ନୂଆଦିଲ୍ଲୀ: ଭାରତ ପକ୍ଷରୁ ସିନ୍ଧୁ ଜଳ ସନ୍ଧି (ଆଇଡବ୍ଲୁଟି) କୁ ସ୍ଥଗିତ କରାଯିବା ପରେ ପାକିସ୍ତାନରେ ଜଳ ସଂକଟ ଗୁରୁତର ରୂପ ଧାରଣ କରିଛି। ଅଲଗା ଅଲଗା ଅନ୍ତର୍ଜାତୀୟ ମଞ୍ଚରୁ ପାକିସ୍ତାନକୁ କୌଣସି ଦେଶର ସମର୍ଥନ ନ ମିଳିବାରୁ ସେ ଏବେ ସିଧାସଳଖ ଭାରତ ଆଗରେ ଆଣ୍ଠୁମାଡିଛି। ପାକିସ୍ତାନ ସୂଚନା ମନ୍ତ୍ରୀ ଅତାହୁଲ୍ଲା ତରାର ୩୦ ସେପ୍ଟେମ୍ବର ବୁଧବାର କହିଛନ୍ତି ଯେ ଭାରତର ଏହି ନିଷ୍ପତି ପ୍ରଭାବ ଆମ ଲୋକଙ୍କ ଉପରେ ପଡୁଛି। ଏଣୁ ଯଦି ଅନ୍ତର୍ଜାତୀୟ ସମୂଦାୟ ଏଥି ପ୍ରତି ଧ୍ୟାନ ନ ନଦେବେ ଆମର ଲୋକେ ମରିଯିବେ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ସିନ୍ଧୁ ଜଳ ସନ୍ଧି ସ୍ଥଗିତ କରିଥିଲା ଓ କହିଥିଲା ଯେ ‘ରକ୍ତ ଓ ପାଣି ଏକ ସଙ୍ଗରେ ବୋହି ପାରିବନି’। ପାକିସ୍ତାନୀ ସମ୍ବାଦପତ୍ର ‘ଡନ’ ଅନୁସାରେ ତରାର କହିଛନ୍ତି ଯେ ‘ଆମେ ପାଣିକୁ ଅସ୍ତ୍ର ଭାବେ ଉପଯୋଗ କରିବାଲାଗି ଭାରତକୁ ଅନୁମତି ଦେଇ ପାରିବୁନି’। କାରଣ ଏହା ପାକିସ୍ତାନର ୨୪ କୋଟି ଲୋକଙ୍କ ମୌଳିକ ଅଧିକାର। ଏଥିରେ ଯଦି କୌଣସି ଦେଶ ଅନ୍ତର୍ଜାତୀୟ ଜଳ ସନ୍ଧିକୁ ଏକ ତରଫା ଭାବେ ସ୍ଥଗିତ କରେ, ଏହାର ପ୍ରଭାବ ସେହି ଦେଶଙ୍କ ଉପରେ ମଧ୍ୟ ପଡିବ ଯେଉଁମାନେ ଏକ ସମାନ ଫ୍ରେମ ୱାର୍କରେ ପାଣି ସେୟାର କରୁଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଅନ୍ତର୍ଜାତୀୟ ସମୂଦାୟ ସହିତ ଆଲୋଚନା ଜାରି ରଖିବ ଓ ନିଜର ହୀତ ରକ୍ଷା କରିବ।

ତରାର କହିଛନ୍ତି ଯେ ଯେବେ ସନ୍ଧିରେ ସ୍ୱାକ୍ଷର କରାଯାଇଥିଲା ସେତେବେଳେ ଭାରତ କେବେ ଏପରି ନିଷ୍ପତ୍ତି ନେବ ଏ କଥାର କଳ୍ପନା ମଧ୍ୟ କରାଯାଇ ନଥିଲା। ଏହି ଦ୍ୱିପାକ୍ଷୀୟ ସନ୍ଧିକୁ ଏକ ତରଫା ଭାବେ ରଦ୍ଦ କରାଯାଇ ନପାରେ। ବିବାଦ ପରିସ୍ଥିତିରେ ମଧ୍ୟ ଉଭୟ ପକ୍ଷଙ୍କୁ ସନ୍ଧିର ସର୍ତ୍ତ ଓ ନିୟମ ପାଳନ କରିବାକୁ ପଡିବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଜାତି ସଂଘ ସାଧାରଣ ପରିଷଦ (ୟୁଏନଜିଏ)ରେ କରିଥିବା ଘୋଷଣାର ଉଲ୍ଲେଖ କରି ତରାର କହିଛନ୍ତି ଯେ ଅନ୍ତର୍ଜାତୀୟ ବନ କ୍ଷେତ୍ର ଆମ ଲୋକଙ୍କ ଜୀବନ ରେଖା। ଯଦି ଏହି ଅଧିକାର ଛଡା ଗଲା ତ ଆମ ଲୋକେ ମରିଯିବେ।

ଏଭଳି ପରିସ୍ଥିତିରେ ଏହାକୁ ‘ଆକ୍ଟ ଅଫ ୱାର’ ମନେ କରାଯିବ। ସେହିପରି ଅନ୍ତର୍ଜାତୀୟ ସମୁଦ୍ର ସୀମା ସନ୍ଧିକୁ ନେଇ ପାକିସ୍ତାନର ଆଭିମୁଖ୍ୟ ସ୍ପଷ୍ଟ । ଏହି ସନ୍ଧି କ୍ଷେତ୍ର ଲାଗି ଶାନ୍ତି ଓ ସ୍ଥିରତାର ଏକ ସାଧନ। ତେବେ ଭାରତ ସୀମା ପାର ଆତଙ୍କବାଦର ଉଲ୍ଲେଖ କରି ନିଜ ନିଷ୍ପତିକୁ ଉଚିତ ବୋଲି କହୁଛି, ହେଲେ ନିଜେ ପାକିସ୍ତାନ ମଧ୍ୟ ଥାଙ୍କବାଦରେ ପୀଡ଼ିତ ତାହା ଭାରତ ବୁଝିବା ଦରକାର ବୋଲି ତରାର କହିଛନ୍ତି।