ନୂଆଦିଲ୍ଲୀ, ୨୮/୧୨: ସରିବାକୁ ବସିଲାଣି ୨୦୨୫ । ଆଉ ଦୁଇ-ତିନି ଦିନ ପରେ ଆରମ୍ଭ ହେବ ୨୦୨୬ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି ବର୍ଷର ଶେଷ ମନ କି ବାତ୍ । ୨୦୨୫ରେ ଘଟିଥିବା ଅନେକ ଘଟଣାକୁ ସେ ମନେ ପକାଇଛନ୍ତି । ମହାକୁମ୍ଭ ମେଳାଠୁ ଅପରେସନ ସିନ୍ଦୂରକୁ ସେ ବର୍ଷର ଶେଷ ମନ କି ବାତରେ ସ୍ଥାନ ଦେଇଛନ୍ତି ।

ମୋଦୀ କହିଛନ୍ତି ଯେ, ବିଶ୍ୱ ନୂଆ ଭାରତ ଦେଖୁଛି । ଭାରତ ଏବେ କୌଣସି ପ୍ରକାରେ ନିଜ ସୁରକ୍ଷା ସହ ସାଲିସ କରିବ ନାହିଁ । ଅପରେସନ ସିନ୍ଦୂର ହେଉଛି ଏହାର ପ୍ରମାଣ । ଅପରେସନ ବେଳେ ସାରା ଦେଶ ଭାରତ ମାତା ପ୍ରତି ଭଲ ପାଇବା ଏବଂ ସ୍ନେହ ଦେଖାଇଥିଲା । ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀ ସମାନ ଦେଶଭକ୍ତି ପ୍ରଦର୍ଶନ କରିଥିଲେ ।

ସେ ଆହୁରି କହିଥିଲେ ଯେ, ଆଉ କିଛି ଦିନ ପରେ ବର୍ଷ ସରିଯିବ । ୨୦୨୫ ଅନେକ ଘଟଣାର ସାକ୍ଷୀ ହୋଇ ରହିଛି । ଭାରତ ବହୁତ କିଛି ଉପଲବ୍ଧି ହାସଲ କରିପାରିଛି । ଜାତୀୟ ସୁରକ୍ଷାଠୁ ଆରମ୍ଭ କରି ଖେଳ ଯାଏଁ, ସବୁଠି ଦେଶ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଚଳିତ ବର୍ଷ ଅପରେସନ ସିନ୍ଦୂର ଭାରତ ପାଇଁ ଗର୍ବ ଆଣିଛି । ସେହିପରି ମହାକାଶ କ୍ଷେତ୍ରରେ ଶୁଭାଂଶୁ ଶୁକ୍ଲା ପାରିଦର୍ଶିତା ଦେଖାଇଛନ୍ତି । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ସେ ପାଦ ଦେଇଛନ୍ତି । ଦେଶ ପରିବେଶ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଅନେକ କିଛି ପଦକ୍ଷେପ ହାତକୁ ନେଇଛି ।

ମହାକୁମ୍ଭ ମେଳାକୁ ନେଇ ମୋଦୀ କହିଛନ୍ତି ଯେ, ଏହା ହେଉଛି ବିଶ୍ୱାସ, ସଂସ୍କୃତି ଏବଂ ଭାରତର ଅନନ୍ୟ କଳାର ପରିଚୟ । କୁମ୍ଭକୁ ଆୟୋଜନ କରିଥିବା ଆୟୋଜକ ସାରା ବିଶ୍ୱକୁ ଚକିତ କରିଥିଲେ । ଏତେ ବଡ କାର୍ଯ୍ୟକ୍ରମ ହାତକୁ ନେବା ସହଜ କଥା ନୁହେଁ । ବର୍ଷର ଶେଷରେ ରାମ ମନ୍ଦିରରେ ଧ୍ୱଂଜା ଲାଗିଥିଲା । ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ହୋଇ ରହିବ । ଆସନ୍ତା ଜାନୁଆରୀ ୨୬ରେ ଦେଶ ୭୭ ତମ ଗଣତନ୍ତ୍ର ଦିବସ ପାଳନ କରିବ । ଏହାକୁ ସ୍ୱାଧିନତା ସଂଗ୍ରାମୀଙ୍କ ପାଇଁ ଉତ୍ସର୍ଗ କରାଯିବ । ଆଜି ବି ଅନେକ ସ୍ୱାଧିନତା ସଂଗ୍ରାମୀ ଅଛନ୍ତି । ଓଡିଶାର ସ୍ୱାଧିନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ କଥା ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ପାର୍ବତୀ ଗିରି ୧୫ ବର୍ଷରେ ଭାରତ ଛାଡ ଆନ୍ଦୋଳନରେ ସାମିଲ ହୋଇଥିଲେ । ସେ ନିଜ ଜୀବନକୁ ସମାଜସେବା ଏବଂ ଆଦିବାସୀଙ୍କ କଲ୍ୟାଣ ପାଇଁ ଉତ୍ସର୍ଗ କରିଦେଇଛନ୍ତି ।ଆହୁରି ଏପରି ଜନନାୟକ ଅଛନ୍ତି ଯେଉଁମାନଙ୍କୁ ଦେଶ ସବୁଦିନ ମନେ ରଖିବ । ଏହାସହ ମନ୍ କି ବାତରେ ପ୍ରଧାନମନ୍ତ୍ରୀ ରଚନା ପ୍ରତିଯୋଗିତା ବାବଦରେ ଉଲ୍ଲେଖ କରିଥିଲେ । ଏଥିରେ ତାମିଲନାଡୁ ପ୍ରଥମ ହୋଇଥିଲା । ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ନିଜର ମତ ପ୍ରକାଶ କରିଥିଲେ । ଦେଶରେ ଯୁବକ ଏବଂ ଛାତ୍ରଙ୍କ ବିକାଶ ପାଇ ଅନେକ ଯୋଜନା ହେଉଛି । ସେମାନଙ୍କ ସାମଗ୍ରିକ ବିକାଶ ପାଇଁ ଅନେକ କିଛି ପ୍ରୟାସ କରାଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।