China is turn desert into fertile soil: ମରୁଭୂମିର ଶୁଖିଲା ବାଲିକୁ ସୁଜଳା-ସୁଫଳା ଜମିରେ ପରିଣତ କରିବା ପାଇଁ ଚୀନର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଚୀନର 'ଶାପୋଟୋଉ ଡେଜର୍ଟ ଏକ୍ସପେରିମେଣ୍ଟାଲ ରିସର୍ଚ୍ଚ ଷ୍ଟେସନ' (Shapotou Desert Experimental Research Station) ର ଗବେଷକମାନେ ଏକ ନୂଆ ବାୟୋ-ଟେକ୍ନୋଲୋଜି ବିକଶିତ କରିଛନ୍ତି, ଯାହା ମାତ୍ର ୧୦ ମାସ ମଧ୍ୟରେ ମରୁଭୂମିର ବାଲିକୁ ଗଛଲତା ବଢ଼ିବା ଉପଯୋଗୀ ଉର୍ବର ମାଟିରେ ବଦଳାଇ ଦେଇପାରୁଛି।

କେମିତି କାମ କରେ ଏହି ଟେକ୍ନୋଲୋଜି?
ବୈଜ୍ଞାନିକମାନେ ଏହି ପ୍ରକ୍ରିୟାରେ 'ସ୍ୟାନୋବ୍ୟାକ୍ଟେରିଆ' (Cyanobacteria) ନାମକ ଏକ ପ୍ରକାର ଅତି ସୂକ୍ଷ୍ମ ଜୀବାଣୁଙ୍କର ବ୍ୟବହାର କରିଛନ୍ତି। ଏହି ବ୍ୟାକ୍ଟେରିଆଗୁଡ଼ିକ ମରୁଭୂମିର ପ୍ରତିକୂଳ ଓ ଶୁଖିଲା ପରିବେଶରେ ମଧ୍ୟ ଅଳ୍ପ ପାଣି ପାଇ ଜୀବିତ ରହିପାରନ୍ତି। ଯେତେବେଳେ ଲାବୋରେଟୋରୀରେ ପ୍ରସ୍ତୁତ ଏହି ବ୍ୟାକ୍ଟେରିଆକୁ ମରୁଭୂମି ବାଲିରେ ସ୍ପ୍ରେ କରାଯାଏ, ସେମାନେ ବଂଶବୃଦ୍ଧି କରିବା ସହ ଏକ ପ୍ରକାର ଅଠାଳିଆ ଶର୍କରା (Sugary substance) ନିର୍ଗତ କରନ୍ତି। ଏହି ଅଠା ବାଲିର କଣିକାଗୁଡ଼ିକୁ ପରସ୍ପର ସହ ଶକ୍ତ ଭାବେ ବାନ୍ଧି ରଖେ, ଯାହାଦ୍ୱାରା ମାଟି ଉପରେ ଏକ ଜୀବନ୍ତ ସ୍ତର ବା 'ବାୟୋଲୋଜିକାଲ ସଏଲ କ୍ରଷ୍ଟ' (Biological Soil Crusts - BSCs) ତିଆରି ହୁଏ।

Also Read- Marco Rubio India Visit Controversy: ଟ୍ରମ୍ପଙ୍କୁ ପରୋକ୍ଷରେ ମୂର୍ଖ କହିଲେ ରୁବିଓ, ଭାଇରାଲ ହେଲା ପରେ ଡିଲିଟ୍ ହେଲା ଭିଡିଓ...!

ଏହାର ମୁଖ୍ୟ ଫାଇଦା:

ପବନରୁ ସୁରକ୍ଷା: ଏହି ଶକ୍ତ ସ୍ତର ଯୋଗୁଁ ପ୍ରବଳ ପବନରେ ମଧ୍ୟ ମରୁଭୂମିର ବାଲି ଉଡ଼ିଯାଏ ନାହିଁ। ପରୀକ୍ଷଣରୁ ଜଣାପଡ଼ିଛି ଯେ ଏହା ବାଲି ଉଡ଼ିବା ପ୍ରକ୍ରିୟାକୁ ୯୦% ରୁ ଅଧିକ କମାଇ ଦେଇଥାଏ।ଜଳଧାରଣ କ୍ଷମତା: ସାମାନ୍ୟ ବର୍ଷା ହେଲେ ମଧ୍ୟ ଏହି ସ୍ତର ବାଲି ଭିତରେ ଆଦ୍ରତା ବା ଓଦାଭାବ ବଜାୟ ରଖେ।
ପୋଷକ ତତ୍ତ୍ୱ ବୃଦ୍ଧି: ଏହି ଜୀବାଣୁ ଯୋଗୁଁ ପ୍ରାକୃତିକ ମରୁଭୂମି ତୁଳନାରେ ମାଟିରେ ଜୈବିକ ଅଙ୍ଗାରକ (Organic Carbon) ୩ ଗୁଣା ଏବଂ ନାଇଟ୍ରୋଜେନ ପ୍ରାୟ ୧୫ ଗୁଣା ବୃଦ୍ଧି ପାଇଥାଏ।

ପ୍ରାକୃତିକ ଭାବେ ମରୁଭୂମିରେ ଏଭଳି ସ୍ତର ତିଆରି ହେବାକୁ ଦଶନ୍ଧି ଦଶନ୍ଧି ବା ବହୁ ବର୍ଷ ସମୟ ଲାଗୁଥିବା ବେଳେ ଏହି ନୂଆ ଟେକ୍ନୋଲୋଜି ମାତ୍ର ୧୦ ରୁ ୧୬ ମାସରେ ଏହା ସମ୍ଭବ କରିପାରୁଛି। ପୃଥିବୀରେ ବଢ଼ୁଥିବା ମରୁଭୂମିକରଣ (Desertification) ସମସ୍ୟାର ସମାଧାନ ଏବଂ ସବୁଜିମା ଫେରାଇ ଆଣିବାରେ ଏହି ବୈଜ୍ଞାନିକ ଉଦ୍ଭାବନ ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।