ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ୫୭ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଭୋର ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଲୁହା ବୋଝେଇ ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ତିନିଟି ଦୋକାନ ଭିତରକୁ ପଶିଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଟ୍ରକଟି ଖୋର୍ଦ୍ଧା ପଟୁ ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ମାଡ଼ିଯାଇଥିଲା। ଫଳରେ ତିନିଟି ଦୋକାନ ଭାଙ୍ଗିଯିବା ସହ ଦୋକାନ ନିକଟରେ ଥିବା ଦୁଇଟି ବାଇକ ଓ ଗୋଟିଏ କାର ନଷ୍ଟ ହୋଇଛି। ତେବେ ଦୁର୍ଘଟଣା ସମୟରେ ଦୋକାନ ନିକଟରେ ଥିବା ଲୋକମାନେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ କାହାରି ମୃତାହତ ହୋଇଥିବା ସମ୍ପର୍କରେ ଖବର ମିଳିନାହିଁ।

Also Read: ଲଗାଣ ବର୍ଷାରେ ବୁଡିଲା ୪ ପୋଲ, ଲୋକେ ହନ୍ତସନ୍ତ

ଘଟଣାସ୍ଥଳରେ ଖୋର୍ଦ୍ଧା ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକଟି କେଉଁ କାରଣରୁ ଭାରସାମ୍ୟ ହରାଇଥିଲା, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।