ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ଏବଂ ସାଉଦି ଆରବ ମଧ୍ୟରେ ହୋଇଥିବା ସାମରିକ ଚୁକ୍ତିକୁ ନେଇ ବଡ଼ ଖୁଲାସା ହୋଇଛି। ରଏଟର୍ସ (Reuters) ରିପୋର୍ଟ ଅନୁଯାୟୀ, ପାକିସ୍ତାନ ନିଜର ୮,୦୦୦ ସୈନ୍ୟ, ଏକ ସ୍କ୍ୱାଡ୍ରନ୍ ଫାଇଟର ଜେଟ୍ ଏବଂ ଏୟାର ଡିଫେନ୍ସ ସିଷ୍ଟମ ସାଉଦି ଆରବକୁ ପଠାଇଛି।ପାକିସ୍ତାନ ପକ୍ଷରୁ ପ୍ରାୟ ୮,୦୦୦ ସୈନିକଙ୍କୁ ସାଉଦି ଆରବ ପଠାଯାଇଛି। ଚୁକ୍ତି ଅନୁଯାୟୀ, ଆବଶ୍ୟକ ପଡ଼ିଲେ ଏହି ସଂଖ୍ୟା ୮୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ।

ପାକିସ୍ତାନ ଚୀନ ସହ ମିଶି ନିର୍ମାଣ କରିଥିବା JF-17 ଥଣ୍ଡର ଯୁଦ୍ଧ ବିମାନର ଏକ ସମ୍ପୂର୍ଣ୍ଣ ସ୍କ୍ୱାଡ୍ରନ୍ (ପ୍ରାୟ ୧୬ଟି ବିମାନ) ଏବଂ ଡ୍ରୋନ୍ ପଠାଇଛି। ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ରକ୍ଷା କରିବା ପାଇଁ ଚୀନ ନିର୍ମିତ HQ-9 ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ନିୟୋଜିତ କରାଯାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିରାମ ବର୍ତ୍ତମାନ ସଙ୍କଟ ଜନକ ସ୍ଥିତିରେ ରହିଛି। ଏହି ସମୟରେ ଇରାନ ପାକିସ୍ତାନ ମାଧ୍ୟମରେ ଏକ ସଂଶୋଧିତ ଶାନ୍ତି ପ୍ରସ୍ତାବ (Peace Proposal) ଆମେରିକା ପାଖକୁ ପଠାଇଛି।

ଟ୍ରମ୍ପଙ୍କ ଚେତାବନୀ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ କଠୋର ଚେତାବନୀ ଦେଇ କହିଛନ୍ତି ଯେ, ‘ସମୟ ଶେଷ ହେବାକୁ ଯାଉଛି । ଯଦି ଇରାନ ଶାନ୍ତି ଚୁକ୍ତିରେ ସହମତି ନହୁଏ, ତେବେ ଆମେରିକା ପୁଣି ଥରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିପାରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୋଟିଏ ପଟେ ଇରାନ ଏବଂ ଆମେରିକା ମଧ୍ୟରେ ମଧ୍ୟସ୍ଥତା (Mediator) କରୁଛି ପାକିସ୍ତାନ । ଅନ୍ୟପଟେଇରାନର ପ୍ରତିଦ୍ୱନ୍ଦ୍ୱୀ ସାଉଦି ଆରବକୁ ସାମରିକ ସହାୟତା ଯୋଗାଇଛି ପାକିସ୍ତାନ।