ଲାହୋର: ପାକିସ୍ତାନ ସରକାର ଲାହୋରର ଐତିହାସିକ ସ୍ମୃତି ଫେରାଇ ଆଣିବା ପାଇଁ ଏହାର ଛକ ବଜାରକୁ ସ୍ୱାଧୀନତା ପୂର୍ବର ପୁରୁଣା ହିନ୍ଦୁ ନାମକରଣଗୁଡ଼ିକୁ ପୁନଃ ସ୍ଥାପିତ କରୁଥିଲେ। ଲାହୋର ତା’ର ଐତିହାସକି ପରିଚୟ କାଏମ ରଖିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ। ହେଲେ ଆତଙ୍କବାଦୀର ଦେଶର ପାକିସ୍ତାନର ଚରମପନ୍ଥୀମାନଙ୍କୁ ଏକଥା ଆଦୌ ହଜମ ହେଲାନି। ସେମାନେ ଏହାର ତୀବ୍ର ବିରୋଧ କରିଥିଲେ। ଶେଷରେ ଏହି ଚରମପନ୍ଥୀମାନଙ୍କ ପାଖରେ ପାକିସ୍ତାନର ପଞ୍ଜାବ ସରକାର ମୁଣ୍ଡ ନଇଁଛନ୍ତି। ଏହି ପୁରୁଣା ନାମକରଣର ପୁନରୁଦ୍ଧାର ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି।

ସୋସିଆଲ ମିଡିଆରେ ଚରମପନ୍ଥୀ (Extremists) ଏବଂ ସମାଲୋଚକଙ୍କ ତୀବ୍ର ବିରୋଧର ସମ୍ମୁଖୀନ ହେବା ପରେ ପାକିସ୍ତାନର ପଞ୍ଜାବ ପ୍ରଦେଶ ସରକାର ନିଜ ନିଷ୍ପତ୍ତିରୁ ଓହରି ଯାଇଛନ୍ତି। ରାଜଧାନୀ ଲାହୋରର କେତେକ ପ୍ରମୁଖ ରାସ୍ତା, ଛକ ଏବଂ ଅଞ୍ଚଳର ନାମକୁ ବଦଳାଇ ପୁଣିଥରେ ଦେଶ ବିଭାଜନ ପୂର୍ବର (Pre-Partition) ହିନ୍ଦୁ, ଶିଖ୍ ଏବଂ ବ୍ରିଟିଶ କାଳର ପୁରୁଣା ନାମରେ ନାମିତ କରିବା ପାଇଁ ଯେଉଁ ଯୋଜନା କରାଯାଇଥିଲା, ତାହାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି।

Also Read - China Microbe Technology: ଚୀନର ଚମତ୍କାର, ମାତ୍ର ୧୦ ମାସରେ ମରୁଭୂମିକୁ ଉର୍ବର ମାଟିରେ ପରିଣତ କରୁଛି ଏହି ବିଶେଷ ବ୍ୟାକ୍ଟେରିଆ

ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ନେତୃତ୍ୱାଧୀନ ସରକାର ଗତ ମାର୍ଚ୍ଚ ମାସରେ ଲାହୋରର ଐତିହାସିକ ସ୍ଥାନଗୁଡ଼ିକର ପୁରୁଣା ନାମ ଫେରାଇ ଆଣିବାକୁ ଏକ ପ୍ରସ୍ତାବ ଆଣିଥିଲେ। ଏଥିପାଇଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମଏଲ-ଏନ (PML-N) ମୁଖ୍ୟ ନୱାଜ ସରିଫଙ୍କ ଅଧ୍ୟକ୍ଷତାରେ 'ଲାହୋର ହେରିଟେଜ୍ ଏରିଆଜ୍ ରିଭାଇଭାଲ' (LHAR) କମିଟି ଗଠନ କରାଯାଇଥିଲା। ମାର୍ଚ୍ଚ ୧୬ ତାରିଖରେ ନୱାଜ ସରିଫ ଏବଂ ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲାହୋରର ରାସ୍ତା, ବଜାର ଓ ମହଲାଗୁଡ଼ିକର ପୁରୁଣା ଐତିହାସିକ ନାମକୁ ପୁନରୁଦ୍ଧାର କରିବା ପାଇଁ ସବୁଜ ସଙ୍କେତ ମିଳିଥିଲା। ପରେ ମଇ ମାସରେ ମରିୟମ ନୱାଜଙ୍କ କ୍ୟାବିନେଟ୍ ମଧ୍ୟ ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ।

