ଭୁବନେଶ୍ଵର: ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି। ଆହୁରି ୬ ଦିନ ଯାଏ ବର୍ଷା ସମ୍ଭାବନା ଥିବା ବେଳେ ବର୍ଷାରେ ଭିଜିବ ବାହୁଡ଼ା ଯାତ୍ରା। ଆହୁରି ୪୮ ଘଣ୍ଟା  ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୫ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।  ଦୁଇ ଦୁଇଟି ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ବର୍ଷା ରହିଛି। ହେଲେ ଏ ଯାଏ ଲଘୁଚାପକୁ ନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖିନାହିଁ ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ ବିଭାଗ। ସେପଟେ ରାଜ୍ୟରେ ଏ ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷାଠାରୁ ୧୩  ପ୍ରତିଶତ ଅଧିକ ବର୍ଷା ରାଜ୍ୟରେ ହୋଇଛି।

୪୮ ଘଣ୍ଟା ପ୍ରବଳ ବର୍ଷା

ଆଞ୍ଚଳିକ ପାଣିପାଗର ସୂଚନା ଅନୁଯାୟୀ, ଟ୍ରପ ପ୍ରଭାବରେ ୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ନୂଆପଡା, ବରଗଡ଼, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ ଏହି ୫ ଜିଲ୍ଲାକୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ନବରଙ୍ଗପୁର, କଳାହାଣ୍ଡି କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଦେଓଗଡ଼, କେନ୍ଦୁଝର,ମୟୁରଭଞ୍ଜ ବାଲେଶ୍ୱର ଏହି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ଓ୍ଵାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ।

ଏସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ସେହିପରି ଯାଜପୁର, କଟକ,ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ଝଟକା  ପବନ ବହିବାକୁ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତାକାଲି କେନ୍ଦୁଝର,ମୟୁରଭଞ୍ଜ, ଝାରସୁଗୁଡା, ସମ୍ବଲପୁର  ଓ ସୁନ୍ଦରଗଡ ଏହି ୫  ଜିଲ୍ଲାରେ ପ୍ରବଳ ବର୍ଷା ସହ କଟକ କେନ୍ଦ୍ରାପଡା ଜଗତସିଂହପୁର ଭଦ୍ରକ ଯାଜପୁର ଓ ବାଲେଶ୍ୱରରେ ବିଜୁଳି ଘଡ଼ଘଡ଼ି ସହ ୩୦ ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ଵାର୍ଣ୍ଣିଙ୍ଗ ଜାରି ହୋଇଛି। ୨୭ ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହ ବର୍ଷା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ।

​​​​​​​ସ୍ଵାଭାବିକଠାରୁ ଅଧିକ ବର୍ଷା

ସେପଟେ ଜୁନ ୧ ରୁ ଏଯାବତ ୪୮୮. ୯ ମିମି ହୋଇଥିବା ବେଳେ ସ୍ୱାଭାବିକ ବର୍ଷାଠାରୁ ୧୩  ପ୍ରତିଶତ ଅଧିକ ବର୍ଷା ରାଜ୍ୟରେ ହୋଇଛି। ଗତ ୨୪ ଘଂଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଗତକାଲି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଅନ୍ୟପଟେ ଗତ ୨୪ ଘଂଟାରେ ୧୩ ଟି ଜିଲ୍ଲାରେ ଅତି ପ୍ରବଳବର୍ଷା ସମ୍ଭାବନା ଥିବା ବେଳେ ପୁରୀ କାକଟପୁର ରେ ସର୍ବାଧିକ ୧୦୮ ମିମି ବର୍ଷା ରେକର୍ଡ କରାଯାଇଛି ।