ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି, ଯାହାକୁ ନେଇ ପୁରା ଇଣ୍ଡଷ୍ଟ୍ରିରେ ଏବେ ଚର୍ଚ୍ଚା ଜୋର ଧରିଛି। ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପ ପିଚାଇଙ୍କୁ ‘ମନଷ୍ଟର’ କହିଦେଇଛନ୍ତି। ତେବେ ତାଙ୍କର ଉଦ୍ଦେଶ୍ୟ ନକରାତ୍ମକ ନଥିଲା। ଟ୍ରମ୍ପ ଏହି ଶବ୍ଦର ଉପଯୋଗ ଟେକ୍ ଦିଗ୍ଗଜମାନଙ୍କ ଅସାଧାରଣ ଅତ୍ୟଧିକ ଦକ୍ଷତା ଓ ଶକ୍ତି ପାଇଁ କରିଛନ୍ତି। ହ୍ୱାଇଟ୍ ହାଉସ୍ ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଏଥିରେ ଗୁଗଲ ସିଇଓଙ୍କ ସମେତ ମେଟାର ମାର୍କ ଜୁକରବର୍ଗ, ଏନ୍ଥ୍ରୋପିକ୍ ସିଇଓ ଡାରିୟୋ ଅମୋଦେଇ ଓ ଅନେକ ଟେକ୍ କମ୍ପାନୀଙ୍କ ମୁଖ୍ୟମାନେ ଯୋଗ ଦେଇଥିଲେ।

ତେବେ ଟ୍ରମ୍ପ ଖାସ କରି ସୁନ୍ଦର ପିଚାଇଙ୍କ ଆଡକୁ ଚାହିଁ କହିଥିଲେ ‘ଏହି ବ୍ୟକ୍ତି ଜଣେ ମନଷ୍ଟର ଓ ଲୋକେ ଜାଣନ୍ତିନି ସେ କେତେ ବଡ଼’। ଟ୍ରମ୍ପଙ୍କ ଇସାରା ଟେକ୍ନୋଲଜି ଦୁନିଆରେ ପିଚାଇଙ୍କ ପ୍ରଭାବ ଓ ଗୁଗଲର ସଫଳତା ଆଡକୁ ଥିଲା। ଏଥିରେ ପିଚାଇ ହସି ହସି କହିଥିଲେ ‘ ଆମକୁ ମନଷ୍ଟର ନକହି ଏହାକୁ ଆହୁରି ଭଲ ଢଙ୍ଗରେ ମଧ୍ୟ କୁହାଯାଇ ପାରିଥାଆନ୍ତା’। ଏହି ବୈଠକରେ ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। କହିଛନ୍ତି ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କୁ ଏକ ନୂଆ ନାମ ଦିଆଯାଉ। ଟ୍ରମ୍ପ ପ୍ରଶାସନ ଅନୁସାରେ ଏବେ ଏହାକୁ ‘ସୁପର ଇଣ୍ଟେଲିଜେନ୍ସ’ କୁହାଯିବ।

ଟ୍ରମ୍ପଙ୍କ କହିବା କଥା ହେଉଛି ଏହି ଟେକ୍ନୋଲଜିରେ ଏବେ ୭୦ ବର୍ଷ ପୂର୍ବର ବିଚାର ବହୁତ ଆଗକୁ ପହଞ୍ଚିଗଲାଣି। ଏଣୁ ଏହା ପାଇଁ ଆର୍ଟିଫିସିଆଲ ଶବ୍ଦ ବହୁତ ଛୋଟ ଲାଗୁଛି। ଟ୍ରମ୍ପ ଏହା ବି କହିଛନ୍ତି ଯେ ସବୁ ଏଆଇ କମ୍ପାନୀମାନେ ଏହି ଟେକ୍ନୋଲଜି ଉପରେ ନିଜେ ନଜର ରଖିବାକୁ ରାଜି ହୋଇଛନ୍ତି। ସେ କହିଛନ୍ତି ଯେ କମ୍ପାନୀମାନେ ନିଜେ ବୁଝୁଛନ୍ତି ସେମାନଙ୍କୁ ଏହା ଉପରେ ନଜର ରଖିବାକୁ ପଡିବ ଓ ସେମାନେ ଏହାକୁ ଭଲରୁପେ କରୁଛନ୍ତି ମଧ୍ୟ। ଏହି ବୈଠକ ପରେ ସୁନ୍ଦର ପିଚାଇ ସୋସିଆଲ ମିଡିଆରେ ଗୁଗଲ ହ୍ୱାଇଟ ହାଉସ୍ ସହ ସୁପର ଇଣ୍ଟେଲିଜେନ୍ସ ବୁଝାମଣାରେ ସ୍ୱାକ୍ଷର କରିଥିବା ସୂଚିତ କରିଛନ୍ତି।

ପିଚାଇ କହିଛନ୍ତି ଯେ ଗତ ୨ ବର୍ଷରେ ଗୁଗଲ ଆମେରିକା ଓ ବିଶ୍ୱରେ ଏଆଇର ପୁରା ସିଷ୍ଟମ ଉପରେ ବିପୁଳ ନିବେଶ କରିଛି ଓ ଆଗକୁ ବି ନିବେଶ ଜାରି ରଖିବ। କମ୍ପାନୀର ଲକ୍ଷ୍ୟ ଏପରି ପ୍ରଡକ୍ଟ ତିଆରି କରିବା ଯାହା ଲୋକଙ୍କୁ ବିଜନେସରେ ଲାଭ ଦେବ ଓ ଟେକ୍ନୋଲଜି ଉପରେ ଲୋକଙ୍କ ଭରସା ବଢାଇବ।