ବ୍ରହ୍ମପୁର: ନଦୀରେ ପ୍ରବାହିତ ହେଉଥିଲା ବନ୍ୟାଜଳ । ସୁ... ସୁ... ଗର୍ଜନ କରୁଥିଲା ପ୍ରଖର ସ୍ରୋତ । ବାହ୍ୟଜଗତରୁ ବିଚ୍ଛିନ୍ନ କରିଦେଇଛି ଗାଁକୁ । ହେଲେ ଏଭଳି ପ୍ରତିକୂଳ ପରିସ୍ଥିତି ଅଟକାଇ ପାରିନି ଓଡ୍ରାଫ୍ ଟିମ୍‌କୁ । ସାହାସର ସହ ସ୍ରୋତର ସାମ୍ନା କରି ଗାଁରେ ପ୍ରସବ ବେଦନା ଛଟପଟ ହେଉଥିବା ଜଣେ ପ୍ରସୂତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇପାରିଛନ୍ତି ଟିମ୍‌ର ସଦସ୍ୟମାନେ । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ଦୃଶ୍ୟ ଦେଖିବାକୁ ମିଳିଛି ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ବୁରାତାଲ ଗ୍ରାମପଞ୍ଚାୟତର ଜାମୁଗଣ୍ଡା ଗ୍ରାମରେ ।

ମିଳିଥିବା ସୂଚନା ଅନୁସାରେ, ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ବୁରାତାଲ ଗ୍ରାମପଞ୍ଚାୟତର ଜାମୁଗଣ୍ଡା ଗ୍ରାମ ମହେନ୍ଦ୍ରତନୟା ନଦୀର ପ୍ରବଳ ବନ୍ୟାଜଳ ଯୋଗୁ ବିଚ୍ଛିନ୍ନ ହୋଇଯାଇଥିଲା । ଆଉ ଏହି ସମୟରେ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ବେଦନା ହେବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ପହଞ୍ଚାଇବା ଜରୁରୀ ହୋଇପଡ଼ିଥିଲା। କିନ୍ତୁ ନଦୀରେ ପ୍ରଖର ସ୍ରୋତ ସାଜିଥିଲା ବାଧକ । କେମିତି ପ୍ରସୂତିଙ୍କୁ ହସ୍ପିଟାଲ ନିଆଯିବ ସେନେଇ ସମସ୍ତେ ଚିନ୍ତିତ ହୋଇପଡ଼ିଥିଲେ ।

Also Read: ଲଗାଣ ବର୍ଷାରେ ବୁଡିଲା ୪ ପୋଲ, ଲୋକେ ହନ୍ତସନ୍ତ

ହେଲେ ଏହାର ସୂଚନା ପାଇ ଓଡ୍ରାଫ୍ ଦଳ ତତକ୍ଷଣାତ୍ ପହଞ୍ଚି ମହେନ୍ଦ୍ରତନୟା ନଦୀର ପ୍ରଖର ସ୍ରୋତ ମଧ୍ୟରେ ଅତ୍ୟନ୍ତ ସତର୍କତାର ସହ ଗର୍ଭବତୀଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ପାତ୍ରପୁର ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଓଡ୍ରାଫ୍ ଦଳର ଏହି ତ୍ୱରିତ, ସାହସିକ ଓ ମାନବିକ ପଦକ୍ଷେପ ଯୋଗୁ ଜଣେ ମା’ ଓ ତାଙ୍କ ଗର୍ଭସ୍ଥ ଶିଶୁଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ମିଳିପାରିଛି।