ଭଦ୍ରକ: ଭଦ୍ରକରେ ଲଗାଣ ବର୍ଷା। ଗୁରୁବାର ରାତିରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବିରତ ବର୍ଷା ଜାରି ରହିଛି। ବର୍ଷା ସାଙ୍ଗକୁ ବଢିବାରେ ଲାଗିଛି ବିଭିନ୍ନ ନଦୀର ଜଳସ୍ତର। ବିଶେଷକରି ବୈତରଣୀ ନଦୀର ଜଳସ୍ତର ସତର୍କ ସଙ୍କେତ ଅତିକ୍ରମ କରିଥିବାରୁ ଚିନ୍ତା ବଢିଛି।ଆଖୁଆପଦାଠାରେ ବୈତରଣୀ ନଦୀର ସତର୍କ ସଙ୍କେତ ୧୭.୮୩ ମିଟର ଥିବା ବେଳେ ବିପଦ ସଙ୍କେତ ରହିଛି ୧୮.୩୩ ମିଟର। ହେଲେ ସକାଳ ସୁଦ୍ଧା ନଦୀର ଜଳସ୍ତର ୧୮.୪୦ ମିଟରରେ ପହଞ୍ଚିଛି। ଅର୍ଥାତ୍ ବୈତରଣୀ ବିପଦ ସଙ୍କେତ ମଧ୍ୟ ଅତିକ୍ରମ କରିଛି।

ସେହିପରି ସାଳନ୍ଦୀ ନଦୀର ରାଜଘାଟଠାରେ ବିପଦ ସଙ୍କେତ ୧୭ ଫୁଟ ଥିବା ବେଳେ ବର୍ତ୍ତମାନ ଏହା ୧୫ ଫୁଟରେ ପ୍ରବାହିତ ହେଉଛି। ଭଦ୍ରକରେ ଗୁରୁବାର ମୋଟ ୧୩୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଧାମନଗରରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା ହୋଇଥିବା ବେଳେ ଭଣ୍ଡାରିପୋଖରୀରେ ୧୨୫ ମିଲିମିଟର, ବନ୍ତରେ ୧୦୭ ମିଲିମିଟର, ତିହିଡିରେ ୬୬ ମିଲିମିଟର, ଚାନ୍ଦବାଲିରେ ୫୮ ମିଲିମିଟର ଏବଂ ବାସୁଦେବପୁରରେ ୪୮ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଲଗାଣ ବର୍ଷା ଏବଂ ନଦୀର ଜଳସ୍ତର ବୃଦ୍ଧିକୁ ନଜରରେ ରଖି ଏବେ ସ୍କୁଲଗୁଡ଼ିକର ସୁରକ୍ଷା ନେଇ ମଧ୍ୟ ସତର୍କ ହୋଇଛି ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ BEOଙ୍କୁ ନିଜ ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକର ଜଳବନ୍ଦୀ ଓ ଜଳାବଦ୍ଧତା ସ୍ଥିତି ସହ ପାଣିପାଗର ସ୍ଥିତି ତୁରନ୍ତ ଅନୁଧ୍ୟାନ କରିବାକୁ କୁହାଯାଇଛି। ଅବିରତ ବର୍ଷା ଯୋଗୁଁ ଯେଉଁ ସ୍କୁଲ ପ୍ରଭାବିତ ହୋଇଛି କିମ୍ବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଆଶଙ୍କା ରହିଛି, ସେଠାରେ ଆବଶ୍ୟକତାନୁସାରେ ଶ୍ରେଣୀ ଶିକ୍ଷା ସ୍ଥଗିତ ରଖାଯାଇପାରିବ।

ଏଥିସହ ସମସ୍ତ CRCCଙ୍କୁ ସମ୍ପୃକ୍ତ BEOଙ୍କ ସହ ସମନ୍ୱୟ ରଖି ନିଜ ଅଞ୍ଚଳର ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ଆବଶ୍ୟକ ପଦକ୍ଷେପରେ ସହଯୋଗ କରିବାକୁ ନିର୍ଦ୍ଦେଶ ରହିଛି। ଯେଉଁ ବିଦ୍ୟାଳୟରେ ଶ୍ରେଣୀ ଶିକ୍ଷା ସ୍ଥଗିତ ରଖାଯାଉଛି, ସେହି ସ୍କୁଲଗୁଡ଼ିକର ତାଲିକା ସକାଳ ୧୦ଟା ସୁଦ୍ଧା ପଠାଇବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଲଗାଣ ବର୍ଷାରେ ଭଦ୍ରକରେ ଏବେ ନଦୀର ଜଳସ୍ତର ଉପରମୁହାଁ। ବୈତରଣୀ ବିପଦ ସଙ୍କେତ ଅତିକ୍ରମ କରିଥିବାରୁ ନଦୀକୂଳିଆ ଅଞ୍ଚଳ ଉପରେ ପ୍ରଶାସନର ନଜର ରହିଛି। ଆଗକୁ ବର୍ଷାର ପରିମାଣ ଏବଂ ନଦୀର ଜଳସ୍ତର କିଭଳି ରହୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।