ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗ୍ୟାସ୍ ନିୟନ୍ତ୍ରଣ ଆଦେଶରେ ସଂଶୋଧନ କରିଛନ୍ତି। ଏଥିରେ ସ୍ପଷ୍ଟ କରାଯାଇଛି ଯେ ପ୍ରତି ଘରେ (ହାଉସ ହୋଲ୍ଡ) କେବଳ ଗୋଟିଏ ଏଲପିଜି କନେକ୍ସନ ରହି ପାରିବ। ଏଣୁ ଏକରୁ ଅଧିକ ସିଲିଣ୍ଡର ରଖିବା ଏବେ ସମ୍ପୂର୍ଣ୍ଣ ନିଷିଦ୍ଧ। ଭାରତୀୟ ତୈଳ କମ୍ପାନୀ ଏଚପିସିଏଲ, ଇଣ୍ଡିଆନ ଅୟେଲ ଓ ଭାରତ ପେଟ୍ରୋଲିୟମ ମିଳିତ ଜାରି ସାର୍ବଜନିକ ସୂଚନାରେ ଉପଭୋକ୍ତାଙ୍କୁ ଅତିରିକ୍ତ ଏଲପିଜି ସିଲିଣ୍ଡର ତୁରନ୍ତ ଫେରାଇ ଦେବାକୁ ନିବେଦନ କରିଛନ୍ତି। ଜୁନ ୧ ତାରିଖରୁ ଏହି ନିୟମ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ।

ମୁଖ୍ୟ ନିୟମ

  • ଗୋଟିଏ ପରିବାର (ପତି, ପତ୍ନୀ, ବିବାହିତ ପିଲା ଓ ଆଶ୍ରିତ ମାତା, ପିତା) ଗୋଟିଏ ରୋଷେଇରେ କେବଳ ଗୋଟିଏ ଏଲପିଜି ସିଲିଣ୍ଡର ବୈଧ ହେବ।
  • ଅତିରିକ୍ତ ସିଲିଣ୍ଡର ରଖିଲେ ଗ୍ୟାସ୍ ଯୋଗାଣ ବନ୍ଦ କରାଯାଇପାରେ। ଯୋଗାଣ ସେତେବେଳେ ପୁଣି ସ୍ୱଭାବିକ ହେବ ଯେତେବେଳେ ସବୁ ଅତିରିକ୍ତ କନେକ୍ସନ ସରେଣ୍ଡର କରିଦିଆଯିବ।
  • ଯଦି ଅତିରିକ୍ତ କନେକ୍ସନ ସରେଣ୍ଡର କରିବା ପରେ ଗୋଟିଏ ବଞ୍ଚୁଛି ତେବେ ଏହାକୁ ଡବଲ ବଟଲ କନେକ୍ସନ (ଡିବିସି)ରେ ପରିବର୍ତ୍ତନ କରା ଯାଇପାରିବ।
  • ପିଏନଜି କନେକ୍ସନ ଥିବା ଉପଭୋକ୍ତାଙ୍କୁ ତାଙ୍କ ସିଲିଣ୍ଡର ଫେରାଇବାକୁ ପଡିବ।

ପିଏନଜି ଉପଯୋଗକର୍ତ୍ତାଙ୍କୁ ନୂଆ ରିହାତି(୨୫ ମେ ୨୦୨୬ ସଂଶୋଧନ)

  • ପିଏନଜି କନେକ୍ସନ ନେବାର ୩୦ ଦିନ ମଧ୍ୟରେ ଏଲପିଜି ସିଲିଣ୍ଡର ଫେରସ୍ତ କରିବାକୁ ପଡିବ।
  • ନଚେତ ଟ୍ରାନ୍ସଫର ଭାଉଚର ନେବାକୁ ପଡିବ। ଏହା ଦ୍ୱାରା ଭବିଷ୍ୟତରେ ପିଏନଜି ଉପଲବ୍ଧ ହେଉନଥିବା ସ୍ଥାନରେ ଏଲପିଜି କନେକ୍ସନକୁ ଦ୍ୱିତୀୟବାର ସକ୍ରିୟ କରାଯାଇ ପାରିବ।

କାହିଁକି ନିଆଗଲା ଏପରି ନିଷ୍ପତ୍ତି?

  • ଜରୁରି ଆବଶ୍ୟକ କରୁଥିବା ପରିବାରଙ୍କୁ ନୂଆ ଏଲପିଜି କନେକ୍ସନ ଉପଲବ୍ଧ କରିବା
  • ସବସିଡି ସିଲିଣ୍ଡରର ଦୂରୁପଯୋଗ ଓ କଳାବଜାରୀକୁ ନିୟନ୍ତ୍ରିତ କରିବା
  • ପିଏନଜି ଭଳି ସ୍ୱଚ୍ଛ ଇନ୍ଧନକୁ ପ୍ରୋତ୍ସାହିତ କରିବା।

୩ ତୈଳ କମ୍ପାନୀ ଉପଭୋକ୍ତାଙ୍କୁ ନିୟମ ପାଳନ କରିବାକୁ ଓ ଡିଷ୍ଟ୍ରିବ୍ୟୁଟରଙ୍କ ସହ ସମ୍ପର୍କ କରି ଅତିରିକ୍ତ କନେକ୍ସନକୁ ସରେଣ୍ଡର କରିବା ପ୍ରକ୍ରିୟା ପୁରା କରିବାକୁ ଅନୁରୋଧ କରିଛନ୍ତି। ଏହି ପ୍ରକ୍ରିୟା ଅନଲାଇନରେ ମଧ୍ୟ କରାଯାଇ ପାରିବ।