ନୂଆଦିଲ୍ଲୀ: ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ଯୋଗୁ ଉପୁଜିଥିବା ପଶ୍ଚିମ ଏସିୟା ସଂକଟ ୩୦ ଏପ୍ରିଲ ଗୁରୁବାର ୬୨ତମ ଦିବସରେ ପ୍ରବେଶ କରିଛି। ଇତି ମଧ୍ୟରେ ଏହି ଯୁଦ୍ଧକୁ ନେଇ ଆମେରିକାରେ ରାଜନୈତିକ ଓ ଆର୍ଥିକ ପ୍ରଶ୍ନ ଉଠିବାରେ ଲାଗିଲାଣି। ଆମେରିକା ଡିଫେନ୍ସ ସେକ୍ରେଟାରୀ ପିଟ୍ ହେଗସେଥ୍ ଙ୍କୁ ବୁଧବାର ସଂସଦର ହାଉସ୍ ଆର୍ମଡ ସର୍ଭିସେସ କମିଟିରେ ୬ ଘଣ୍ଟା ପର୍ଯ୍ୟନ୍ତ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥିଲା।

ଏଥିରେ ଡେମୋକ୍ରାଟ ସାଂସଦମାନେ ଏହି ଯୁଦ୍ଧକୁ ବିନା ସଂସଦୀୟ ମଞ୍ଜୁରୀରେ ଆରମ୍ଭ କରାଯାଇଥିବା ମହଙ୍ଗା ଓ ସିଲେକ୍ଟେଡ ୱାର ବୋଲି କହି ଏ ବାବଦ ବ୍ୟୟ,ଅସ୍ତ୍ରଶସ୍ତ୍ରର ବ୍ୟାପକ ଉପଯୋଗ ଓ ଏକ ପ୍ରାଥମିକ ସ୍କୁଲ ଉପରେ ବୋମାମାଡ଼ ଯୋଗୁ ପିଲାଙ୍କ ମୃତ୍ୟୁ ଭଳି ପ୍ରସଙ୍ଗକୁ ନେଇ କଡ଼ା ଆପତ୍ତି କରାଯାଇଛି। ଏଥିରେ କିଛି ସାଂସଦ ଏହା ବି ପଚାରିଥିଲେ ଯେ ଇରାନ ଡ୍ରୋନ ଆକ୍ରମଣ ଆଗରେ ଆମେରିକାର ସାମରିକ ପ୍ରସ୍ତୁତି କେତେ ସକ୍ଷମ? କାରଣ କିଛି ଡ୍ରୋନ ପ୍ରତିରକ୍ଷା ପ୍ରଣାଳୀ ଭେଦ କରି ଆମେରିକୀୟ ସୈନ୍ୟ କ୍ଷୟକ୍ଷତି ମଧ୍ୟ କରିଛି।

ଯୁଦ୍ଧର ଆର୍ଥିକ ପ୍ରଭାବ ମଧ୍ୟ ଏବେ ସ୍ପଷ୍ଟ ଅନୁଭୂତ ହେଲାଣି। ଜନୈକ ଶୀର୍ଷ ଆମେରିକୀୟ ସୈନ୍ୟ ଅଧିକାରୀଙ୍କ ଅନୁସାରେ ଏପର୍ଯ୍ୟନ୍ତ ଏହି ଯୁଦ୍ଧରେ ଆମେରିକା ପାଖାପାଖି ୨୫ ବିଲିୟନ ଡଲାରରୁ ଅଧିକ ବ୍ୟୟ ହୋଇସାରିଲାଣି। ଏହି ଖର୍ଚ୍ଚର ଏକ ବଡ଼ ଭାଗ କେବଳ ଅସ୍ତ୍ରଶସ୍ତ୍ରରେ ବ୍ୟୟ ହୋଇଛି। ଏହା ଛଡା ସୈନ୍ୟ ଅଭିଯାନ ସଞ୍ଚାଳନ ଓ ଇକ୍ୟୁପମେଣ୍ଟ ରିପ୍ଲେସମେଣ୍ଟରେ ମଧ୍ୟ ବିପୁଳ ବ୍ୟୟ ହୋଇଛି। ଏହି ସମୟରେ ଆମେରିକାରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ମଧ୍ୟ ଦେଖାଯାଇଛି। ଏହାକୁ ନେଇ ଏବେ ସରକାରଙ୍କ ସମାଲୋଚନା ମଧଧ୍ୟ ହେଉଛି।

ଏଥି ମଧ୍ୟରେ ଋଷିଆ ମଧ୍ୟ ପରିସ୍ଥିତିକୁ ନେଇ ଚେତାବନୀ ଦେଇଛି। ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ଆଳାପରେ କହିଛନ୍ତି ଯେ ଯଦି ଇରାନ ବିରୋଧରେ ପୁଣି ସାମରିକ କାର୍ଯ୍ୟାନୁଷ୍ଠାନ ହୁଏ ତେବେ ଏହାର ପରିଣାମ ଗମ୍ଭୀର ହୋଇପାରେ। କ୍ରେମଲିନ ସ୍ପଷ୍ଟ ଭାବେ କହିଛି ଯେ ଇରାନ ସ୍ଥଳଭାଗରେ କୌଣସି ପ୍ରକାରର ଅଭିଯାନ ବିପଦଜନକ ଓ ଅସ୍ୱୀକାର୍ଯ୍ୟ ହେବ। ପଶ୍ଚିମ ଏସିୟାରେ ଜାରି ଏହି ସଂକଟ ଏବେ ନା କେବଳ ଏକ ଯୁଦ୍ଧ ରେ ସୀମିତ ଅଛି ଏହା ପ୍ରଭାବ ଅନ୍ତର୍ଜାତୀୟ ରାଜନୀତି, ଇନ୍ଧନ ବଜାର ଓ କ୍ଷେତ୍ରୀୟ ସ୍ଥିରତା ଉପରେ ଲଗାତାର ଗଭୀର ହେବାରେ ଲାଗିଛି। ଅନ୍ୟପଟେ ପରିସ୍ଥିତି ସ୍ୱଭାବିକ ହେବାର ସଂକେତ ଏବେ ମଧ୍ୟ ସ୍ପଷ୍ଟ ହୋଇ ପାରୁ ନାହିଁ।

Also read..Strait of Hormuzର ନାଁ ବଦଳାଇ ଦେଲେ ଟ୍ରମ୍ପ, ସୋସିଆଲ ମିଡିଆରେ ସେୟାର କରିଛନ୍ତି ପୋଷ୍ଟ