ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଦ୍ୱାରା ଦେଶରେ ଚଳାଯାଇଥିବା ଭୋଟରଲିଷ୍ଟ ଗହନ ପୁନରୀକ୍ଷଣ (ଏସଆଇଆର) ଅଭିଯାନ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଚିଦାମ୍ବରମ କହିଛନ୍ତି ଯେ ଇସିଆଇଙ୍କ ଏହି ପ୍ରକ୍ରିୟା କାରଣରୁ ଦେଶର ପାଖାପାଖି ୧୦% ଜନସଂଖ୍ୟା ଅର୍ଥାତ ୧୦ କୋଟି ଲୋକ ନାଗରିକ ତ ରହିବେ ହେଲେ ସେମାନଙ୍କ ମତଦାନ ଅଧିକାର ନଥିବ। କଂଗ୍ରେସ ନେତାଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଇଜିପ୍ଟ ଓ ୟୁଏଇରେ ଭାରତର ରାଜଦୂତ ଥିବା ପୂର୍ବତନ କୂଟନୀତିଜ୍ଞ ନଭଦୀପ ସୁରୀ ପଞ୍ଜାବରେ ଏହି ପ୍ରକ୍ରିୟା ଯୋଗୁ ନାଗରିକତା ପ୍ରମାଣ କରିବାରେ ହେଉଥିବା ଅସୁବିଧା ଉଜାଗର କରିଛନ୍ତି।

ପୂର୍ବତନ କୂଟନୀତିଜ୍ଞ ସୁରୀଙ୍କ ଅନୁସାରେ ‘ଅଧିକାରୀମାନେ ମୋତେ ପରେ ନାଗରିକତା ପ୍ରମାଣ ରୂପେ ମୋର ପାସପୋର୍ଟ ଉପସ୍ଥାପନ କରିବାକୁ କହିଛନ୍ତି। ଏ ନେଇ ମୁଁ ବିଏଲଓଙ୍କ ସହ କଥା ହେଲି, ମୋତେ କୁହାଗଲା ଆସିକି ନୋଟିସ୍ ନେଇଯାଅ ଓ ଏପରି କିଛି କାଗଜପତ୍ର ଦାଖଲ କର ଯାହା ମୋର ନାଗରିକତା ପ୍ରମାଣ କରୁଥିବ। ମୋ ନିକଟରେ ଭୋଟର କାର୍ଡ ଓ ଆଧାରା କାର୍ଡ ସହିତ ଅନ୍ୟ କାଗଜପତ୍ର ମଧ୍ୟ ଅଛି ’। ସେ କହିଛନ୍ତି ଯେ ଏହା ନ ପଚାରି ରହି ପାରୁନି- ମୁଁ ୩ଟି ଦେଶରେ ଭାରତର ପ୍ରତିନିଧିତ୍ୱ କରିବା ପରେ ମଧ୍ୟ ମୋତ ଭାରତର ନାଗରିକତା ସାବ୍ୟସ୍ତ କରିବାକୁ ସମସ୍ୟା ହେଉଛି, ଏଥିରେ ସାଧାରଣ ନାଗରିକ କି ଅବସ୍ଥ ଭୋଗୁନଥିବେ? ବୋଧ ହୁଏ ଜୀବନର ସୁଗମତା ହିଁ ବିପଦରେ ପଡି ଯାଇଛି।

ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ ସୁରୀଙ୍କ ପୋଷ୍ଟ ଉଲ୍ଲେଖ କରି କହିଛନ୍ତି ଯେ ‘ଏପର୍ଯ୍ୟନ୍ତର ପରିଣାମ ଆଧାରରେ ଏସଆଇଆର ପ୍ରକ୍ରିୟା ଅନ୍ତରେ ଭାରତର ୧୦% ବୟସ୍କ ଜନସଂଖ୍ୟା ‘ନାଗରିକ’ ତ ରହିବେ, ହେଲେ ନିର୍ବାଚନ ଆୟୋଗଙ୍କ ଏହି ବ୍ୟବସ୍ଥା କାରଣରୁ ସେମାନଙ୍କ ନିକଟରେ ମତଦାନର ଅଧିକାର ରହିବନି’। ଏହି ସଂଖ୍ୟା ପାଖାପାଖି ୧୦ କୋଟି ଲୋକଙ୍କର। ନିର୍ବାଚନ ଆୟୋଗ ଏକପ୍ରକାର ‘ଅଣ ମତଦାତା ନାଗରିକ’ଙ୍କ ଏକ ନୂଆ ଶ୍ରେଣୀ ସୃଷ୍ଟି କରିଦେଇଛନ୍ତି।

Also Read: Video: ପୁଣେ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କୁ ଚୁମ୍ବନ ଦେଲେ ଯୁବତୀ, କ’ଣ କହିଲା ବିଜେପି ?