ଭୁବନେଶ୍ୱର: ଓଡ଼ିଶାକୁ ବର୍ଷକୁ ୧୨ ହଜାର କୋଟି ଟଙ୍କା କ୍ଷତି ହେଉଛି! ଏହା ଭୁଲ୍ ନୁହେଁ, ବିଜେପିର ଇଚ୍ଛାକୃତ ଅବହେଳା। ଓଡ଼ିଶାର ହକ୍ ପାଇଁ ଲଢ଼େଇ, ଦଳୀୟ ରାଜନୀତି ନୁହେଁ। ଏଭଳି ଅଭିଯୋଗ କରି ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର।MMDR ଆକ୍ଟକୁ ନେଇ ଓଡ଼ିଶାର ସ୍ୱାର୍ଥ ଓ ଆର୍ଥିକ କ୍ଷତି ପ୍ରସଙ୍ଗ ଉଠାଇ ସାଂସଦ ସଂତୃପ୍ତ ମିଶ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ତାଙ୍କ ଅଭିଯୋଗ ଅନୁସାରେ, ଏହି ଆଇନ୍ ଯୋଗୁଁ ଓଡ଼ିଶା ପ୍ରତିବର୍ଷ ପ୍ରାୟ ୧୨ ହଜାର କୋଟି ଟଙ୍କାର କ୍ଷତି ସହୁଛି। ଏହାକୁ ରାଜ୍ୟର ଭବିଷ୍ୟତ ସହ ଜଡ଼ିତ ଏକ ଗୁରୁତର ପ୍ରସଙ୍ଗ ବୋଲି କହିଛନ୍ତି ସେ।ଏହି ପ୍ରସଙ୍ଗରେ ଓଡ଼ିଶାର ବିଜେପି ସାଂସଦମାନେ ଲୋକସଭାରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନଥିବା ଅଭିଯୋଗ କରିଛନ୍ତି ସଂତୃପ୍ତ। ଦିଲ୍ଲୀରେ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼ିବାକୁ କାହାର ସାହସ ନାହିଁ ବୋଲି ସେ କଟାକ୍ଷ କରିଛନ୍ତି।

ସେହିପରି ପୂର୍ବରୁ ନବୀନ ପଟ୍ଟନାୟକ ସମସ୍ତ ବିଧାୟକଙ୍କୁ ଚିଠି ଲେଖି ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ଦାବି କରିଥିବା କଥା ଉଲ୍ଲେଖ କରିଛନ୍ତି ସଂତୃପ୍ତ ମିଶ୍ର। ଏଥିସହ ଆଡଭୋକେଟ୍ ଜେନେରାଲଙ୍କ ମତ ନେବାକୁ ମଧ୍ୟ ପ୍ରସ୍ତାବ ରହିଥିଲା। କିନ୍ତୁ ରାଜ୍ୟ ସରକାର ଏହି ଦାବିକୁ ଗୁରୁତ୍ୱ ଦେଇନଥିବା ସେ ଅଭିଯୋଗ କରିଛନ୍ତି।

୨୦୨୪ରୁ ୨୦୨୬ ମଧ୍ୟରେ ରାଜ୍ୟ ସରକାରଙ୍କ ପାଖରେ ଏହି ପ୍ରସଙ୍ଗରେ ପଦକ୍ଷେପ ନେବାକୁ ଯଥେଷ୍ଟ ସମୟ ଥିଲା, କିନ୍ତୁ ଏକାଧିକ ସୁଯୋଗ ହାତଛଡ଼ା ହୋଇଥିବା ଦାବି କରିଛନ୍ତି ସେ।ତେବେ ଏବେ ବି ସମୟ ରହିଛି ବୋଲି କହିବା ସହ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଏହି ପ୍ରସଙ୍ଗ ଉଠାଇବା ଏବଂ ସୁପ୍ରିମକୋର୍ଟରେ ଆଇନଗତ ଲଢ଼େଇ ଲଢ଼ିବାର ବିକଳ୍ପ ରହିଥିବା କହିଛନ୍ତି ସଂତୃପ୍ତ ମିଶ୍ର। ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେପି ସରକାର ଆଗକୁ ଆସି ଲଢ଼ିବେ ନା ଦିଲ୍ଲୀ ଆଗରେ ମୁଣ୍ଡ ନୁଆଁଇବେ? ଏହି ପ୍ରଶ୍ନ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର।