ଇସ୍ଲାମାବାଦ: ସାଉଦି ଆରବ ଓ ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ବଡ଼ ବୟାନ ଦେଇଛି। ମକ୍କା ନିକଟରେ ହୁତୀ ବିଦ୍ରୋହୀଙ୍କ ଡ୍ରୋନ୍ ଆକ୍ରମଣ ଉଦ୍ୟମ ଅଭିଯୋଗ ପରେ ସାଉଦି ଆରବ ସହ ହୋଇଥିବା ପ୍ରତିରକ୍ଷା ଚୁକ୍ତିକୁ ପୂର୍ଣ୍ଣ ଭାବେ ପାଳନ କରିବ ବୋଲି ଇସଲାମାବାଦ ସ୍ପଷ୍ଟ କରିଛି। ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି, ମକ୍କା ଚୁକ୍ତି ପାକିସ୍ତାନ ପାଇଁ ଲାଗୁ ହୁଏ ଏବଂ ଦେଶ ନିଜ ଦାୟିତ୍ୱ ପାଳନ କରିବାକୁ ପ୍ରସ୍ତୁତ।

ଅଗଷ୍ଟ ୭ରେ ପାକିସ୍ତାନ, ସାଉଦି ଆରବ ଓ ତୁର୍କୀ ମଧ୍ୟରେ ଏହି ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଚୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାମୂହିକ ପ୍ରତିରୋଧ ଓ ପ୍ରତିରକ୍ଷା ସହଯୋଗ। ଏହା ଅନୁସାରେ, ତିନି ଦେଶ ମଧ୍ୟରୁ କୌଣସି ଗୋଟିଏ ଦେଶ ଉପରେ ସଶସ୍ତ୍ର ଆକ୍ରମଣ ହେଲେ ତାହାକୁ ତିନି ଦେଶ ଉପରେ ଆକ୍ରମଣ ଭାବେ ବିଚାର କରାଯିବ। ତେଣୁ ହୁତି ଆକ୍ରମଣକୁ ନେଇ ଏହି ଚୁକ୍ତିର ପ୍ରାସଙ୍ଗିକତା ଏବେ ଚର୍ଚ୍ଚାରେ ରହିଛି।

ସାଉଦି କର୍ତ୍ତୃପକ୍ଷ କହିଛନ୍ତି, ମକ୍କାର ଦକ୍ଷିଣ ଅଞ୍ଚଳରେ ଏକ ହୁତୀ ଡ୍ରୋନ୍କୁ ସାଉଦି ଏୟାର ଡିଫେନ୍ସ ଚିହ୍ନଟ କରି ଧ୍ୱଂସ କରିଥିଲା। ଡ୍ରୋନ୍ଟି ମକ୍କାର ନିଷିଦ୍ଧ ଆକାଶସୀମାରେ ପ୍ରବେଶ କରିବା ପୂର୍ବରୁ ଧ୍ୱଂସ କରାଯାଇଥିବା ସାଉଦି ପକ୍ଷରୁ କୁହାଯାଇଛି। ତେବେ ହୁତୀ ବିଦ୍ରୋହୀମାନେ ମକ୍କା କିମ୍ବା କୌଣସି ଇସଲାମୀୟ ପବିତ୍ର ସ୍ଥାନକୁ ଟାର୍ଗେଟ୍ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ ମଧ୍ୟ ଚୁକ୍ତି ପାଳନ ନେଇ ନିଜର ସ୍ଥିତି ସ୍ପଷ୍ଟ କରିଛି। ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ସଜ୍ଜାଦ ହାଇଦର ଖାନ କହିଛନ୍ତି, ପାକିସ୍ତାନ ଚୁକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିବଦ୍ଧ। କିନ୍ତୁ କେବେ, କେଉଁଠି, କେଉଁ ପ୍ରକାରର ସାମରିକ ଶକ୍ତି ବ୍ୟବହାର ହେବ କିମ୍ବା କେଉଁ ଟାର୍ଗେଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ, ସେସବୁ ବିଷୟରେ ଏବେ ସାର୍ବଜନୀନ ଭାବେ କିଛି କୁହାଯିବ ନାହିଁ। ଏହାକୁ ସେ ‘ଅପରେସନାଲ କନ୍ଫିଡେନ୍ସିଆଲିଟି’ ବୋଲି କହିଛନ୍ତି।

