ନୂଆଦିଲ୍ଲୀ: ପଶ୍ଚିମ ଏସିୟାରେ ବଢୁଥିବା ଉତ୍ତେଜନାରେ ଓମାନ ନିକଟରେ ଏକ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିବାର ଖବର ସାମ୍ନାକୁ ଆସୁଛି। ସୂଚନା ଅନୁସାରେ ଏମ.ଟି.ମେରିଭେକ୍ସ ନାମକ ଏହି ଟ୍ୟାଙ୍କର ଓମାନ ବନ୍ଦରକୁ ଯାଉଥିବାବେଳେ ଏହା ଉପରେ ଆକ୍ରମଣ ହୋଇଛି। ଏହି ଜାହଜର ଚାଳକଦଳରେ ୨୪ ଜଣ ଭାରତୀୟ ଅଛନ୍ତି। ଆକ୍ରମଣ ପରେ ଟ୍ୟାଙ୍କରରୁ ଏମାର୍ଜେନ୍ସୀ ମ୍ୟାସେଜ ପଠାଯାଇଥିବା ବେଳେ ଏହା ସମୁଦ୍ର ସୁରକ୍ଷା ଏଜେନ୍ସୀଙ୍କ ମଧ୍ୟରେ ହଲଚଲ ସୃଷ୍ଟି କରିଛି।

ଘଟଣା ପରେ ଭାରତ ସରକାର ଅଧିକାରୀକ ବୟାନ ଜାରି କରିଛନ୍ତି। କହିଛନ୍ତି ଜାହଜରେ ଥିବା ୨୪ ଭାରତୀୟ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଏହି ସୂଚନାର ପୁଷ୍ଟି ଭାରତ ସରକାରଙ୍କ ଜାହାଜରାଣୀ ଓ ବନ୍ଦର ମନ୍ତ୍ରାଳୟ କରିଛି। ଅଧିକାରୀଙ୍କ ଅନୁସାରେ ପରିସ୍ଥିତି ଉପରେ ଲଗାତାର ନାଜର ରଖା ଯାଇଛି ଓ ଆବଶ୍ୟକତା ପଡିଲେ ତୁରନ୍ତ ସହାୟତା ପହଞ୍ଚାଯିବ। ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରାଳୟ ନିର୍ଦ୍ଦେଶକ ଓପେସ କୁମାର ଶର୍ମା ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଅଧିକାରୀମାନଙ୍କୁ ମଧ୍ୟାହ୍ନ ପ୍ରାୟ ସାଢେ ଗୋଟେ ବେଳେ ଏହି ସଂକଟର ସୂଚନା ମିଳିଥିଲା।

ସୂଚନା ମିଳିବାମାତ୍ରେ ସମ୍ବଦ୍ଧିତ ଏଜେନ୍ସୀଙ୍କୁ ସତର୍କ କରିଦିଆଯାଇଛି। ଭାରତ ସରକାର ପରିସ୍ଥିତିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସରକାରଙ୍କ ଅନୁସାରେ ଭାରତୀୟ ନୌସେନା ସହିତ ସମନ୍ୱୟ ରଖି ଉଦ୍ଧାର ଓ ସହାୟତା କାର୍ଯ୍ୟ ଆରମ୍ଭ ହୋଇଛି। ଜାହାଜରେ ଥିବା ସବୁ ଭାରତୀୟଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ ତା ଉପରେ ଅଧିକାରୀ ଗୁରୁତ୍ୱ ଦେଉଛନ୍ତି। ଏହା ଛଡା ସମୁଦ୍ର କ୍ଷେତ୍ରରେ ମହଜୁଦ ଏଜେନ୍ସୀଙ୍କୁ ସତର୍କ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଏହି ଘଟଣାର ପରେ କେବଳ ଜାହାଜରାଣୀ ମନ୍ତ୍ରାଳୟ ନୁହେଁ ବରଂ ବିଦେଶ ମନ୍ତ୍ରାଳୟ ଓ ପ୍ରତିରକ୍ଷା ମନ୍ତ୍ରୀଳୟ ମଧ୍ୟ ସକ୍ରିୟ ହୋଇଛି। ଭାରତ ସରକାରଙ୍କ ବିଭିନ୍ନ ବିଭାଗ ମିଳିତ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଓମାନରେ ଥିବା ଭାରତୀୟ ଦୂତାବାସ ମଧ୍ୟ ସ୍ଥାନୀୟ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନା କରିଛନ୍ତି ଓ ପରିସ୍ଥିତି ଉପରେ ଲଗତାର ନଜର ରଖା ଯାଇଛି। ଜାହାଜରେ ଥିବା ଜନୈକ ଚାଳକଦଳ ସଦସ୍ୟ ରେକର୍ଡ କରାଯାଇଥିବା ବାର୍ତ୍ତା ଅନୁସାରେ ଜାହାଜ ଉପରେ ମିଜାଇଲ ମାଡ଼ କରାଯାଇଛି। ବାର୍ତ୍ତାରେ କୁହାଯାଇଛି ଯେ ଏହି ଆକ୍ରମଣ ପରେ ଜାହାଜରେ ନିଆଁ ଲାଗିଯାଇଛି ଓ ପରିସ୍ଥିତି ଦ୍ରୁତ ବିଗିଡିବାରେ ଲାଗିଛି। ତେବେ ଏହି ଦାବିର ଏ ପର୍ଯ୍ୟନ୍ତ ଅଧିକାରୀକ ପୁଷ୍ଟି ହୋଇ ନାହିଁ। ହେଲେ ଚାଳକ ଦଳ ପରିସ୍ଥିତିକୁ ଅତ୍ୟନ୍ତ ଜଟିଳ ବୋଲି କହିଛନ୍ତି।

