ନୂଆଦିଲ୍ଲୀ: ୨୦୨୬ରେ ବିଶ୍ଵର ବଡ଼ ବଡ଼ କମ୍ପାନି ପୁନଃ ସଂରଚନାରେ ଲାଗି ପଡ଼ିଛନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏହାକୁ ଗତି ଦେଉଥିବାବେଳେ ଖର୍ଚ୍ଚଚାପ ଏବଂ ପରିବର୍ତ୍ତି ବିଜ୍ନେସ ମଡେଇ ଯୋଗୁ ବୃହତ୍ ସଂଖ୍ୟାରେ କର୍ମଚାରୀ ଛଟେଇ ହେଉଛନ୍ତି । ୯ ମାସରେ ବିଶ୍ଵର ବଡ଼ ବଡ଼ କମ୍ପାନିଗୁଡ଼ିକ ଦ୍ୱାରା ୧.୭୬ ଲକ୍ଷ ଛଟେଇ ଘୋଷଣା ହୋଇଛି । ଏଭଳି ସ୍ଥିତିରେ କର୍ମଚାରୀଙ୍କ ପାଇଁ କ୍ୟାରିୟର ବିବିଧତା ଏବଂ ଅନୁକୂଳ ଦକ୍ଷତା ପାଲଟିଛି ଗୁରୁତ୍ୱପୂର୍ଣ୍ଣ ।

କମ୍ପାନିଗୁଡ଼ିକର ପୁନଃସଂରଚନା ଯୋଗୁ ଟେକ୍ନୋଲୋଜି, ଅଟୋ ଶିଳ୍ପ, ବ୍ୟାଙ୍କ, ରିଟେଲ ଏବଂ ମିଡିଆ କମ୍ପାନି ସମେତ ବିଭିନ୍ନ କ୍ଷେତ୍ରରେ କର୍ମଚାରୀ ବଳି ପଡୁଛନ୍ତି । କମ୍ପାନିଗୁଡ଼ିକର ପୁନଃ ସଂରଚନା ମଧ୍ୟରେ ନିଯୁକ୍ତି କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆମାଜନ ଏବଂ ଓରାକଲଠାରୁ ଆରମ୍ଭ କରି ଫକ୍ସୱାଗନ, ମାଇକ୍ରୋସଫ୍ଟ, ମେଟା ଏବଂ ଉବର ଆଦି କମ୍ପାନିରେ ଏ ବର୍ଷ ହଜାର ହଜାର କର୍ମଚାରୀ ଛଟେଇ ହୋଇଛନ୍ତି । ଖର୍ଚ୍ଚକାଟ ଯୋଜନା, ବ୍ୟବସାୟଗୁଡ଼ିକୁ ନେଇ ପୁନଃସମୀକ୍ଷା ଏବଂ ଏଆଇରେ ପ୍ରଚୁର ନିବେଶ ଯୋଗୁ ଛଟେଇ ସଂଖ୍ୟା ବୃଦ୍ଧି ପାଇଛି ।

ଟେକ୍ନୋଲୋଜି କମ୍ପାନିଗୁଡ଼ିକ ସହିତ ବ୍ୟାଙ୍କ, ଖାଉଟି ବ୍ରାଣ୍ଡ, ମିଡିଆ ପ୍ରତିଷ୍ଠାନ, ଅଟୋ ନିର୍ମାତା, ଗେମିଂ କମ୍ପାନି ଏବଂ ରିଟେଲରମାନେ ସେମାନଙ୍କ କାର୍ଯ୍ୟଶକ୍ତିକୁ କାଟଛାଣ୍ଟ କରିଛ ନ୍ତି। କେତେକ କ୍ଷେତ୍ରରେ କମ୍ପାନିଗୁଡ଼ିକ ଏକାଥରକେ ହଜାର ହଜାର ଛଟେଇ ଘୋଷଣା କରିଛନ୍ତି । ଆଉ କିଛି କ୍ଷେତ୍ରରେ ପ୍ରକୃତ ସଂଖ୍ୟା ଘୋଷଣା ହୋଇନାହିଁ ।