ବହୁ କୋଟି ଟଙ୍କାର ଐତିହ୍ୟ ପ୍ରକଳ୍ପ

ଏହି ନାମ ପରିବର୍ତ୍ତନ ଯୋଜନାଟି 'ଲାହୋର ଅଥରିଟି ଫର ହେରିଟେଜ୍ ରିଭାଇଭାଲ' (LAHR) ଅଧୀନରେ ଥିବା ଏକ ବହୁ କୋଟି ଟଙ୍କାର ମେଗା ପ୍ରକଳ୍ପର ଅଂଶବିଶେଷ ଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲାହୋର ସହରର ପୁରୁଣା ସ୍ଥାପତ୍ୟ ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ କରିବା। ପାକିସ୍ତାନ ସରକାର ଦର୍ଶାଇଥିଲେ ଯେ ୟୁରୋପୀୟ ଦେଶଗୁଡ଼ିକ ଭଳି ସେମାନେ ମଧ୍ୟ ନିଜ ସହରର ବହୁମୁଖୀ ସାଂସ୍କୃତିକ ଇତିହାସକୁ ବଞ୍ଚାଇ ରଖିବାକୁ ଚାହାଁନ୍ତି, ଯାହାଦ୍ୱାରା ପର୍ଯ୍ୟଟନର ବିକାଶ ହୋଇପାରିବ।

କେଉଁ ସ୍ଥାନର ନାମ ବଦଳିବାକୁ ଥିଲା?

ଏହି ପ୍ରସ୍ତାବ ଅନୁଯାୟୀ, ଦେଶ ବିଭାଜନ ପରେ ମୁସଲିମ କିମ୍ବା ପାକିସ୍ତାନୀ ନେତାଙ୍କ ନାମରେ ନାମିତ ହୋଇଥିବା ସ୍ଥାନଗୁଡ଼ିକୁ ପୁଣି ପୁରୁଣା ନାମ ଦିଆଯିବାର ଥିଲା
ଫାତିମା ଜିନ୍ନା ରୋଡର ନାମ ବଦଳାଇ ପୁଣି 'କୁଇନ୍ସ ରୋଡ୍' (Queen's Road) କରାଯିବାର ଥିଲା।
ଅଲ୍ଲାମା ଇକବାଲ୍ ରୋଡ୍‌କୁ ପୁଣି 'ଜେଲ୍ ରୋଡ୍' (Jail Road)କରିବାକୁ ପ୍ରସ୍ତାବ ଥିଲା।
ବିଭାଜନ ପରେ 'କୃଷ୍ଣ ନଗର'ର ନାମ ବଦଳାଇ 'ଇସଲାମପୁର' କରାଯାଇଥିଲା, ଯାହାକୁ ପୁଣି 'କୃଷ୍ଣ ନଗର' କରିବାକୁ ସ୍ଥିର ହୋଇଥିଲା।
ମୌଲାନା ଜାଫର ଅଲ୍ଲୀ ଖାନ ଚୌକକୁ ପୁଣି 'ଲକ୍ଷ୍ମୀ ଚୌକ' କରାଯିବାର ଥିଲା।

ଏହା ସହିତ ମୁସ୍ତଫାବାଦକୁ 'ଧର୍ମପୁର', ହାମିଦ ନିଜାମୀ ରୋଡକୁ 'ଟେମ୍ପଲ ଷ୍ଟ୍ରିଟ୍' ଏବଂ ବାବ୍ରୀ ମସଜିଦ ଚୌକକୁ ପୁଣି 'ଜୈନ ମନ୍ଦିର ରୋଡ୍' ନାମରେ ନାମିତ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା।

