ନୂଆଦିଲ୍ଲୀ ୧୧।୨: ଲୋକସଭାରେ ବଜେଟ୍ ଉପରେ ଚର୍ଚ୍ଚା କାଳରେ ବୁଧବାର ରାହୁଲ ଗାନ୍ଧି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ମଧ୍ୟରେ ତୀବ୍ର କଥାକଟାକଟି ହୋଇଛି। ରାହୁଲ ଗାନ୍ଧି ସରକାରଙ୍କ ଉପରେ ‘ହୋଲସେଲ ସରେଣ୍ଡର’ ଓ ଡାଟା ସୁରକ୍ଷା ବୁଝାମଣାର ଗୁରୁତର ଆରୋପ ଲଗାଇଛନ୍ତି। ଏହା ଉପରେ ରିଜିଜୁ କଡ଼ା ଆପତ୍ତି କରିଛନ୍ତି। ରିଜିଜୁ ସ୍ପଷ୍ଟ ଭାବେ କହିଛନ୍ତି ଯେ ବିରୋଧୀ ଦଳ ନେତା ବିନା କୌଣସି ମଜଭୁତ ପ୍ରମାଣରେ ପ୍ରଧାନମନ୍ତ୍ରୀ ଓ ଦେଶର ଛବିକୁ ଖରାପ କରୁଛନ୍ତି। ସେ ଚ୍ୟାଲେଞ୍ଜ କରିଛନ୍ତି ଯେ ରାହୁଲ ଗାନ୍ଧି ସଦନ ପଟଳରେ ଯେଉଁ ସବୁ ଆରୋପ ଲଗାଇଛନ୍ତି ତାହା ପ୍ରମାଣିତ କରନ୍ତୁ। ଏହି ବିତର୍କ ବ୍ୟକ୍ତିଗତ ଆରୋପ, ବିଜନେସ୍ ହାଉସ୍ ଓ ଅନ୍ତର୍ଜାତୀୟ ଫାଇଲ କାରଣରୁ ବେଶ୍ ଉତ୍ତେଜକ ଥିଲା।

କିରେନ ରିଜିଜୁ ରାହୁଲ ଗାନ୍ଧିଙ୍କ ‘ଦେଶ ବିକ୍ରି’, ‘ହୋଲସେଲ ସରେଣ୍ଡର’ ବୟାନ ଉପରେ ପାଲଟା ଆକ୍ରମଣ କରି କହିଛନ୍ତି ଯେ ସଂସଦୀୟ ନିୟମ ଅନୁସାରେ ବିନା ଆଧାରରେ ଆରୋପ ଲଗା ଯାଇ ପାରିବନି। ସେ ପୀଠାସୀନ ଅଧିକାରୀଙ୍କ ଧ୍ୟାନ ଆକର୍ଷଣ କରି ରାହୁଲ ଗାନ୍ଧି ଗୃହରେ ଯାହାବି ଅଭିଯୋଗ କରିଛନ୍ତି ତାକୁ ଗୃହ କାର୍ଯ୍ୟର ଅଂଶ କରିବା ପୂର୍ବରୁ ତାଙ୍କୁ ସେଗୁଡିକୁ ପ୍ରମାଣିତ କରିବାକୁ କୁହନ୍ତୁ ବୋଲି ଦାବି କରିଥିଲେ। ରିଜିଜୁ ଗୃହରେ ଜୋର ଦେଇ କହିଛନ୍ତି ଯେ ‘ଏପରି କୌଣସି ମାଆର ପୁଅ ନାହିଁ ଯିଏ ଦେଶକୁ ବିକ୍ରି କରିଦେବ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶର ସାର୍ଭଭୌମତ୍ୱ ସୁରକ୍ଷିତ ଅଛି’।

