ନୂଆଦିଲ୍ଲୀ: ପାକିସ୍ତାନରେ ଶାହବାଜ ସରିଫ ସରକାରଙ୍କ ବିରୋଧରେ ଭିତରେ ଭିତରେ ଖେଳ ଚାଲିଛି। ପାକିସ୍ତାନ ପ୍ୟୁପିଲସ୍ ପାର୍ଟି(ପିପିପି) ମୁଖ୍ୟ ବିଲାୱଲ ଭୁଟ୍ଟୋ ଜେଲରେ ଥିବା ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ସହିତ ହତା ମିଳାଇବାକୁ ପ୍ରସ୍ତୁତି କରିସାରିଲାଣି। ଏହି ମେଣ୍ଟ ଗିଲଗିଟ୍ ବାଲଟିସ୍ତାନରୁ ଆରମ୍ଭ ହୋଇପାରେ, ଯେଉଁଠି ନିକଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି।

ଜିଓ ନ୍ୟୁଜ୍ ଊର୍ଦ୍ଦୁ ଅନୁସାରେ ଗିଲଗିଟ ବାଲଟିସ୍ତାନ ମୋଟ ୨୪ଟି ଆସନ ରହିଛି ଓ ଏଠାରେ ସରକାର ଗଢିବା ପାଇଁ ୧୩ ଜଣ ବିଧାୟକଙ୍କ ସମର୍ଥନ ଜରୁରି। ଏଥର ବିଲାୱଲଙ୍କ ପାର୍ଟି ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି ଓ ନିର୍ବାଚନରେ ପାର୍ଟିକୁ ୧୦ ଟି ଆସନ ମିଳିଛି। ଅନ୍ୟପଟେ ଶାହବାଜ ସରିଫଙ୍କ ପାର୍ଟିର ୫ ଜଣ ବିଧାୟକ ଅଛନ୍ତି ଓ ଇମ୍ରାନଙ୍କ ପିଟିଆଇକୁ ୨ଟି ଆସନ ମିଳିଛି। ଏଥିରେ ଯଦି ମେଣ୍ଟ ପାଇଁ ଇମ୍ରାନଙ୍କ ପାର୍ଟି ସବୁଜ ସଂକେତ ଦିଏ ତେବେ ଶାହବାଜଙ୍କ ସରକାର ଲାଗି ସତର୍କ ଘଣ୍ଟି ହୋଇପାରେ।

୨୦୨୨ରେ ଇମ୍ରାନ ଖାନଙ୍କୁ ସରକାରରୁ ହଟାଇବା ପାଇଁ ବିଲାୱଲ ଶହବାଜ ସରିଫଙ୍କୁ ସାଥ ଦେଇଥିଲେ। ଏହାପରେ ଅନୁଷ୍ଠିତ ୨୦୨୪ ନିର୍ବାଚନରେ ଶହବାଜ ପ୍ରଧାନମନ୍ତ୍ରୀ ହୋଇଥିଲେ। ବିଲାୱଲଙ୍କ ପାର୍ଟିକୁ ବଲୁଚିସ୍ତାନ ଓ ସିନ୍ଧରେ ସରକାର ଗଢିବାକୁ ସୁଯୋଗ ମିଳିଥିବା ବେଳେ ପଞ୍ଜାବରେ ଶହବାଜଙ୍କ ପାର୍ଟିର ସରକାର ହୋଇଥିଲା। ଅନ୍ୟପଟେ ଖୈବରପୁକ୍ତନଖ୍ୱାରେ ଇମ୍ରାନଙ୍କ ପାର୍ଟି ସରକାର ଗଢିଥିଲା।

ନ୍ୟାସନାଲ ଆସେମ୍ବ୍ଲିରେ ପାକିସ୍ତା ପ୍ୟୁପିଲସ୍ ପାର୍ଟି ନିକଟରେ ୭୪ଟି ଆସନ ରହିଛି। ମୋଟ ୩୩୨ ଆସନର ଆସେମ୍ବ୍ଲିରେ ସରକାର ଗଢିବା ପାଇଁ ୧୬୭ ସଂଖ୍ୟାର ଆବଶ୍ୟକତା ରହିଛି। ଶହବାଜ ସରିଫଙ୍କ ପାର୍ଟି ନିକଟରେ ଏବେ ୧୩୧ଟି ଆସନ ରହିଛି, ଯାହା ସଂଖ୍ୟାଗରିଷ୍ଠତାରୁ ଅନେକ ଦୂରରେ। ପିପିପି ଏବେ ସିନ୍ଧ, ଇସ୍ଲାମାବାଦ, ବଲୁଚିସ୍ତାନ, ଗିଲଗିଟ ଓ ପିଓକେରେ ମଜଭୁତ ସ୍ଥିତିରେ ରହିଛି। ଏଥିରେ ଯଦି ବିଲାୱଲ ଓ ଇମ୍ରାନଙ୍କ ପାର୍ଟି ମଧ୍ୟରେ ମେଣ୍ଟ ହୁଏ ତେବେ ପାକିସ୍ତାନ ରାଜନୀତିରେ ବଡ଼ ଧରଣର ଓଲଟପାଲଟ ହୋଇଯିବ। ପିଟିଆଇ ଓ ପିପିପି ଏକାଠି ହେଲେ ଶହବାଜ ସରକାରଙ୍କ ଉପରେ ଚାପ ବଢିବ। ଶାସନ ସମୀକରଣ ବଦଳିପାରେ। ତେବେ ଇମ୍ରାନଙ୍କ ପିଟିଆଇ ପକ୍ଷରୁ ଏ ପର୍ଯ୍ୟନ୍ତ ସେପରି କୌଣସି ଅଧିକାରୀକ ଘୋଷଣା ହୋଇ ନାହିଁ।