ନଅ ରାତି… ମା’ଙ୍କ ଆରାଧନା… ଆଉ ତାଳେ ତାଳେ ଭକ୍ତିର ଅପୂର୍ବ ଅଭିବ୍ୟକ୍ତି! ନବରାତ୍ରି ଆସିଲେ ଗର୍ବାର ତାଳରେ ଝୁମିଉଠେ ପରିବେଶ। ରଙ୍ଗବେରଙ୍ଗ ପୋଷାକ, ତାଳିର ଶବ୍ଦ ଆଉ ବୃତ୍ତାକାର ନୃତ୍ୟରେ ଗୁଞ୍ଜରିତ ହୁଏ ମା’ ଦୁର୍ଗାଙ୍କ ଆରାଧନା। କିନ୍ତୁ ଏହା କେବଳ ଏକ ନୃତ୍ୟ ନୁହେଁ, ଏହା ପଛରେ ରହିଛି ଭକ୍ତି, ଶକ୍ତି ଓ ଆଧ୍ୟାତ୍ମିକତାର ଗଭୀର ପରମ୍ପରା। ତେବେ କେମିତି ଆରମ୍ଭ ହେଲା ଗର୍ବା? ଜାଣିବା ଏହାର ରୋଚକ ଇତିହାସ।

ତାଳିର ତାଳ… ପାଦର ଛନ୍ଦ… ଆଉ ମା’ ଶକ୍ତିଙ୍କ ପ୍ରତି ଅଗାଢ଼ ଭକ୍ତି! ନବରାତ୍ରିରେ ଗର୍ବା କେବଳ ନୃତ୍ୟ ନୁହେଁ, ଏହା ମା’ଙ୍କ ଆରାଧନାର ଏକ ସ୍ୱତନ୍ତ୍ର ମାଧ୍ୟମ। ଗର୍ବା ଶବ୍ଦର ଉତ୍ପତ୍ତି ସଂସ୍କୃତ ଶବ୍ଦ ‘ଗର୍ଭ-ଦୀପ’ ସହ ଜଡ଼ିତ ବୋଲି କୁହାଯାଏ। ପାରମ୍ପରିକ ଭାବେ ଏକ ଛିଦ୍ରଯୁକ୍ତ ମାଟି କଳସ ଭିତରେ ଦୀପ ଜଳାଯାଇ ରଖାଯାଏ। ଏହି ଆଲୋକିତ କଳସ ଜୀବନ, ଶକ୍ତି ଓ ଦିବ୍ୟତାର ପ୍ରତୀକ ଭାବେ ପରିଚିତ।

ଏହି ପବିତ୍ର କଳସକୁ କେନ୍ଦ୍ର କରି ବୃତ୍ତାକାରରେ ନୃତ୍ୟ କରନ୍ତି ଭକ୍ତମାନେ। ତାଳିର ଗୁଞ୍ଜରଣ, ପାଦର ଲୟ ଆଉ ସଙ୍ଗୀତର ମୂର୍ଚ୍ଛନାରେ ପ୍ରକାଶ ପାଏ ମା’ ଦୁର୍ଗାଙ୍କ ପ୍ରତି ସେମାନଙ୍କ ଶ୍ରଦ୍ଧା ଓ ସମର୍ପଣ। ଗୁଜରାଟର ପାରମ୍ପରିକ ଲୋକସଂସ୍କୃତିରୁ ଆରମ୍ଭ ହୋଇଥିବା ଗର୍ବା ଆଜି ଦେଶର ସୀମା ଡେଇଁ ବିଦେଶରେ ମଧ୍ୟ ଲୋକପ୍ରିୟ। ଏହାର ତାଳ ସହ ଯୋଡ଼ି ହୋଇଛି ଡାଣ୍ଡିଆ, ମଞ୍ଜିରା ଓ ବିଭିନ୍ନ ପାରମ୍ପରିକ ନୃତ୍ୟଭଙ୍ଗୀ।

ନଅ ଦିନ ଧରି ମା’ଙ୍କ ଆରାଧନା ସହ ଗର୍ବାର ଏହି ଉତ୍ସବ ଭକ୍ତି, ଏକତା ଓ ଆନନ୍ଦର ବାର୍ତ୍ତା ଦିଏ। ଆଉ ଏହି ନୃତ୍ୟର ପ୍ରତିଟି ତାଳରେ ରହିଛି ଗୋଟିଏ ଭାବନା ମା’ ଶକ୍ତିଙ୍କ ପ୍ରତି ସମର୍ପଣ। ଗର୍ବା ତେଣୁ କେବଳ ପରମ୍ପରା ନୁହେଁ, ଏହା ଆସ୍ଥା ଓ ସଂସ୍କୃତିର ଏକ ଜୀବନ୍ତ ଉତ୍ସବ।

ଏହି ପରମ୍ପରାକୁ ମିଳିଛି ବିଶ୍ୱସ୍ତରୀୟ ସ୍ୱୀକୃତି। ୨୦୨୩ ଡିସେମ୍ବରରେ ୟୁନେସ୍କୋ ଗୁଜରାଟର ଗର୍ବାକୁ ମାନବଜାତିର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟର ପ୍ରତିନିଧିତ୍ୱକାରୀ ତାଲିକାରେ ସାମିଲ କରିଥିଲା। ଏହା କେବଳ ଏକ ନୃତ୍ୟର ସ୍ୱୀକୃତି ନୁହେଁ, ବରଂ ଗୁଜରାଟର ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ଗୌରବ। 

ବର୍ତ୍ତମାନ ଏହା ଏକ ବିଶ୍ୱସ୍ତରୀୟ ଉତ୍ସବରେ ପରିଣତ ହୋଇଛି ଏବଂ ଆଧୁନିକ ସଙ୍ଗୀତ ତଥା ଚିତ୍ତାକର୍ଷକ କାର୍ଯ୍ୟକ୍ରମ ସହିତ ବ୍ୟାପକ ସ୍ତରରେ ପାଳନ କରାଯାଉଛି। ଏହା ବ୍ୟତୀତ, ଗରବା ସହିତ ପ୍ରାୟତଃ 'ଦାଣ୍ଡିଆ ରାସ୍' ମଧ୍ୟ ପରିବେଷଣ କରାଯାଏ। ଏହି ନୃତ୍ୟ ଶୈଳୀକୁ ଦେବୀ ଦୁର୍ଗା ଏବଂ ଅସୁର ମହିଷାସୁରଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ପ୍ରତୀକ ଭାବରେ ବିବେଚନା କରାଯାଏ।