ଭୁବନେଶ୍ଵର: ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ। ହେଲେ ଲାଗିରହିଥିବା ଲଗାଣ ବର୍ଷା ଦାଉରୁ ସହଜରେ ତ୍ରାହି ମିଳିବନି । ଦକ୍ଷିଣ ଓଡ଼ିଶା ଏବଂ ଏହାର ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ ସକ୍ରିୟ ଥିବା ଅବପାତ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହିପରି ସ୍ଥିତିରେ ରହିବ । ତେବେ ୧୨ ଘଣ୍ଟା ବିତିବା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ସମାନ ଅଞ୍ଚଳରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାର ପ୍ରଭାବରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ସହ ଝଡ଼ପବନ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

୮ ଜିଲ୍ଲାକୁ ଅରେଞ୍ଜ ଓ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା ଓ ନବରଙ୍ଗପୁର ଭଳି ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଆଲର୍ଟ ଜାରି କରିଛି ।

Also Read: ବଢୁଛି ନଦୀର ଜଳସ୍ତର, ଇନ୍ଦ୍ରାବତୀର ୫ ଗେଟ୍ ଖୋଲା; ବନ୍ୟା ସ୍ଥିତି ନେଇ ଆସିଲା ବଡ଼ ଅପଡେଟ୍

ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

୨୭ ତାରିଖରୁ ସୁଧୁରିବ ପାଗ, ମତ୍ସ୍ୟଜୀବୀଙ୍କୁ ବାରଣ

ଆସନ୍ତା ୨୬ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସହ ୪୦ରୁ ୬୦ କିମି ବେଗରେ ପବନ ବହିବା ନେଇ ୟେଲୋ ଆଲର୍ଟ ରହିଛି । ତେବେ ୨୭ ତାରିଖରୁ ବର୍ଷାର ପରିମାଣ କମିବା ସହ ପାଗରେ ସୁଧାର ଆସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା  ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।  ସମୁଦ୍ର ଅଶାନ୍ତ ରହୁଥିବାରୁ ଏବଂ ଉପକୂଳରେ ପବନର ବେଗ ୬୦ କିମି ପର୍ଯ୍ୟନ୍ତ ହେବାର ଆଶଙ୍କା ଥିବାରୁ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

Also Read: ଭଦ୍ରକରେ ବର୍ଷାର ବିତ୍ପାତ, ବୈତରଣୀ ବିପଦ ସଙ୍କେତ ଉପରେ; ସ୍କୁଲ ଛୁଟି ଘୋଷଣା

ନବରଙ୍ଗପୁରରେ ସର୍ବାଧିକ ୩୯୫ ମିମି ବର୍ଷା

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ, ୩୭ଟି ସ୍ଥାନରେ ଅତି ପ୍ରବଳ ଏବଂ ୬୫ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟିଠାରେ ସର୍ବାଧିକ ୩୯୫ ମିମି ବର୍ଷା ହୋଇଛି । ଚଳିତ ମୌସୁମୀ ଋତୁରେ (ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ) ରାଜ୍ୟରେ ମୋଟ ୧୪୫୫.୧ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା (୧୧୨୫.୭ ମିମି) ତୁଳନାରେ ୨୯ ପ୍ରତିଶତ ଅଧିକ ।