ଡକ୍ୟୁମେଣ୍ଟ, ପାସୱାର୍ଡ ଏବଂ ବ୍ୟାଙ୍କିଂ ସମ୍ବନ୍ଧୀୟ ସୂଚନା ଚୋରି ହେବାର ଆଶଙ୍କା ବଢ଼ିଯାଏ। କେବଳ ସୁରକ୍ଷା ନୁହେଁ, ପୁରୁଣା ସଫ୍ଟୱେର ବ୍ୟବହାର କଲେ ଫୋନ୍ ଧୀର ହୋଇଯିବା, ବାରମ୍ବାର ହ୍ୟାଙ୍ଗ୍ ହେବା, ବ୍ୟାଟେରି ଶୀଘ୍ର ଶେଷ ହେବା ଏବଂ କେତେକ ନୂଆ ଆପ୍ ସଠିକ୍ ଭାବେ କାମ ନ କରିବା ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ।

ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁସାରେ, ଫୋନ୍ରେ ସିକ୍ୟୁରିଟି କିମ୍ବା ସିଷ୍ଟମ୍ ଅପଡେଟ୍ ଆସିଲେ ଯଥାଶୀଘ୍ର ତାହାକୁ ଇନଷ୍ଟଲ୍ କରନ୍ତୁ। ଅପଡେଟ୍ ପୂର୍ବରୁ ଡାଟା ବ୍ୟାକଅପ୍ ରଖିବା, ବ୍ୟାଟେରି ପର୍ଯ୍ୟାପ୍ତ ଚାର୍ଜ କରିବା ଏବଂ ୱାଇ-ଫାଇ ସଂଯୋଗ ବ୍ୟବହାର କରିବା ଉଚିତ। ନିୟମିତ ସଫ୍ଟୱେର ଅପଡେଟ୍ କେବଳ ଆପଣଙ୍କ ଫୋନ୍କୁ ନୂଆ ଫିଚର ଦେଇନଥାଏ, ବରଂ ସାଇବର ବିପଦରୁ ସୁରକ୍ଷିତ ରଖିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ ।