ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟ ନିଧି (EPF) ଗ୍ରାହକଙ୍କ ପାଇଁ ନୂଆ ଇପିଏଫ୍ ସ୍କିମ୍-2026 ଲାଗୁ କରିଥିବା ବେଳେ ଇପିଏଫ୍ ପାଣ୍ଠିକୁ ନେଇ ବଡ଼ ଖୁଲାସା କରିଛି ଇଂରାଜୀ ଗଣମାଧ୍ୟମ ଇଣ୍ଡିଆ ଟୁଡେ। ସୂଚନା ଅଧିକାର (RTI) ଆଇନ ବଳରେ ଜଣାପଡ଼ିଛି ଯେ, ୨୦୨୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦେଶର ୩୦.୯୧ ଲକ୍ଷ ନିଷ୍କ୍ରିୟ EPF ଆକାଉଣ୍ଟରେ ଏବେ ବି ୯,୩୩୦ କୋଟି ଟଙ୍କା ପଡ଼ି ରହିଛି, ଯାହାର କୌଣସି ଦାବିଦାର ନାହାନ୍ତି।

ଜୁନ୍ ୨୯ ତାରିଖରେ ଗେଜେଟ୍ ବିଜ୍ଞପ୍ତି ଜାରି ହେବା ପରେ ଦେଶରେ EPF Scheme 2026 ଲାଗୁ ହୋଇଛି। ପ୍ରାୟ 8 କୋଟି ସକ୍ରିୟ EPFO ସଦସ୍ୟଙ୍କ ପାଇଁ ନିୟମକୁ ସରଳ କରିବା ଓ ବ୍ୟବସ୍ଥାର ଡିଜିଟାଲକରଣ କରିବା ଏହି ନୂଆ ଯୋଜନାର ଲକ୍ଷ୍ୟ ରହିଛି। ତେବେ ଏହି ନୂଆ ନିୟମ ଲାଗୁ ହେବା ମଧ୍ୟରେ ଏବେ ଦେଶରେ ଲକ୍ଷାଧିକ ଲୋକଙ୍କର ଅବସରକାଳନୀ ସଞ୍ଚୟ ପଡ଼ି ରହିଛି ବୋଲି ଆର୍ଟିଆଇରୁ ସୂଚନା ମିଳିଛି।

EPFOର ତଥ୍ୟ ଅନୁଯାୟୀ, ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦେଶରେ ନିଷ୍କ୍ରିୟ EPF ଆକାଉଣ୍ଟ ସଂଖ୍ୟା ୩୧.୮୩ ଲକ୍ଷ ଥିଲା। ବର୍ଷ ପରେ ଏହା କମି ୨୦.୯୧ ଲକ୍ଷକୁ ଆସିଛି। ଅର୍ଥାତ୍ ପ୍ରାୟ ୯୧ ହଜାର ଆକାଉଣ୍ଟ କମିଛି। ସେହିପରି ଦାବି କରାଯାଇ ନଥିବା ଟଙ୍କାର ପରିମାଣ ମଧ୍ୟ ୧୦,୧୮୧ କୋଟି ଟଙ୍କାରୁ କମି ୯,୩୩୦ କୋଟି ଟଙ୍କା ହୋଇଛି। ଅର୍ଥାତ୍ ପ୍ରାୟ ୮୫୧ କୋଟି ଟଙ୍କାର ହ୍ରାସ ଘଟିଛି।

୬ ବର୍ଷର ତଥ୍ୟ ଦେଇପାରିଲା ନାହିଁ EPFO

ଗତ ୫ ଆର୍ଥିକ ବର୍ଷର ନିଷ୍କ୍ରିୟ ଇପିଏଫ୍ ଆକାଉଣ୍ଟ ଏବଂ ସେଥିରେ ଥିବା ଟଙ୍କାର ବାର୍ଷିକ ଆଧାରରେ ତଥ୍ୟ ବିଷଯରେ ତଥ୍ୟ ମଗାଯାଇଥିଲା। କିନ୍ତୁ ଇପିଏଫ୍ଓ କେବଳ ୨୦୨୫ ଓ୨୦୨୬ର ତଥ୍ୟ ଉପଲବ୍ଧ ଥିବା କହିଛି। ସଂସ୍ଥା କହିଛି ଯେ, Inoperative Accounts Cell (IAC) 2025-26 ମସିହାରେ ଗଠନ କରାଯାଇଥିବାରୁ ତା’ ପୂର୍ବର ତଥ୍ୟ ଏହି ସେଲ୍ ପାଖରେ ସଂରକ୍ଷିତ ନାହିଁ।

ଆଧାର ଲିଙ୍କ୍ ଆକାଉଣ୍ଟ ତଥ୍ୟ ଦେବାକୁ ମନା

RTIରେ ଆଧାର ସହ ସଂଯୁକ୍ତ ନିଷ୍କ୍ରିୟ EPF ଆକାଉଣ୍ଟ ସଂଖ୍ୟା, ସେଥିରେ ଥିବା ଟଙ୍କା ଏବଂ ଅଟୋ-ସେଟଲମେଣ୍ଟର ସ୍ଥିତି ବିଷୟରେ ମଧ୍ୟ ସୂଚନା ମଗାଯାଇଥିଲା। କିନ୍ତୁ EPFO RTI ଆଇନର ଧାରା 8(1)(e) ଦର୍ଶାଇ ଏହି ସୂଚନା ଦେବାକୁ ମନା କରିଛି।

୫ ଲକ୍ଷରୁ ଅଧିକ ଟଙ୍କା ଥିବା ଆକାଉଣ୍ଟର ତଥ୍ୟ ନାହିଁ

ଆରଟିଆଇରେ ୫ ଲକ୍ଷ ଟଙ୍କାରୁ ଅଧିକ ବାଲାନ୍ସ ଥିବା ନିଷ୍କ୍ରିୟ ଇପିଏଫ୍ ଆକାଉଣ୍ଟର ସଂଖ୍ୟା ସମ୍ପର୍କରେ ମଧ୍ୟ ପଚରାଯାଇଥିଲା। ଏହାର ଉତ୍ତରରେ EPFO କହିଛି ଯେ, ଏପରି ତଥ୍ୟ ଚାହିଁଥିବା ଫର୍ମାଟରେ ସଂରକ୍ଷିତ ନ ଥିବାରୁ ଏହା ଦିଆଯାଇପାରିବ ନାହିଁ।