ନୂଆଦିଲ୍ଲୀ: ଇରାନ୍ ଉପରେ ଆମେରିକା ଏବଂ ଇସ୍ରାଏଲ ମିଳିତ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଇରାନ୍ର ବହୁ ଶୀର୍ଷ ନେତାଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଇରାନ୍ର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନି ମଧ୍ୟ ସାମିଲ । ସେପଟେ ଖାମେନିଙ୍କ ମୃତ୍ୟୁ ପରେ ସାରା ବିଶ୍ବରେ ଅସନ୍ତୋଷ ପ୍ରକାଶ ପାଇଛି । ଖାମେନିଙ୍କ ମୃତ୍ୟୁକୁ ନେଇ ଉତକ୍ଷିପ୍ତ ମୁସଲିମ ସଂପ୍ରଦାୟ ପ୍ରତିବାଦ ମଧ୍ୟ କରିଛନ୍ତି । ଏହାର ପ୍ରଭାବ ମଧ୍ୟ ପାକିସ୍ତାନରେ ଦେଖିବାକୁ ମିଳିଛି । ପାକିସ୍ତାନରେ ଆମେରିକା ଦୂତାବାସ ଆଗରେ ଲୋକେ ପ୍ରତିବାଦ କରିଛନ୍ତି । ଆମେରିକା ଦୂତାବାସରେ ମୁତୟନ ସୁରକ୍ଷା କର୍ମୀଙ୍କ ଗୁଳିରେ ୨୦ରୁ ଅଧିକ ପ୍ରତିବାଦକାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସେପଟେ ପ୍ରତିବାଦକାରୀଙ୍କୁ ବୁଝାଇବାକୁ ଯାଇ ହଟହଟ୍ଟା ହୋଇଛନ୍ତି ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭୀ । ପାକିସ୍ତାନର ରାଜଧାନୀ ଇସଲାମାବାଦରେ ସିଆ ସମ୍ପ୍ରଦାୟର ପ୍ରଦର୍ଶନ ଜାରି ରହିଛି। ମାର୍ଚ୍ଚ ୧ ଅପରାହ୍ନ ୧ଟାରୁ ହଜାର ହଜାର ସିଆ ପ୍ରଦର୍ଶନକାରୀ ଇସଲାମାବାଦରେ ଥିବା ଆମେରିକୀୟ ଦୂତାବାସ ଆଗରେ ପ୍ରଦର୍ଶନ କରିଛନ୍ତି । ଏପରିକି ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଲଢ଼େଇ ହୋଇଛି । ପ୍ରଦର୍ଶନକାରୀଙ୍କୁ ଅଟକାଇବାକୁ ଇସଲାମାବାଦ ପୋଲିସ ଲୁହ ବୁହା ଗ୍ୟାସ୍ ମାଡ଼ କରିବା ସହ ଲାଠିଚାର୍ଜ କରିଛି । କିନ୍ତୁ ଏହାର ପ୍ରଦର୍ଶନକାରୀଙ୍କ ଉପରେ କୌଣସି ବିଶେଷ ପ୍ରଭାବ ପଡ଼ିଲା ନାହିଁ।

ପରିସ୍ଥିତି ଖରାପ ହେଉଥିବା ଦେଖି, ଇସଲାମାବାଦ ପୋଲିସ ଧାରା ୧୪୪ ଜାରି କରିଛି । ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭୀ ପ୍ରଦର୍ଶନକାରୀଙ୍କୁ ଶାନ୍ତ କରିବା ପାଇଁ ବ୍ୟକ୍ତିଗତ ଭାବରେ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ପ୍ରଦର୍ଶନକାରୀମାନେ ନକଭୀଙ୍କୁ ଧକ୍କା ମାରି ସେଠାରୁ ଦୂରେଇ ଦେଇଥିଲେ। ଏହା ପରେ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଗୁଳିମାଡ଼ କରିଥିଲା । ଏଥିରେ ଉତକ୍ଷିପ୍ତ ପ୍ରଦର୍ଶନକାରୀ ଜଳାପୋଡ଼ା କରିଛନ୍ତି । ୨୦୦୦ ରୁ ଅଧିକ ପ୍ରଦର୍ଶନକାରୀ ଏବେ ବି ଇସଲାମାବାଦରେ ଶିବିର ପକାଇ ରହିଛନ୍ତି ଏବଂ ଆମେରିକୀୟ ଦୂତାବାସ ବାହାରେ ପ୍ରତିବାଦ କରିବାକୁ ଜିଦ୍ ଧରିଛନ୍ତି।

ଇସ୍ରାଏଲ ଏବଂ ଆମେରିକା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇଛି ।ଏହାକୁ ନେଇ ଇରାନ ସମେତ ଅନେକ ଦେଶରେ ଶୋକ ଏବଂ କ୍ରୋଧର ପରିବେଶ ସୃଷ୍ଟି ହୋଇଛି । ପାକିସ୍ତାନ ମଧ୍ୟ ଆମେରିକା ଏବଂ ଇସ୍ରାଏଲ କାର୍ଯ୍ୟର ଦୃଢ଼ ନିନ୍ଦା କରିଛି। ରାଜଧାନୀ ଇସଲାମାବାଦରେ ମଧ୍ୟ ବିରୋଧର ସ୍ୱର ଶୁଣାଯାଉଛି । ପ୍ରତିବାଦକାରୀମାନେ ସାମୂହିକ ଭାବରେ ରାସ୍ତାକୁ ଓହ୍ଲାଇଛନ୍ତି।