ଜାନୁଆରୀରେ ଆମାଳନ ପ୍ରାୟ ୧୬,୦୦୦ ଛଟେଇ ଘୋଷଣା କରିଥିଲା । କମ୍ପାନିରେ ବ୍ୟବସାୟ ମଡେଲରେ ବିଭିନ୍ନ ପ୍ରକାର ପରିବର୍ତ୍ତନର ଏହା ଅଂଶବିଶେଷ ବୋଲି କମ୍ପାନି ପ୍ରକାଶ କରିଥିଲା । ସେହିଭଳି ଆଟଲାସିଅନ୍ ୧୬୦୦ ବା ଏହାର ମୋଟ କାର୍ଯ୍ୟଶକ୍ତିର ୧୦% ଛଟେଇ ଘୋଷଣା କରିଥିଲା । ଏଆଇ ଏବଂ ଏଣ୍ଟରପ୍ରାଇଜ୍ ସେଲ୍ରେ ନିବେଶ ବଢ଼ାଇବା କ୍ଷେତ୍ରରେ ଏହି ପଦକ୍ଷେପ ସହାୟକ ହେବ ବୋଲି କମ୍ପାନି ପ୍ରକାଶ କରିଥିଲା ।

ସେପ୍ଟେମ୍ବରରେ ଉବର ୩,୩୦୦ ନିଯୁକ୍ତି ହ୍ରାସ କରିବ ବୋଲି ଘୋଷଣା କରିଥିଲା । ଉବର ସିଇଓ ଯଦିଓ ଏଆଇ କାରଣ ବୋଲି ସିଧାସଳଖ ଦର୍ଶାଇ ନ ଥିଲେ ପରିଚାଳନାରେ ଉନ୍ନତି ଆଣିବା ଦିଗରେ ଏହି ଛଟେଇ ହେବ ବୋଲି ଘୋଷଣା କରିଥିଲେ ।

ଅଟୋମୋବାଇଲ ନିଯୁକ୍ତି ବି ଚାପରେ ରହିଛି । ଅଟୋନିର୍ମାତା ଫକ୍ସୱାଗନ୍ର ରୂପାନ୍ତରଣ ଯୋଜନା ଅନ୍ତର୍ଗତ ଏହା ବିଶ୍ୱବ୍ୟାପୀ ଆଉ ୫୦,୦୦୦ ନିଯୁକ୍ତି ହ୍ରାସ କରିବ ବୋଲି ଘୋଷଣା କରିଛି । ପୂର୍ବରୁ ହିଁ ଏହାର ୫୦,୦୦୦ ଛଟେଇ କାର୍ଯ୍ୟକ୍ରମ ଚାଲୁ ରହିଛି । ଅନ୍ୟତମ ଫକ୍ସୱାଗନ ଗ୍ରୁପ୍ କମ୍ପାନି ପୋର୍ସେ ଅତିରିକ୍ତ ୫,୦୦୦ ଛଟେଇ କରିବ ବୋଲି ଘୋଷଣା କରିଛି । ଜାଗୁଆର ଲ୍ୟାଣ୍ଡ୍ ରୋଭର ଦୁଇ ବର୍ଷରେ ୪,୦୦୦ ଛଟେଇ କରିବାକୁ ଘୋଷଣା କରିଛି । ଖର୍ଚ୍ଚ କାଟ, ଅତିରିକ୍ତ କ୍ଷମତା, ପରିବର୍ତ୍ତିତ ଗ୍ରାହକ ଚାହିଦା, ଟାରିଫ ଏବଂ ବିଶେଷ କରି ଚୀନ୍ ଇଭି ନିର୍ମାତାମାନଙ୍କଠାରୁ ବର୍ଦ୍ଧିତ ପ୍ରତିଯୋଗିତା ଯୋଗୁ କମ୍ପାନିଗୁଡ଼ିକ ଏହି ଛଟେଇ ଅଭିଯାନ ଆଣିଛନ୍ତି ।

ପୁନଃ ସଂରଚନା ଦିଗରେ ଗେମିଂ ଶିଳ୍ପ ବି ଆଗଉଛି । ଜୁଲାଇରେ ମାଇକ୍ରୋସଫ୍ଟ ୪,୮୦୦ ଛଟେଇ କରିବାକୁ ଘୋଷଣା କରିଥିଲା । ଏହାର ଏକ୍ସବକ୍ସ ବ୍ୟବସାୟରେ ଏହା ବ୍ୟାପକ ସଂରଚନା କରୁଛି । ବିଶ୍ୱ ଛଟେଇ ଲହରରେ ଭାରତ ମଧ୍ୟ ଉବୁଟୁବୁ ହେଉଛି । କମ୍ପାନିଗୁଡ଼ିକ ମଧ୍ୟ ଭାରତ ପାଇଁ ବିଶାଳ ଛଟେଇ ଯୋଜନା ଘୋଷଣା କରିଛନ୍ତି ।