ରାହୁଲ ଗାନ୍ଧି ଯେତେବେଳେ ଗୃହରେ ଆଦାନୀ, ଅନିଲ ଅମ୍ବାନୀ ଓ ଏପଷ୍ଟିନ ଫାଇଲ କୁ ନେଇ ସରକାରଙ୍କୁ ଘେରିଲେ କିରେନ ରିଜିଜୁ ଓ ରବିଶଙ୍କର ପ୍ରସାଦ ଏହାକୁ ‘ତ୍ରୁଟିପୂର୍ଣ୍ଣ’ ବୟାନ ବୋଲି କହିଥିଲେ। ରିଜିଜୁ କହିଛନ୍ତି ଯେ ବିନା ତଥ୍ୟରେ ପବନରେ କଥାହେବା ରାହୁଲ ଗାନ୍ଧିଙ୍କ ଅଭ୍ୟାସ ହୋଇଗଲାଣି। ସେ ପୀଠାସୀନ ଅଧିକାରୀ ଜଗଦମ୍ବିକା ପାଲଙ୍କୁ ସଦନର ଗାରିମାକୁ ଠେସ ପହଞ୍ଚାଉଥିବା ତଥା ବିନା ପ୍ରମାଣରେ ଦେଇଥିବା ବୟାନକୁ ରେକର୍ଡରୁ ହଟାଇବାକୁ ନିବେଦନ କରିଥିଲେ।

ରାହୁଲ ଗାନ୍ଧି କହିଛନ୍ତି କ’ଣ?
​​​​​​​
ସଂସଦରେ ବଜେଟ୍ ଉପରେ ଚର୍ଚ୍ଚା କାଳରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କ ଉପରେ ‘ହୋଲସେଲ ସରେଣ୍ଡର’ର ଆରୋପ ଲଗାଇ କହିଛନ୍ତି ଯେ ଦେଶର ହୀତକୁ ବିଦେଶୀ ଶକ୍ତିଙ୍କ ନିକଟରେ ବିକ୍ରି କରିଦିଆଯାଇଛି। ସେ ଅଭିଯୋଗ କରିଛନ୍ତି ଯେ ଭାରତ ନିଜର ଗୁରୁତ୍ୱପୂର୍ଣ୍ଣ ଡାଟା ଓ କୃଷି କ୍ଷେତ୍ରକୁ ଆମେରିକୀୟ ଫାର୍ମଙ୍କ ହାତକୁ ଟେକି ଦେଇଛି। ଏଣୁ ଭାରତୀୟ ଚାଷୀ ଏବେ ସଂକଟରେ। ସେହିପରି ରାହୁଲ ବିବାଦୀୟ ଏପଷ୍ଟିନ ଫାଇଲର ଉଲ୍ଲେଖ କରି କହିଛନ୍ତି ଯେ କେତେକ ବଡ଼ ବ୍ୟବସାୟୀଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଥାଇ ମଧ୍ୟ ସେମାନେ ଜେଲ ନଯାଇ ଖୋଲା ବୁଲୁଛନ୍ତି, ଯେହେତୁ ସେମାନେ ସରକାରଙ୍କ ନିକଟତମ।

ସେ ଆଦାନୀ ସମୂହକୁ ବିଜେପିର ଫାଇନାନ୍ସିଆଲ ଷ୍ଟ୍ରକ୍ଚର କହି ପ୍ରଧାନମନ୍ତ୍ରୀ ମୋଦି ଚାପରେ ଥିବା ଓ ତାଙ୍କ ଆଖିରେ ଡର ଦେଖାଯାଉଥିବା କହିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ ଭାରତ ସରକାରଙ୍କ ନିଷ୍ପତ୍ତି ଏବେ ନୂଆଦିଲ୍ଲୀରେ ନ ହୋଇ ଆମେରିକାରେ ହେଉଛି।

ଏହା ବି ପଢନ୍ତୁ :-ଆମ ସହ ସମକକ୍ଷ ଭଳି କଥା ହୁଅ, ଚାକର ଭଳି ନୁହେଁ: ଟ୍ରମ୍ପଙ୍କ ପାଇଁ ରାହୁଲଙ୍କ ୩ ମେସେଜ୍