ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ଅଚଳ ହୋଇପଡିଛି। ଏହି ଅଧିବେଶନରେ ଅନେକ ଗରୁତ୍ୱପୂର୍ଣ୍ଣ ବିଧେୟକ ପାରିତ କରିବା ସରକାରଙ୍କ ଏଜେଣ୍ଡାରେ ରହିଛି। ହେଲେ ୩ ଦିନ ହେଲା ଗୃହ କାର୍ଯ୍ୟ ଆରମ୍ଭ ହିଁ ହୋଇ ପାରୁନି। ଏଣୁ ସରକାର ଗତିରୋଧ ସମାପ୍ତ କରି ଅଧିବେଶନକୁ ସୁଚାରୁ ସଞ୍ଚାଳନ କରିବାକୁ ଚାହୁଁଛନ୍ତି। ଏଥି ପାଇଁ ଏବେ ଶାସକ ଦଳ ବିରୋଧୀ ଉଠାଇଥିବା ନିଟ୍ ପେପର ଲିକ୍ ମାମଲାରେ ଚର୍ଚ୍ଚା ଦାବିକୁ ଗ୍ରହଣ କରି ନେଇଛନ୍ତି। ହେଲେ ବି ବିପକ୍ଷ ସଦନକୁ ଆସୁ ନାହାନ୍ତି।
ଏଣୁ ଲୋକସଭା ବାଚସ୍ପତି ଓମ ବିରଳା ଓ ରାଜ୍ୟସଭା ଅଧ୍ୟକ୍ଷ ଡ. ସି.ପି.ରାଧାକୃଷ୍ଣନଙ୍କ ମାଧ୍ୟମରେ ସବୁ ଦଳଙ୍କୁ ଚର୍ଚ୍ଚା ଲାଗି ସହମତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିରୁ ଯାହା ଅନୁମାନ କରାଯାଉଛି ଏବେ ଗତିରୋଧ ଦୂର ହୋଇପାରେ ଓ ଆଗାମୀ ସପ୍ତାହରୁ ସଦନ କାର୍ଯ୍ୟ ସୂଚାରୁ ଚାଲି ପାରେ। ନିଟ-ୟୁଜି ପେପର ଲିକ୍ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିରୋଧୀ ଦଳଙ୍କ ପ୍ରଦର୍ଶନ ପରେ ଲାଗୁଥିଲା ଏହାର ପ୍ରଭାବ ବୁଧବାର ସଂସଦରେ ଦେଖାଯିବ। ଆଜି ତାହା ମଧ୍ୟ ଦେଖା ଯାଇଛି।
ବିରୋଧୀ ଦଳ ସାଂସଦମାନେ ହାତରେ କଳା ପଟ୍ଟି ବାନ୍ଧି ଓ କଳା ପୋଷାକ ପିନ୍ଧି ସଂସଦକୁ ଆସିଥିଲେ। ସଂସଦ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସେମାନେ ସଂସଦ ପରିସରରେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିରୋଧୀ ଦଳ ସାଂସଦଙ୍କ ଏପରି ହଙ୍ଗାମା ସଂସଦର ଉଭୟ ସଦନକୁ ଅଚଳ କରିଛି। ଅନ୍ୟପଟେ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମଙ୍ଗଳବାର ଆନ୍ଦୋଳନ ସ୍ଥଳରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତ କରିଥିଲେ ଯେ ସରକାର ନିଟ୍ ପେପର ଲିକ୍ ସମ୍ପର୍କିତ ସବୁ ପ୍ରସଙ୍ଗରେ ଆଲୋଚନା ଲାଗି ପ୍ରସ୍ତୁତ।
ସେହିପରି ବୁଧବାର ରାଜ୍ୟସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜଜୁ ପ୍ରସ୍ତାବ ରଖି କହିଛନ୍ତି ଯେ ପ୍ରଥମ ଦିନରୁ ସରକାର ନିଟ ପ୍ରଶ୍ନପତ୍ର ଲିକ୍ ମାମଲାରେ ଚର୍ଚ୍ଚା ଲାଗି ପ୍ରସ୍ତୁତ ଅଛନ୍ତି। ସରକାର ପ୍ରସଙ୍ଗରେ ଆଲୋଚନା ଲାଗି ପ୍ରସ୍ତୁତ ଥିବା ନେଇ ସବୁ ଦଳଙ୍କୁ ଜଣାଇ ଦିଆଯାଇଛି। ତେବେ ଚର୍ଚ୍ଚା କେବେ ଓ କେତେ ସମୟ ପର୍ଯ୍ୟନ୍ତ ହେବ ଏହା ଉଭୟ ସଦନର ପୀଠ ନିଷ୍ପତ୍ତି ନେବେ। କିରେଣ ରିଜିଜୁ କହିଛନ୍ତି ଯେ ନିଟ୍ ପେପର ଲିକ୍ ମାମଲାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରତ୍ୟେକ ସୂଚନା ଦେଶବାସୀଙ୍କୁ ଜଣାଇବା ସରକାରଙ୍କ ଦାୟିତ୍ୱ। ତେବେ କଂଗ୍ରେସ ହଟ୍ଟଗୋଳ କରି ଗୃହ କାର୍ଯ୍ୟ ବାଧିତ କରୁଥିବାର ରିଜିଜୁ ଅଭିଯୋଗ କରିଛନ୍ତି। କଂଗ୍ରେସ ଏଥିରେ ଏବେ ସର୍ତ୍ତ ଯୋଡି ପ୍ରସଙ୍ଗର ଚର୍ଚ୍ଚାକୁ ରୋକିବାକୁ ଚାହୁଁଥିବା ସେ କହିଛନ୍ତି।
ଏବେ କୁହାଯାଉଛି ଲୋକସଭା ବାଚସ୍ପତି ଓ ରାଜ୍ୟସଭା ସଭାପତି ସବୁ ଦଳ ନେତାଙ୍କ ସହିତ ଅଲଗା ଅଲଗା ବୈଠକ କରିବେ। ସେମାନେ ସଂସଦ ସଞ୍ଚାଳନ ସୂଚାରୁ କରିବା ପାଇଁ ନିଟ୍ ପେପର ଲିକ୍ ମାମଲାରେ ଚର୍ଚ୍ଚା ଲାଗି ବିରୋଧୀଙ୍କୁ ରାଜି କରିବେ ଓ ଏଥି ପାଇଁ ସମୟ ମଧ୍ୟ ନିର୍ଦ୍ଧାରଣ କରିବେ। ଆଶା କରାଯାଉଛି ସୋମବାର ସଂସଦ ଆରମ୍ଭ ସହ ଚର୍ଚ୍ଚା ଆରମ୍ଭ ହେବାମାତ୍ରେ ସଂସଦ ଗତିରୋଧ ମଧ୍ୟ ସମାପ୍ତ ହୋଇଯିବ।
