ନୂଆଦିଲ୍ଲୀ ୦୭।୧୦; ଆପଣ ନିଜ ଚାରିପାଖରେ କେତେ ପରିମାଣର ଦାରିଦ୍ର୍ୟ ଦେଖିଛନ୍ତି? କାହିଁକି ନା ଭୋକ ଯେତେବେଳେ ସୀମା ଟପିଯାଏ, ମଣିଷ କିଛି ବି ଖାଇବାକୁ ବାଧ୍ୟ ହୁଏ। ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଖାଦ୍ୟର ଅଭାବ ଓ ଦାରିଦ୍ର୍ୟ ଏଠାକାର କିଛି ଲୋକଙ୍କୁ ଏମିତି ଖାଦ୍ୟ ଖାଇବାକୁ ବାଧ୍ୟ କରିଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ ହେବେ । ଦୁନିଆର ଏମିତି ଏକ ସ୍ଥାନ ଅଛି, ଯେଉଁଠି ଭୋକ ମେଣ୍ଟାଇବା ପାଇଁ ମଣିଷଙ୍କୁ ଖାଦ୍ୟ ବଦଳରେ ଖାଇବାକୁ ପଡ଼ୁଛି ମାଟିର ରୁଟି। ଏହାର ଉତ୍ତର ହେଉଛି ହାଇତିର ଚିତ୍ର। ଏହି ଦେଶ ହେଉଛି କାରିବିଆନ୍ ସାଗରରେ ଅବସ୍ଥିତ ।

ଯେଉଁଠି ରୁଟି ଅଛି... କିନ୍ତୁ ଅଟାରେ ନୁହେଁ, ମାଟିରେ ତିଆରି! କୁହାଯାଏ ଯେ ସେଠାକାର ଲୋକମାନେ ଚରମ ଦାରିଦ୍ର୍ୟର ସମ୍ମୁଖୀନ ହେଉଛନ୍ତି ଏବଂ ଅଧିକାଂଶ ଲୋକ କୁପୋଷଣ ତଥା ବିଭିନ୍ନ ଗୁରୁତର ରୋଗରେ ପୀଡ଼ିତ ଅଛନ୍ତି। ଦୀର୍ଘଦିନ ଧରି ଦାରିଦ୍ର୍ୟ, ଖାଦ୍ୟାଭାବ ଓ ମହଙ୍ଗା ଦରଦାମର ସମସ୍ୟା ସହ ଲଢ଼ୁଛି ଏହି ଦେଶ। ବିଶେଷକରି ଅତ୍ୟନ୍ତ ଗରିବ ବସ୍ତି ଅଞ୍ଚଳରେ ଖାଦ୍ୟର ଅଭାବ ଅଧିକ ଭୟଙ୍କର। ଭୋକର ଯନ୍ତ୍ରଣା ଏତେ ତୀବ୍ର ଯେ, କିଛି ପରିବାର ପାଇଁ ମାଟିରେ ତିଆରି ଏହି ବିସ୍କୁଟ୍ ହିଁ ପାଲଟିଯାଏ ଖାଦ୍ୟର ବିକଳ୍ପ। ଏହାକୁ ସ୍ଥାନୀୟ ଭାବେ ‘ମଡ୍ କୁକିଜ୍’ ବୋଲି କୁହାଯାଏ। ଏହି ଦେଶରେ ଗହମ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ, ସବୁଠାରୁ ଗରିବ ହାଇତିବାସୀ ଦିନକୁ ଗୋଟିଏ ପ୍ଲେଟ୍ ଭାତ ମଧ୍ୟ କିଣିବାକୁ ସକ୍ଷମ ନୁହନ୍ତି। ତେଣୁ ବାଧ୍ୟ ହୋଇ କିଛି ଲୋକ ଭୋକ ମେଣ୍ଟାଇବା ପାଇଁ ମାଟିରୁ ତିଆରି ଏହି ରୁଟି ଖାଇଥାନ୍ତି ।

ପାହାଡ଼ ଅଞ୍ଚଳରୁ ମାଟି ଆଣି ସେଥିରେ ପାଣି ଓ ଲୁଣ ମିଶାଯାଏ। ମାଟିର ଏହି ମିଶ୍ରଣକୁ ଚକଟି ବିସ୍କୁଟ୍ର ଆକାର ଦିଆଯାଏ । ଘଣ୍ଟା ଘଣ୍ଟା ଧରି ଖରାରେ ଶୁଖାଇବା ପରେ ଏହାକୁ ସେମାନେ ଖାଇଥାନ୍ତି । ହାଇତିର ଅତ୍ୟନ୍ତ ଗରିବ ଅଞ୍ଚଳ ସିଟେ ସୋଲେଲ୍ରେ ଏଭଳି ଦୃଶ୍ୟ ଅଧିକ ଦେଖିବାକୁ ମିଳେ। ଖାଦ୍ୟ କିଣିବାର ସାମର୍ଥ୍ୟ ନଥିବା ଲୋକଙ୍କ ପାଇଁ ଏହା ଭୋକ ସହ ଲଢ଼ିବାର ସଂଘର୍ଷ। ଏହା କେବଳ ମାଟିର ରୁଟିର କାହାଣୀ ନୁହେଁ... ଏହା ହେଉଛି ଭୋକର ଭୟଙ୍କର ଚିତ୍ର।