ଇସଲାମାବାଦ/କ୍ୱେଟା: ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନ ପ୍ରଦେଶରେ ପୁଣି ଥରେ ରକ୍ତପାତ ଦେଖିବାକୁ ମିଳିଛି। ବିଦ୍ରୋହୀ ସଂଗଠନ ବଲୁଚିସ୍ତାନ ଲିବରେସନ ଆର୍ମି (BLA) ପାକିସ୍ତାନୀ ସେନା ଉପରେ ଦୁଇଟି ପୃଥକ ଓ ଭୟଙ୍କର ଆକ୍ରମଣ କରି ପ୍ରାୟ ୨୫ ଜଣ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି। ଏହାସହ ନିଜର ଆକ୍ରମଣ ଓ ସେନା ଗାଡ଼ି ଜଳୁଥିବାର ଏକ ସିନେମାଟିକ୍ ଶୈଳୀର ଭିଡିଓ ଜାରି କରି ସାରା ବିଶ୍ୱକୁ ଚକିତ କରିଦେଇଛି।

ବିଏଲଏର ଅଫିସିଆଲ୍ ମିଡିଆ ଚ୍ୟାନେଲ୍ 'ହକ୍କାଲ୍' (Hakkal) ମାଧ୍ୟମରେ ୧ ମିନିଟ୍ ୧୧ ସେକେଣ୍ଡର ଏକ ଭିଡିଓ ଟ୍ରେଲର ଜାରି କରାଯାଇଛି। ଏହି ଭିଡିଓରେ ସଶସ୍ତ୍ର ବଲୋଚ ବିଦ୍ରୋହୀମାନେ ଜଳୁଥିବା ପାକିସ୍ତାନୀ ସେନା ଗାଡ଼ି ନିକଟରେ ଛିଡ଼ା ହୋଇଥିବା, ମୃତଦେହ ପଡ଼ିଥିବା ଏବଂ ସେନାଠାରୁ ପ୍ରଚୁର ମାତ୍ରାରେ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଉଥିବାର ଦୃଶ୍ୟ ରହିଛି।

Also Read: ବୋଲିଭିଆ ସେନା କ୍ୟାମ୍ପରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ, ୬୦ରୁ ଅଧିକ ଆହତ

ଜିୟାରତ କ୍ରସ୍ ଏବଂ ସୁରାବରେ ଦୁଇଟି ପୃଥକ ଆକ୍ରମଣ

ବିଏଲଏର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ପ୍ରଥମ ଆକ୍ରମଣଟି 'ଜିୟାରତ କ୍ରସ୍' ନିକଟରେ ଘଟିଥିଲା। ସେଠାରେ ବଲୋଚ ବିଦ୍ରୋହୀମାନେ ପାକିସ୍ତାନୀ ସେନାର ଏକ କନଭୟକୁ ଘେରି ଯାଇ ଆକ୍ରମଣ କରିଥିଲେ। ଏଥିରେ ସେନାର ଏକ ଟ୍ରକ୍ ସହ ଦୁଇଟି ଗାଡ଼ି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ପ୍ରଥମେ ୧୮ ଜଣ ସୈନିକ ମରିଥିବା କୁହାଯାଇଥିଲେ ବି ପରେ ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି ପାଇଥିଲା।

ଦ୍ୱିତୀୟ ଆକ୍ରମଣଟି ସୁରାବ୍ର 'ହାଜିକା' ଅଞ୍ଚଳରେ ଘଟିଥିଲା। ବିଏଲଏର ସ୍ପେଶାଲ ଟାକ୍ଟିକାଲ ଅପରେସନ୍ସ ସ୍କ୍ୱାଡ୍ (STOS) ରିମୋଟ୍ କଣ୍ଟ୍ରୋଲ୍ ସାହାଯ୍ୟରେ ବିସ୍ଫୋରକ ଭରା ଗାଡ଼ିକୁ ଉଡ଼ାଇ ଦେଇଥିଲା। ଏହି ବିସ୍ଫୋରଣରେ ଅନ୍ୟ ଏକ ସେନା ଗାଡ଼ି ନଷ୍ଟ ହେବା ସହ ୭ ଜଣ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିଲେ।

Also Read: LACରେ ଭାରତର ‘ମାଷ୍ଟରପ୍ଲାନ୍’ ! ଚୀନ୍ ସୀମାକୁ ଅସ୍ତ୍ର ପହଞ୍ଚାଇବାକୁ ତିଆରି ହେଉଛି ନୂଆ ମାର୍ଗ

ସୂଚନାଯୋଗ୍ୟ, ବିଗତ ଅନେକ ମାସ ଧରି ବିଏଲଏ ପାକିସ୍ତାନୀ ସେନାକୁ ଟାର୍ଗେଟ୍ କରି ଆସିଛି। ବିଏଲଏ ଦାବି କରିଛି ଯେ, ଗତମାସରେ ଅନେକ ପ୍ରାନ୍ତରେ ତାଙ୍କ ଅକ୍ରମଣରେ ପାକିସ୍ତାନୀ ସେନାର ୩୩ ଜନଙ୍କ ମୃତ୍ୟୁ ଘଟିଥିଲା। ବିଏଲଏ ୨୦୨୪ରେ ପାକିସ୍ତାନ ସେନା ବିରୋଧରେ ଏହି ରକ୍ତପାତ ଆକ୍ରମଣ ପାଇଁ ‘ଅପରେସନ ହେରଫ’ ଆରମ୍ଭ କରିଥିଲା।

ସତ୍ୟ ଲୁଚାଉଛି ପାକିସ୍ତାନ ସେନା ?

ବଲୋଚିସ୍ତାନରେ ବିଏଲଏର ଆକ୍ରମଣ ଦିନକୁ ଦିନ ଅଧିକ ଆକ୍ରମଣାତ୍ମକ ହେବାରେ ଲାଗିଛି। ସାଧାରଣତଃ ପାକିସ୍ତାନୀ ସେନା ନିଜର ମୃତାହତ ସୈନିକଙ୍କ ପ୍ରକୃତ ସଂଖ୍ୟା ଲୁଚାଇବାକୁ ଚେଷ୍ଟା କରିଥାଏ। ମାତ୍ର ବିଏଲଏ ଭିଡିଓ ପ୍ରମାଣ ସହ ଆକ୍ରମଣର ଦାବି କରିବାରୁ ପାକିସ୍ତାନ ସରକାର ଓ ସେନା ପାଇଁ ପରିସ୍ଥିତି ଆହୁରି ଅସମ୍ଭାଳ ହୋଇପଡ଼ିଛି। ବିଏଲଏ ସ୍ପଷ୍ଟ କରିଛି ଯେ ଏହି ଆକ୍ରମଣର ପୂର୍ଣ୍ଣାଙ୍ଗ ଭିଡିଓ ଖୁବଶୀଘ୍ର ସାର୍ବଜନୀନ କରାଯିବ।