ଚରମପନ୍ଥୀ ଓ ବ୍ଲଗରଙ୍କ ବିରୋଧ ଯୋଗୁ ୟୁ-ଟର୍ଣ୍ଣ

ସରକାରଙ୍କ ଏହି ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ପାକିସ୍ତାନର କେତେକ ଚରମପନ୍ଥୀ ସଂଗଠନ ଏବଂ ସୋସିଆଲ ମିଡିଆ ବ୍ଲଗର (vloggers) ଏହାକୁ ତୀବ୍ର ବିରୋଧ କରିଥିଲେ। ସେମାନେ ଏହି ନିଷ୍ପତ୍ତିକୁ ଏକ ଧାର୍ମିକ ରଙ୍ଗ ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କୁ ଟାର୍ଗେଟ୍ କରିଥିଲେ। ସେମାନଙ୍କର ଅଭିଯୋଗ ଥିଲା ଯେ ସରକାର ପାକିସ୍ତାନରେ 'ହିନ୍ଦୁ ଏବଂ ଶିଖ୍' ସଂସ୍କୃତିକୁ ପୁନର୍ଜୀବିତ କରୁଛନ୍ତି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଧାର୍ମିକ ଏବଂ ସାମାଜିକ ବିରୋଧ କାରଣରୁ ମରିୟମ ନୱାଜ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରତିରକ୍ଷାତ୍ମକ ମୁଦ୍ରାକୁ ଚାଲିଯାଇଛି ଏବଂ କୌଣସି ପ୍ରକାରର ଆଇନ ଶୃଙ୍ଖଳା ପରିସ୍ଥିତି କିମ୍ବା ଆକ୍ରୋଶରୁ ବର୍ତ୍ତିବା ପାଇଁ ଏହି ନିଷ୍ପତ୍ତିକୁ ସ୍ଥଗିତ (Deferred) ରଖିଛି। ଲାହୋରର ଡେପୁଟି କମିଶନର କ୍ୟାପଟେନ (ଅବସରପ୍ରାପ୍ତ) ମହମ୍ମଦ ଅଲ୍ଲୀ ଇଜାଜ୍ ଏହି ପ୍ରସଙ୍ଗରେ ସଫେଇ ଦେଇ କହିଛନ୍ତି ଯେ, "ଏପର୍ଯ୍ୟନ୍ତ ଏଭଳି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ, ଏହି ବିଷୟରେ କେବଳ ଆଲୋଚନା ଚାଲିଛି।"

ବୁଦ୍ଧିଜୀବୀଙ୍କ ସମର୍ଥନ ସତ୍ତ୍ୱେ ହାରିଲେ ସରକାର

ବିରୋଧ ମଧ୍ୟରେ LHAR ପକ୍ଷରୁ ଇତିହାସକାର, ବିଦ୍ୱାନ, ସ୍ଥାପତ୍ୟ ଶିଳ୍ପୀ ଏବଂ ସହର ଯୋଜନାକାରୀଙ୍କୁ ନେଇ ଏକ ପରାମର୍ଶଦାତା ବୈଠକ ମଧ୍ୟ ଡକାଯାଇଥିଲା। ବୈଠକରେ ସମସ୍ତ ବୁଦ୍ଧିଜୀବୀ ଏକମତ ହୋଇଥିଲେ ଯେ ଲାହୋରର ଐତିହାସିକ ସଂସ୍କୃତି ଏବଂ ପୁରୁଣା ନାମଗୁଡ଼ିକ ସହରର ଏକ ଅମୂଲ୍ୟ ସମ୍ପତ୍ତି ଏବଂ ଆଗାମୀ ପିଢ଼ି ପାଇଁ ଏହାର ସଂରକ୍ଷଣ ଜରୁରୀ। ଅଧିକାଂଶ ସଦସ୍ୟ ପୁରୁଣା ନାମ ଫେରାଇବା ସପକ୍ଷରେ ମତ ଦେଇଥିଲେ। ମାତ୍ର ଶେଷରେ ଇତିହାସ ଓ ବିଦ୍ୱାନଙ୍କ ଯୁକ୍ତି ଅପେକ୍ଷା କଟ୍ଟରପନ୍ଥୀ ଏବଂ ସୋସିଆଲ ମିଡିଆର ଚାପ ଆଗରେ ସରକାରଙ୍କୁ ନତମସ୍ତକ ହେବାକୁ ପଡ଼ିଛି।