ନୂଆଦିଲ୍ଲୀ: ଇଂଲଣ୍ଡର ଦ୍ରୁତ ବୋଲର ଓଲି ରବିନସନ୍ ଇଣ୍ଟରନ୍ୟାସନାଲ୍ ଟେଷ୍ଟ କ୍ରିକେଟରେ ଏପରି ଏକ ଐତିହାସିକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ୧୦୦ ବର୍ଷରେ ଦୁନିଆର କୌଣସି ବଲର୍ କରିପାରି ନ ଥିଲେ । ପାକିସ୍ତାନ ବିପକ୍ଷରେ ଖେଳା ଯାଉଥିବା ଟେଷ୍ଟ ସିରିଜରେ ନିଜ ବୋଲିଂ ଜଲୱା ଦେଖାଉଥିବା ରବିନସନ ବର୍ମିଂଘମରେ ତୃତୀୟ ଟେଷ୍ଟ ମ୍ୟାଚରେ ନିଜ କ୍ୟାରିୟରର ୧୦୦ତମ ୱିକେଟ୍ ପୂରଣ କରିଛନ୍ତି ।

ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବା ଲାଗି ନିଷ୍ପତ୍ତି ନେଇଥିଲା । ରବିନସନ୍ କ୍ୟାପ୍ଟେନଙ୍କ ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ କରି ମ୍ୟାଚର ତୃତୀୟ ଓଭରରେ ପ୍ରଥମ ୱିକେଟ୍ ନେଇଥିଲେ । ଏହି ୱିକେଟ୍ ନେବା ସହ ରବିନସନ୍ ମାତ୍ର ୨୪ତମ ଟେଷ୍ଟ ମ୍ୟାଚରେ ୧୦୦ ୱିକେଟର ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । ରବିନସନଙ୍କ ଏହି ଉପଲବ୍ଧି କେବଳ ୧୦୦ ୱିକେଟ୍ ଯାଏଁ ସୀମିତ ନାହିଁ, ବରଂ ସେ ଯେଉଁ ହାରରେ ଏହି କାରନାମା କରିଛନ୍ତି, ଯାହା କ୍ରିକେଟ୍ ଇତିହାସରେ ବିରଳ ।

ରବିନସନ୍ ମାତ୍ର ୧୯.୩୪ ହାରରେ ଏହି ସଫଳତା ହାସଲ କରିଛନ୍ତି । ଗତ ୧୦୦ ବର୍ଷ ଟେଷ୍ଟ କ୍ରିକେଟରେ ୧୦୦ ଟେଷ୍ଟ ୱିକେଟ୍ ହାସଲ କରିବାରେ ଏହା ସବୁଠାରୁ କମ ବୋଲିଂ ହାର । ଏହି ମାଇଲଖୁଣ୍ଟରେ ପହଞ୍ଚି ସେ ଭାରତୀୟ ଦ୍ରୁତ ବୋଲର ଯଶପ୍ରିତ ବୁମରାହଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି, ଯିଏ ୧୯.୭୯ ହାରାହାରିରେ ୧୦୦ ଟେଷ୍ଟ ୱିକେଟ୍ ହାସଲ କରିଥିଲେ ।

ପାକିସ୍ତାନ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜରେ, ପାକିସ୍ତାନୀ ବ୍ୟାଟରମାନଙ୍କ ପାଖରେ ରବିନସନଙ୍କ ସ୍ୱିଙ୍ଗ୍ ଏବଂ ସିମ୍‌ର କୌଣସି ଉତ୍ତର ନଥିବା ପରି ମନେ ହେଉଛି । ସେ ହେଡିଂଲି ଏବଂ ଲର୍ଡସରେ ପ୍ରଥମ ଦୁଇଟି ଟେଷ୍ଟରେ ଅବିଶ୍ୱସନୀୟ ଭାବରେ ଭଲ ପ୍ରଦର୍ଶନ କରିଥିଲେ, ମାତ୍ର ୭.୧୮ ହାରରେ ୧୬ ୱିକେଟ୍ ନେଇଥିଲେ । ଏବେ, ସେ ବର୍ମିଂହାମ ଟେଷ୍ଟର ତୃତୀୟ ଓଭରରେ ସାମ୍ ଆୟୁବଙ୍କୁ ଆଉଟ୍ କରି ତାଙ୍କର ଏହି ଲୟ ଜାରି ରଖିଛନ୍ତି ।