ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ସୋସିଆଲ ମିଡିଆ ପେଜରୁ ଅସ୍ଥାୟୀ ଭାବେ ହଟା ଯିବା ମାମଲା ଏବେ ଗୁରୁତର ରୂପ ଧାରଣ କରିଛି। ମାମଲାରେ ସଂସଦୀୟ ସ୍ଥାୟୀ କମିଟି ମାର୍କ ଜୁକରବର୍ଗଙ୍କୁ ୩ ଦିନ ମଧ୍ୟରେ ନିଃସର୍ତ୍ତ କ୍ଷମାଯାଚନା କରିବାକୁ ଦାବି କରିଛି। କମିଟି ଚେତାବନୀ ଦେଇଛି ଯେ ଯଦି ଜୁକରବର୍ଗ କ୍ଷମାଯାଚନା ନ କରନ୍ତି ତେବେ ଇନଫର୍ମେସନ ଟେକ୍ନୋଲଜି ଆକ୍ଟ ଅନୁସାରେ ଦେଶରେ ତାଙ୍କ କମ୍ପାନୀକୁ ମିଳିଥିବା ‘ସେଫ ହାର୍ବର’ ଇମ୍ୟୁନିଟି ପ୍ରତ୍ୟାହାର କରିନିଆଯିବ।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ର ଓ ଜେନ-ଜୀଙ୍କୁ ସମ୍ବୋଧିତ କରୁଥିବା ଭିଡିଓ ଫେସବୁକ୍ ରୁ ୫-୬ ଘଣ୍ଟା ଲାଗି ହଟି ଯାଇଥିଲା। ଏହି ଘଟଣାକୁ ପାର୍ଲ୍ୟାମେଣ୍ଟାରୀ କମିଟି ଗୁରୁତର ସହ ଗ୍ରହଣ କରିଛି। କମିଟି କହିଛି ଯେ ଜୁକରବର୍ଗଙ୍କୁ ପତ୍ର ମିଳିବାର ୩ ଦିନ ମଧ୍ୟରେ କ୍ଷମାଯାଚନା କରିବାକୁ ପଡିବ। କମିଟି ସର୍ବ ସମ୍ମତି ସୁପାରିଶରେ ଯଦି ଇଣ୍ଟରନେଟ୍ ମିଡିଆ କମ୍ପାନୀମାନେ ଭାରତୀୟ ଆଇନ ପାଳନ ନ କରିବେ ତେବେ ସେମାନଙ୍କୁ ମିଳୁଥିବା ‘ସେଫ ହାର୍ବର’ ସୁରକ୍ଷା ପ୍ରତ୍ୟାହାର କରି ନିଆଯିବ। ଏକ ଅନ୍ୟ ମାମଲାରେ କମିଟି ଭାରତ ସରକାରଙ୍କୁ ହାଇଦ୍ରାବାଦ ପୋଲିସ ଦ୍ୱାରା ସାଇବର ଠକେଇ ମାମଲାରେ ‘ଗୁଗଲ’ ଇଣ୍ଡିଆ ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଆଗ୍ରହ କରିଛି।