ନୂଆଦିଲ୍ଲୀ, ୨୪/୦୮ : ଭାରତୀୟ ମହିଳା ଦଳ ଚଳିତ ହକି ବିଶ୍ଵକପରେ ଅଳ୍ପକେ ସେମି ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି। ଦ୍ବିତୀୟ ରାଉଣ୍ଡର ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆ ସହ ଗୋଲ ଶୂନ୍ୟ ରଖି ପଏଣ୍ଟ ଭାଗ କରିଥିଲା ଟିମ୍। ଫଳରେ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନ ସହ ଅଷ୍ଟ୍ରେଲିଆ ସେମି ଫାଇନାଲରେ ପ୍ରବେଶ କରିଛି।

ଉଭୟ ଭାରତ ଓ ଅଷ୍ଟ୍ରେଲିଆ ୨ ପଏଣ୍ଟ ଲେଖାଏଁ ପାଇଥିଲେ ଏବଂ ଗୋଲ ବ୍ୟବଧାନରେ ମଧ୍ୟ ସମାନ ସ୍ଥିତିରେ ରହିଥିଲେ। ଅଷ୍ଟ୍ରେଲିଆ ଦ୍ଵିତୀୟ ରାଉଣ୍ଡରେ ୨ଟି ମ୍ୟାଚ ଖେଳି ଗୋଟିଏ ଗୋଲ ଦେଇଥିବାବେଳେ ଭାରତ ଗୋଟିଏ ବି ଗୋଲ ଦେଇ ପାରି ନଥିଲା । ପୂର୍ବ ମ୍ୟାଚରେ ଦଳ ନେଦରଲାଣ୍ଡଠୁ ୨-୦ ଗୋଲରେ ପରାଜିତ ହୋଇଥିଲା। ଅଷ୍ଟ୍ରେଲିଆ ପୂର୍ବ ମ୍ୟାଚରେ ଚୀନ ସହ ୧-୧ ଗୋଲରେ ଡ୍ର' ରଖିଥିଲା। ଭାଗ୍ୟ ସହାୟ ନହେବାରୁ ଭାରତ ତୃତୀୟ ସ୍ଥାନରେ ରହି ଟାଇଟଲ ଦୌଡ଼ରୁ ବିଦାୟ ନେଇଥିଲା। ନେଦରଲାଣ୍ଡସ ୯ ପଏଣ୍ଟ ସହ ଶୀର୍ଷ ସ୍ଥାନ ହାସଲ କରିଥିଲା।

ଅଷ୍ଟ୍ରେଲିଆ- ଭାରତ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଅଷ୍ଟ୍ରେଲିଆ ଘନ ଘନ ଆକ୍ରମଣ କରିଥିଲା । କିନ୍ତୁ ଭାରତୀୟ ଗୋଲକିପର ସବିତା ଏହାର କଡ଼ା ପ୍ରତିରୋଧ କରିଥିଲେ। ସଂପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆକୁ ୮ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା କିନ୍ତୁ ଭାରତ ମାତ୍ର ଗୋଟିଏ ପାଇଥିଲା I ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦୁଇ ଦଳ ଜୋରଦାର ଲଢ଼େଇ କରିଥିଲେ। ଭାରତୀୟ ଦଳ ତା'ର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା I ମ୍ୟାଚ ଗୋଲ ଶୂନ୍ୟ ଡ୍ର’ ରହିବାରୁ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ।

Also Read :- ଗୁପଚୁପ୍ ଖାଇଲା ମାଙ୍କଡ, ବାକ୍ସ ଉପରେ ହିଁ ଶୋଇ ପଡିଲା ! ହନୁର ନୂଆ ରୂପ ଏବେ ଚର୍ଚ୍ଚାରେ

ପୁରୁଷ ଟିମ୍ ମଧ୍ୟ ହୋଇପାରେ ବିଦା

ଭାରତୀୟ ପୁରୁଷ ଦଳ ଏକ ପ୍ରକାର ଟାଇଟଲ ଦୌଡ଼ରୁ ବାଦ ପଡ଼ିଛି। ଦଳ ଦ୍ଵିତୀୟ ରାଉଣ୍ଡର ପୁଲ୍ ଇ'ରେ ଆର୍ଜେଣ୍ଟିନାକୁ ଭେଟିବ। ନେଦରଲାଣ୍ଡସଠୁ ଭାରତ ପରାଜିତ ହୋଇଥିଲା । ଯଦି ଦଳ ଏହି ମ୍ୟାଚରେ ବିଜୟୀ ହୋଇଥାନ୍ତା ତେବେ ମ୍ୟାଚର ଗୁରୁତ୍ୱ ରହିଥାନ୍ତା। ଆର୍ଜେଣ୍ଟିନା ୩-୧ ଗୋଲରେ ଇଂଲଣ୍ଡକୁ ହରାଇବା ପରେ ଭାରତର ସବୁ ଆଶା ଧୂଳିସାତ ହୋଇଥିଲା।

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଓେବଂ କୋଚ୍ ରାହୁଲ ଦ୍ରାବିଡ଼ ଏବଂ ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ଭାରତ ଓ ନେଦରଲାଣ୍ଡସ ମ୍ୟାଚ ଷ୍ଟାଡିୟମରେ ବସି ଦେଖୁଥିଲେ। ଉଭୟ ଭାରତୀୟ ଦଳକୁ ଭେଟିବା ସହ ଦଳକୁ ଆଗାମୀ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଥିଲେ।