ଶ୍ରୀନଗର: ଜମ୍ମୁ-କାଶ୍ମୀର ପୋଲିସ ଗୁରୁବାର ଏକ ବଡ଼ ବୟାନ ଦେଇଛି। କହିଛି ଯେ କାଶ୍ମୀର ଉପତ୍ୟାକାରେ ତାଲିକାଭୁକ୍ତ ସକ୍ରିୟ ଆତଙ୍କବାଦୀଙ୍କ ସଂଖ୍ୟା ଏବେ ମାତ୍ର ‘ଜଣେ’, ଯିଏ ଦକ୍ଷିଣ କାଶ୍ମୀରରେ ୨ଟି ଆତଙ୍କବାଦୀ ଘଟଣା ଘଟାଇଛି। ତାକୁ ବିଦେଶୀ ସମର୍ଥନ ରହିଛି ଓ ଧରାପଡିବା ଭୟରେ ସେ ରୀତିମତ ସ୍ଥାନ ପରିବର୍ତ୍ତନ କରୁଛି। କାଶ୍ମୀର ଆଇଜିପି ସୁଜିତ କୁମାର ସିଂହଙ୍କ ଅନୁସାରେ ଉପତ୍ୟାକାରେ ସକ୍ରିୟ ଆତଙ୍କବାଦୀଙ୍କ ପ୍ରକୃତ ସଂଖ୍ୟା ସମ୍ପର୍କରେ ସେଭଳି କୌଣସି ସୂଚନା ନାହିଁ। ତେବେ ଏହା ନିଶ୍ଚିତ ଯେ ଜଣେ ସ୍ଥାନୀୟ ଅତଙ୍କବାଦୀ ସକ୍ରିୟ ଅଛି।

ଶ୍ରୀନଗର ପୋଲିସ କଣ୍ଟ୍ରୋଲ ରୁମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ମହାନିରୀକ୍ଷକ ସୁଜିତ କୁମାର କହିଛନ୍ତି ଯେ ଦକ୍ଷିଣ କାଶ୍ମୀରରେ କେବଳ ଜଣେ ଆତଙ୍କବାଦୀ ସକ୍ରିୟ ରହିଛି। ସେ ପୁଲୱାମା ଓ ଅନନ୍ତ ନାଗରେ ୨ଟି ଆତଙ୍କବାଦୀ କାଣ୍ଡ କରିଥିଲା। ତାକୁ କିଛି ବିଦେଶୀ ଆତଙ୍କବାଦୀଙ୍କ ସମର୍ଥନ ମିଳୁଛି। ହେଲେ ଆମେ କାଶ୍ମୀର ଉପତ୍ୟାକାରେ ସକ୍ରିୟ ଆତଙ୍କବାଦୀଙ୍କ ସଠିକ ସଂଖ୍ୟା ଆମେ ଦେଇ ପାରିବୁନି। ଉଲବ୍ଧ ସୂଚନା ଅନୁସାରେ ସ୍ଥାନୀୟ ଆତଙ୍କବାଦୀକୁ ମହମଦ ଲତିଫ ଭଟ୍ଟ ଓ ତାର ବୟସ ୨୨ ବର୍ଷ ଭାବେ ଚିହ୍ନଟ କରାଯାଇଛି। ସେ ଦକ୍ଷିଣ କାଶ୍ମୀର କୁଲଗାଓଁ ଜିଲ୍ଲାର ଖ୍ରେଭାନ ଚାଦର ଗାଁର ବାସିନ୍ଦା। ଦକ୍ଷିଣ କାଶ୍ମୀରରେ ସକ୍ରିୟ ବିଦେଶୀ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୌୟବା ସହିତ ସେ ଜଡିତ। ତା ମୁଣ୍ଡ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।

ଲତିଫ ପାକିସ୍ତାନ ସମର୍ଥିତ ସଙ୍ଗଠନ ଲସ୍କର-ଏ-ତୌୟବାର ଏକ ଗୋପନ ଗୋଷ୍ଠୀ କାଶ୍ମୀର ରିଭଲ୍ୟୁସନ ଆର୍ମି (କେଆରଏ) ସହିତ ଜଡିତ। ସେ ୨୦୨୫ ଶେଷ ଭାଗରେ ଆତଙ୍କବାଦ ସଙ୍ଗଠନ ସହ ଜଡିତ ହୋଇଥିବାର ଖବର ରହିଛି। ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି ଯେ ୩୧ ଜୁଲାଇ ୨୦୨୬ରେ କୁଲଗାଓଁରେ ହୋଇଥିବା ଟାର୍ଗେଟ୍ କିଲିଂ ପାଇଁ ସେ ସିଧାସଳଖ ଦାୟିଥିଲା। ଏହି କାଣ୍ଡରେ ଇଟାଭାଟିରେ କାମ କରୁଥିବା ଛତିଶଗଡ଼ର ୨ ଜଣ ଶ୍ରମିକ ପ୍ରାଣ ହରାଇଥିଲେ। ସେହିପରି ଜୁଲାଇ ୨୨ ତାରିଖରେ ଅନନ୍ତନାଗରେ ହୋଇଥିବା ହେଡକନଷ୍ଟେବଲ ଗୁଳିକାଣ୍ଡରେ ମଧ୍ୟ ସେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।

ଆଇଜିପି କହିଛନ୍ତି ଯେ ଆମେ ଏଠାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇଛୁ। ଏହି ସୂଚନା ଆଧାରରେ ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କରୁଛି। ଗୁଇନ୍ଦା ରିପୋର୍ଟ ଅନୁସାରେ ପହଲଗାଓଁ ଆକ୍ରମଣ ପରଠାରୁ ଗତ ୧୮ ମାସରେ ସୁରକ୍ଷା ବାହିନୀ ଅଧିକାଂଶ ସକ୍ରିୟ ଲସ୍କର, ଜୈସ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। କିନ୍ତୁ ଉପତ୍ୟାକାରେ ବିଶେଷ କରି ଶ୍ରୀନଗର ସହରାଞ୍ଚଳରେ ସକ୍ରିୟ ଆତଙ୍କବାଦୀଙ୍କ ବିପଦ ଗୁରୁତ୍ୱପୂର୍ଣ୍ଣ ରହିଛି।