ଇସ୍ଲାମାବାଦ: ପାକିସ୍ତାନର ଆର୍ଥିକ ସମସ୍ୟା ଲଗାତାର ଚର୍ଚ୍ଚାରେ ରହିଛି। ନିଜର ବୈଦେଶିକ ମୁଦ୍ରାସ୍ଥିତି ମଜଭୁତ କରିବା ଓ ଅନ୍ତର୍ଜାତୀୟ ନିବେଶକଙ୍କ ଭରସା ହାସଲ କରିବା ପାଇଁ ଏବେ ପୁଣି ଥରେ ବାହ୍ୟ ସହାୟତା ସନ୍ଧାନରେ ବୁଲୁଛି। ଏଥର ପାକିସ୍ତାନ ଆମେରିକାକୁ ୧୦ ବିଲିୟନ ଡଲାର ସହାୟତା ମାଗିଥିବା ଜଣାପଡିଛି। ତେବେ ପାକିସ୍ତାନର ଏହି ଅନୁରୋଧ ଉପରେ ଆମେରିକା ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ପାକିସ୍ତାନ ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ ଙ୍କ ଅନୁସାରେ ଆମେରିକା ଅର୍ଥମନ୍ତ୍ରାଳୟକୁ ୧୦ ବିଲିୟନ ଡଲାର ସହାୟତା କରିବାକୁ ଅନୁରୋଧ କରାଯାଇଛି।

ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଏବେ କଥାବାର୍ତ୍ତା ଚାଲିଛି। ହେଲେ ଦୁଇ ଦେଶଙ୍କ ମଧ୍ୟରେ ଏ ନେଇ କୌଣସି ବୁଝାମଣା ହୋଇ ନାହିଁ। ପାକିସ୍ତାନ ସରକାର ଏହାକୁ ଋଣ ପରିବର୍ତ୍ତେ ନିଜର ବୈଦେଶିକ ମୁଦ୍ରା ସ୍ଥିତିକୁ ମଜଭୁତ କରିବା ଉଦ୍ୟମ ରୂପେ ଉପସ୍ଥାପନ କରିଛି। ପାକିସ୍ତାନ ଦାବି କରୁଛି ଯେ ଏହା ଦ୍ୱାରା ଅନ୍ତର୍ଜାତୀୟ ପୁଞ୍ଜି ବଜାରରେ ନିବେଶକଙ୍କୁ ସକରାତ୍ମକ ବାର୍ତ୍ତା ଦେବାକୁ ସହାୟତା ମିଳିପାରେ। ଦୀର୍ଘ ସମୟରୁ ପାକିସ୍ତାନ ଆର୍ଥିକ ଚାପରେ ରହି ଆସିଛି। ବିଦେଶୀ ମୁଦ୍ରାଭଣ୍ଡାର ହ୍ରାସ, ବଢୁଥିବା ଋଣ ବୋଝ ଓ ଦୁର୍ବଳ ଅର୍ଥବ୍ୟବସ୍ଥା କାରଣରୁ ଦେଶକୁ ଲଗାତାର ଅନ୍ତର୍ଜାତୀୟ ସଂସ୍ଥାନ ଓ ଅନ୍ୟ ଦେଶଙ୍କ ଠାରୁ ଆର୍ଥିକ ସହାୟତା ନେବାକୁ ପଡୁଛି।

ଏହିକ୍ରମରେ ପାକିସ୍ତାନ ୨୦୨୩ରେ ଡିଫଲ୍ଟ ପାଖାପାଖି ହୋଇଯାଇଥିଲା। ସେ ସମୟରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ଓ ଅନ୍ୟ ଭାଗିଦାରଙ୍କଠାରୁ ମିଳିଥିବା ସହାୟତାରେ ଦେଶକୁ ତତ୍କାଳ ସଂକଟରୁ ବାହାରକୁ ବାହାରିବାରେ ସହାୟତା ମିଳିଥିଲା। ପାକିସ୍ତାନ ଏବେ ଆଇଏମଏଫର ୨୦୨୪ରେ ମଞ୍ଜୁର ହୋଇଥିବା ୭ ବିଲିୟନ ଡଲାର କାର୍ଯ୍ୟକ୍ରମ ଉପରେ ମଧ୍ୟ ନିର୍ଭର କରୁଛି। ଏଥିରେ ସରକାର ବିଦେଶୀ ନିବେଶକଙ୍କ ଭରସା ପୁଣି ହାସଲ କରିବାକୁ ଉଦ୍ୟମ କରୁଛନ୍ତି। ଏହା ଦ୍ୱାରା ଅନ୍ତର୍ଜାତୀୟ ବଜାରରୁ ଧନ ସଂଗ୍ରହ ସହଜ ହୋଇ ପାରିବ। ଏହା ସହ ଇସ୍ଲାମାବାଦ ତାର ଏବେକା ଋଣ ବୋଝକୁ କମ କରିବା ପାଇଁ ବିକଳ୍ପ ଉପରେ ମଧ୍ୟ କଥାବାର୍ତ୍ତା କରୁଛି।

ଏଥିରେ ପାକିସ୍ତାନ ଅର୍ଥମନ୍ତ୍ରୀ ସଂକେତ ଦେଇଛନ୍ତି ଯେ ଆମେରିକା ପଟରୁ ସେପ୍ଟେମ୍ବର ଶେଷ ସୁଦ୍ଧା ଜବାବ ମିଳିବ ବୋଲି ଆଶା କରାଯାଉଛି। ଏହା ଛଡା ପାକିସ୍ତାନ ଏକ୍ସିମ ବ୍ୟାଙ୍କର ପ୍ରତିକ୍ରିୟାକୁ ମଧ୍ୟ ଅପେକ୍ଷା କରିଛି। ହେଲେ ଏବେ ୧୦ ବିଲିୟନ ଡଲାରର ନିବେଦନ ଉପରେ କୌଣସି ବୁଝାମଣା ହୋଇ ନାହିଁ। ଏଣୁ ପାକିସ୍ତାନର ନଜର ଏବେ ଆମେରିକାର ପରବର୍ତ୍ତି ପଦକ୍ଷେପ ଉପରେ ରହିଛି।