ନୂଆଦିଲ୍ଲୀ ୦୫।୦୯; ବୋଲିଭିଆରେ ବଡ ଅଘଟଣ। ରାଜଧାନୀ ଲା-ପାଜ୍ ଠାରୁ ପ୍ରାୟ ୩୦ କିଲୋମିଟର ଦୂର ଭିୟାଚା ସ୍ଥିତ ଏକ ସେନା କ୍ୟାମ୍ପରେ ବିସ୍ଫୋରଣ ଘଟିଛି। ଶୁକ୍ରବାର ଅପରାହ୍ନରେ ଘଟିଥିବା ଏହି ଦୁର୍ଘଟଣାରେ ଅତିକମରେ ୧୦ ଜଣଙ୍କର ପ୍ରାଣହାନୀ ଘଟିଥିବାବେଳେ ଡଜନ ଡଜନ ଲୋକ ଆହତ ହୋଇଛନ୍ତି।

ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୨:୩୦ ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଯେଉଁ ଅଞ୍ଚଳରେ ଆତସବାଜି ଗଚ୍ଛିତ ଥିଲା। ସେଠାରେ ହଠାତ୍ ଏହି ବିସ୍ଫୋରଣ ହେବାରୁ ଚାରିଆଡ଼େ ଆତଙ୍କ ଖେଳିଯାଇଥିଲା। ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭିୟାଚାର ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ। ଆହତମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଲା ପାଜ୍ ର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଆହତମାନଙ୍କ ମଧ୍ୟରେ ଜଣେ ନାବାଳିକା ଗୁରୁତର ଭାବେ ପୋଡ଼ି ଯାଇଥିବା ଜଣାପଡ଼ିଛି। ବିସ୍ଫୋରଣର ଶକ୍ତି ଏତେ ପ୍ରଚଣ୍ଡ ଥିଲା ଯେ, ଏହାର ପ୍ରଭାବରେ ନିକଟସ୍ଥ ଅନେକ ଘରର ଝରକା କାଚ ଭାଙ୍ଗି ଚୂର୍ଣ୍ଣ ହୋଇଯାଇଛି ଏବଂ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଛି। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।