ପାଟନା: ଅପରେଟର୍ କଲ୍ ରିସିଭ୍ କଲେ, ତା’ପରେ ୫୦ ହଜାର ଟଙ୍କାର ଲାଞ୍ଚ ଦାବି କଲେ । କିନ୍ତୁ ଫୋନର ସପେଟେ କେବଳ ଅଭିଯୋଗକାରୀ ନଥିଲେ, ବିହାର ସରକାରଙ୍କ ଜଣେ ମନ୍ତ୍ରୀ ଥାଇ ସମସ୍ତ କଥାବାର୍ତ୍ତା ଶୁଣୁଥିଲେ । ଏହି ମାମଲା ବିହାରର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ସହିତ ଜଡ଼ିତ । ସୀତାମଢ଼ୀଠାରେ ବିଭାଗର ଜଣେ ଡାଟା ଏଣ୍ଟ୍ରି ଅପରେଟର ଅନୁଦାନ ରାଶି ମଞ୍ଜୁର କରିବା ବଦଳରେ ୫୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ।

ଅଭିଯୋଗ ବିଭାଗୀୟ ମନ୍ତ୍ରୀ ଲଖେନ୍ଦ୍ର ପାସୱାନଙ୍କ ପାଖରେ ପହଞ୍ଚିଲା । ସେ ଘଟଣାସ୍ଥଳରେ ହିଁ ଏହାର ସତ୍ୟତା ଯାଞ୍ଚକୁ ନିଷ୍ପତ୍ତି ନେଇଥିଲେ । ସୀତାମଢ଼ୀରୁ ଆସିଥିବା କିଛି ଅଭିଯୋଗକାରୀ ମନ୍ତ୍ରୀଙ୍କ ନିକଟରେ ପହଞ୍ଚିଥିଲେ । ସରକାରୀ ସହାୟତା ରାଶି ମଞ୍ଜୁର କରାଇବା ପାଇଁ ସେମାନଙ୍କଠାରୁ ଟଙ୍କା ମାଗାଯାଉଥିବା ନେଇ ସେମାନେ ଅଭିଯୋଗ କରିଥିଲେ । ମନ୍ତ୍ରୀ ସେମାନଙ୍କ କଥା ଶୁଣିଲେ ଏବଂ ଲାଞ୍ଚ ମାଗୁଥିବା କର୍ମଚାରୀଙ୍କୁ ଫୋନ୍ ଲଗାଇବାକୁ କହିଲେ ।

ଅଭିଯୋଗକାରୀ ଫୋନ୍ କଲେ । କଲ୍ ସ୍ପିକରରେ ଥିଲା । ଘରେ ଉପସ୍ଥିତ ସମସ୍ତ ଲୋକ କଥାବାର୍ତ୍ତା ଶୁଣୁଥିଲେ । ଡାଟା ଏଣ୍ଟ୍ରି ଅପରେଟର ଅନୁଦାନ ରାଶି ପ୍ରଦାନ କରିବା ବଦଳରେ ୫୦ ହଜାର ଟଙ୍କା ପୁଣି ଦାବି କଲେ । ତାଙ୍କ କଥା ସିଧାସଳଖ ମନ୍ତ୍ରୀ ଶୁଣୁଛନ୍ତି ବୋଲି ହୁଏତ ସେ ଅନୁମାନ କରିପାରି ନଥିଲେ ।

ମନ୍ତ୍ରୀ ଲଖେନ୍ଦ୍ର ପାସୱାନ ତୁରନ୍ତ ସୀତାମଢ଼ୀର ଜିଲ୍ଲା କଲ୍ୟାଣ ଅଧିକାରୀଙ୍କୁ ଫୋନ୍ କରିଥିଲେ । ସେ ଲାଞ୍ଚ ମାଗିଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଚାକିରିରୁ ସସପେଣ୍ଡ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ମଧ୍ୟ ରେକର୍ଡ କରାଯାଇଛି । ଏହି ମାମଲା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୂରା ମାମଲାକୁ ନେଇ ମନ୍ତ୍ରୀ ଲଖେନ୍ଦ୍ର ପାସୱାନ କହିଛନ୍ତି, ଅନୁସୂଚିତ ଜାତି ଓ ଜନଜାତିର ପୀଡ଼ିତଙ୍କୁ ସରକାରଙ୍କ ଠାରୁ ମିଳୁଥିବା ଆର୍ଥିକ ସହାୟତା ସେମାନଙ୍କ ଆଇନଗତ ଅଧିକାର । ଯଦି କୌଣସି କର୍ମଚାରୀ ସେହି ଅଧିକାର ବଦଳରେ ଲାଞ୍ଚ ମାଗନ୍ତି, ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।