ଚାଳକଦଳଙ୍କ ଅନୁସାରେ ଜାହାଜରେ ନିଆଁ ଲାଗିବା ପରେ ଚାଳକ ଦଳ ଲାଇଫବୋଟ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। ହେଲେ ଏଥି ପାଇଁ ସେମାନଙ୍କୁ ବେଶ୍ କଷ୍ଟ କରିବାକୁ ପଡିଛି। ନିଆଁ ଓ ଧୂଆଁ ଯୋଗୁ ଉଦ୍ଧାର ଅଭିଯାନରେ ସମସ୍ୟା ହେଉଛି। ଚାଳକ ଦଳ ଲଗାତାର ସୁରକ୍ଷିତ ଉପାୟରେ ଜାହାଜ ଛାଡିବା ଉଦ୍ୟମରେ ଅଛନ୍ତି। ରେକର୍ଡ କରାଯାଇଥିବା ବାର୍ତ୍ତାରେ ଜାହାଜର ପଶ୍ଚାତ ଭାଗରେ ମିଜାଇଲ ମାଡ଼ ହୋଇଛି ଫଳରେ ରିୟର ସେକ୍ସନ ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ନିଆଁ ଜାହାଜର ଏକ ବିସ୍ତୃତ ଅଞ୍ଚଳକୁ ବ୍ୟାପିଯାଇଥିବା ବେଳେ ଜାହାଜର ସ୍ଥିତି ଅତ୍ୟନ୍ତ ଜଟିଲ ହୋଇପଡିଛି।

ଚାଳକ ଦଳ ସେମାନଙ୍କ ବାର୍ତ୍ତାରେ ଅଧିକାରୀଙ୍କୁ ଅଟୋମେଟିକ୍ ଆଇଡେଣ୍ଟିଫିକେସନ ସିଷ୍ଟମ (ଏଆଇଏସ) ମାଧ୍ୟମରେ ଜାହାଜର ସଠିକ ଲୋକେସନ ଜାଣିବାକୁ ଚେଷ୍ଟା କରନ୍ତୁ ବୋଲି ନିବେଦନ କରିଛନ୍ତି। ସେମାନଙ୍କ କହିବା କଥା ହେଲା ତୁରନ୍ତ ସହାୟତା କରିବା ପାଇଁ ଜାହାଜର ସଠିକ ଲୋକେସନ ଜାଣିବା ନିତ୍ୟାନ୍ତ ଆବଶ୍ୟକ। ଏହି ଆଧାରରେ ରେସ୍କ୍ୟୁ ଟିମ୍ କୁ ଘଟଣାସ୍ଥଳକୁ ପହଞ୍ଚିବାକୁ ସହାୟତା ମିଳିପାରିବ। ଓମାନସ୍ଥିତ ଭାରତୀୟ ଦୂତାବାସ ମଧ୍ୟ ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇଛି। ଦୂତାବାସ ସୋସିଆଲ ମିଡିଆ ମାଧ୍ୟମରେ ଚାଳକଦଳଙ୍କ ସହ ଯୋଗାଯୋଗ ସ୍ଥାପନା କରିବାକୁ ଉଦ୍ୟମ କରିଛି ଓ ସହାୟତା ନିମନ୍ତେ ସମ୍ପର୍କ କରିବା ପାଇଁ ନମ୍ବର ମାଗିଛି।