ନୂଆଦିଲ୍ଲୀ: ଆମେରିକା- ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ଗତ ସପ୍ତାହରେ ପାକିସ୍ତାନରେ ଏକ ଶାନ୍ତି ଆଲୋଚନା ହୋଇଥିଲା। ଅବଶ୍ୟ ଏହି ଆଲୋଚନା ସଫଳ ହୋଇପାରିନଥିଲା। ଦୁଇ ପକ୍ଷ ବିଫଳତା ପାଇଁ ପରସ୍ପରକୁ ଦାୟୀ କରିଥିଲେ। ଆଉ ବୈଠକ ସରିବା ପରେ ପରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ, ଦୁଇ ପକ୍ଷଙ୍କ ମଧ୍ୟରେ କୌଣସି ଚୁକ୍ତି ହୋଇପାରିନଥିବା କହିଥିଲେ ଏବଂ ପାକିସ୍ତାନରୁ ଫେରିଯାଇଥିଲେ। ତେବେ ଏହି ବୈଠକ ସରିବା ପରେ କିଛି ରୋଚକ ଘଟଣା ଘଟିଥିବା ନେଇ ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଯୁଦ୍ଧବିରାମ ଆଲୋଚନା ବିଫଳ ହୋଇଥିଲା। ଆଉ ସବୁ ପକ୍ଷ ନିଜ ନିଜ ଦେଶକୁ ଫେରିଥିଲେ। କିନ୍ତୁ ଇରାନ ପ୍ରତିନିଧିମଣ୍ଡଳ ସାଧାରଣ ଢଙ୍ଗରେ ଫେରିପାରିନଥିଲେ। ଜଣାପଡ଼ିଛି ପାକିସ୍ତାନ ବାୟୁସେନା ଇରାନର ଦୂତଙ୍କୁ ଇରାନ ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇଥିଲା। କୁହାଯାଉଛି, ଇରାନ ପ୍ରତିନିଧିମଣ୍ଡଳୀ ଭୟ କରୁଥିଲେ ଇସ୍ରାଏଲ ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିପାରେ।

Also Read: ଟ୍ରମ୍ପଙ୍କୁ ଝଟକା ! ଆମେରିକାକୁ ୟୁରାନିୟମ ଦେବ ନାହିଁ ଇରାନ

୧୦ରୁ ଅଧିକ ବିମାନ କରାଯାଇଥିଲା ନିୟୋଜିତ

ରିପୋର୍ଟ ଅନୁସାରେ, ଆଲୋଚନା ବିଫଳ ହେବା ପରେ ଇରାନ ପ୍ରତିନିଧିମଣ୍ଡଳ ସନ୍ଦେହ କରିଥିଲେ ଯେ, ତାଙ୍କୁ ଟାର୍ଗେଟ କରାଯାଇପାରେ। ଏମିତିରେ ଇରାନର ପ୍ରତିନିଧିମଣ୍ଡଳୀରେ ଥିବା ମହମ୍ମଦ- ବଘେର ଗାଲିବଫ, ଅବ୍ବାସ ଆରାଘାଚୀ ଏବଂ ଅଲୀ ବଘେଲଙ୍କ ସୁରକ୍ଷା ପାଇଁ ଦୁଇ ଡର୍ଜନରୁ ଅଧିକ ଜେଟ ବିମାନ ନିୟୋଜିତ କରାଯାଇଥିଲା। ପାକିସ୍ତାନ ବାୟୁ ସେନା ଇସଲାମାବାଦରୁ ଫେରୁଥିବା ପ୍ରତିନିଧିମଣ୍ଡଳୀର ସୁରକ୍ଷା ପାଇଁ ଆକାଶରୁ ନିରୀକ୍ଷଣ କରୁଥିଲେ। ତେବେ ଏପର୍ଯ୍ୟନ୍ତ ଏନେଇ ଇସ୍ରାଏଲ କିମ୍ବା ଇରାନ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।