ପାକିସ୍ତାନୀ ସେନା ମଧ୍ୟ ଚୁକ୍ତିର ସାମରିକ ଓ ଅପରେସନାଲ ବିବରଣୀକୁ ଗୋପନୀୟ ରଖିଛି। ପାକିସ୍ତାନର ଡିଫେନ୍ସ ଅଧିକାରୀମାନେ ଏହି ଚୁକ୍ତିକୁ ପ୍ରତିରକ୍ଷାମୂଳକ ଓ ସାମୂହିକ ପ୍ରତିରୋଧ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ଏହାର କୌଣସି ଆଞ୍ଚଳିକ ଆକ୍ରମଣାତ୍ମକ ଉଦ୍ଦେଶ୍ୟ ନାହିଁ ବୋଲି ପାକିସ୍ତାନୀ ସେନା ପକ୍ଷରୁ କୁହାଯାଇଛି।

ଏହି ସମୟରେ ରେଡ୍ ସି ଓ ବାବ୍-ଏଲ୍-ମାନ୍ଦେବ୍ ଅଞ୍ଚଳରେ ବଢୁଥିବା ହୁଥି କାର୍ଯ୍ୟକଳାପକୁ ନେଇ ମଧ୍ୟ ପାକିସ୍ତାନ ଚିନ୍ତା ପ୍ରକାଶ କରିଛି। ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ କହିଛି, ଏହି ଅଞ୍ଚଳରେ ଅସ୍ଥିରତା ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ ଓ ଅଞ୍ଚଳୀୟ ଅର୍ଥନୀତିକୁ ପ୍ରଭାବିତ କରୁଛି। ପାକିସ୍ତାନ ଯୁଦ୍ଧ କିମ୍ବା ବଳ ପ୍ରୟୋଗ ପରିବର୍ତ୍ତେ ଆଲୋଚନା ଓ କୂଟନୀତି ମାଧ୍ୟମରେ ଶାନ୍ତି ଓ ସ୍ଥିରତା ଆଣିବା ଉପରେ ଜୋର ଦେଇଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ସାଉଦି ଆରବକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ମକ୍କା ନିକଟରେ ହୋଇଥିବା ଡ୍ରୋନ୍ ଆକ୍ରମଣ ଉଦ୍ୟମକୁ ସେ ନିନ୍ଦା କରିବା ସହ ସମସ୍ତ ପକ୍ଷକୁ ସଂଯମ ରକ୍ଷା କରିବା ଏବଂ ଉତ୍ତେଜନା ଆହୁରି ନ ବଢ଼ାଇକୁ ସେ ଆହ୍ୱାନ ଦେଇଛନ୍ତି। ଏପଟେ ତୁର୍କୀ ମଧ୍ୟ ସାଉଦି ଆରବ ଉପରେ ହୁତୀ ଡ୍ରୋନ୍ ଆକ୍ରମଣକୁ ନିନ୍ଦା କରିଛି।

ତେବେ ସାଉଦି ଆରବ ପକ୍ଷରୁ ଏହି ନୂଆ ଉତ୍ତେଜନା ପରିପ୍ରେକ୍ଷୀରେ ପାକିସ୍ତାନକୁ ସାମରିକ ସହାୟତା ପାଇଁ କୌଣସି ଔପଚାରିକ ଅନୁରୋଧ କରାଯାଇଛି କି ନାହିଁ, ସେନେଇ ଏବେ ସ୍ପଷ୍ଟ ସୂଚନା ନାହିଁ। ତେଣୁ ଚୁକ୍ତି ପାଳନ ନେଇ ପାକିସ୍ତାନର ଘୋଷଣା ଥିଲେ ମଧ୍ୟ ବାସ୍ତବ ସାମରିକ ପଦକ୍ଷେପ କ’ଣ ହେବ, ତାହାକୁ ନେଇ ଅପରେସନାଲ ବିବରଣୀ ଗୋପନୀୟ ରହିଛି।