ଭୁବନେଶ୍ୱର ୧୩।୧୦ : ଦୀର୍ଘ ୮ ବର୍ଷ ପରେ କଲେଜ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସ କମ୍ପୁଛି । ଆସନ୍ତା  ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ। ବିଭିନ୍ନ ସଂଗଠନର ସମର୍ଥିକ ପ୍ରାର୍ଥୀମାନେ ନିଜ ପାଇଁ ଭୋଟ ଭିକ୍ଷାରେ ଲାଗିଛନ୍ତି । ଯାହା ହେଲେ ବି ନିର୍ବାଚନ ଜିତିବାର ଅଛି । ସେଥିଲାଗି ଯାହା ଆବଶ୍ୟକ ରହିଛି ସଂଗଠନର ମୁଖିଆଙ୍କ ପାଖେ କହୁଛନ୍ତି । ମୁଖିଆ ବି କହିଛନ୍ତି ଯାହା ଦରକାର କୌଣସି କଥାରେ ଅବହେଳା ହେବନି ମାତ୍ର କ୍ୟାମ୍ପସ ଜିତାଇ ଦେଖାଓ। ହାତରେ ପ୍ରଚାର ପାଇଁ ମାତ୍ର ୨ ଦିନ। କିଏ କେତେ ସମର୍ଥକଙ୍କୁ ନେଇ କ୍ଲାସରୁମ୍‌ ପ୍ରଚାର କରୁଛି ? କିଏ କେଉଁ ଭୋଜି ଦେଉଛି ? କେତେ ହଷ୍ଟେଲକୁ ନିଜ  ସଂଗଠନ ଆଡ଼କୁ ଟାଣି ଭୋଟ ବ୍ୟାଙ୍କ୍‌କୁ ଅଧିକ  ସୁଦୃଢ଼ କରିବେ ତାକୁ ନେଇ ଅଙ୍କକଷା ଚାଲିଛି। କ୍ୟାମ୍ପସରେ ହଣ୍ଡା ହାଣ୍ଡି ବସୁଛି। ରାତି ଦିନ ଭୋଜି ଚାଲୁଛି । କ୍ୟାମ୍ପସର ଛୋଟ ବଡ଼ ସଂଗଠକଙ୍କୁ ନିଜ ଆଡ଼କୁ ଟାଣିବାକୁ ଲାଗି ଯାଇଛନ୍ତି । ହାତରେ ଆଉ ଗୋଟିଏ ଦିନ।

ସେହିପରି ଆସନ୍ତା ୧୪ ତାରିଖରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ର ବୈଠକ  ଅଛି । ଆଉ ପ୍ରଚାର ପାଇଁ ସୁଯୋଗ ନାହିଁ । ୧୫ରେ  ଭୋଟ। ମାତ୍ର ୨ଦିନ ମଧ୍ୟରେ କିପରି ଭୋଟ ହାତେଇବେ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କ କଷାକଷି । ଉତ୍କଳ ବିଶ୍ୱବିଦ୍ୟାଳୟରେ ସମସ୍ତ ପ୍ରାର୍ଥୀ  କିପରି ୧୪ଟି ହଷ୍ଟେଲରୁ ଅଧିକରୁ ଅଧିକ ଭୋଟ  ହାତେଇବେ ସେଥିଲାଗି ଦିନରାତି ଏକ କରି  ଦେଇଛନ୍ତି। ହଷ୍ଟେଲର ଲିଡରଙ୍କୁ ମନାଇବାରେ  ଲାଗିଛନ୍ତି। ସକାଳେ କ୍ଲାସ୍‌ରୁମ୍‌ ପ୍ରଚାର ପରେ ସଂଧ୍ୟା ହେବା ମାତ୍ରେ ହଷ୍ଟେଲରେ ପହଞ୍ଚି ଯାଉଛନ୍ତି  ପ୍ରାର୍ଥୀ। ସେଠାରେ ପିଲାଙ୍କୁ ଡାକି ପ୍ରଚାର କରୁଛନ୍ତି । ନିଜର ଇସ୍ତାହାରକୁ ପିଲାଙ୍କ ପାଖେ ରଖୁଛନ୍ତି। ସମର୍ଥକମାନେ ସଂଧ୍ୟାରେ ରୋଲ୍‌, ଚାଓମିନ୍‌ ଭଳି  ଫାଷ୍ଟଫୁଡ୍‌ ସହ ରାତିରେ ବିରିୟାନୀ ନହେଲେ ପସନ୍ଦର ଖାଦ୍ୟ ଦିଆଯାଉଛି।

Also Read:-ପାନାମାରେ ପୁଣି ଭୂମିକମ୍ପ : ଭାଙ୍ଗିଲା କୋଠା, ୨୬ ଆହତ

ପୋଷ୍ଟର ରାଜନୀତି ଏସବୁକୁ ବଳି ଗଲାଣି । କ୍ୟାମ୍ପସ ଫାଟକ ଆରମ୍ଭରୁ କ୍ୟାମ୍ପସ ପରିସର ସାରା  ଯେଉଁଠି ଦେଖିବ ମାଳମାଳ ପୋଷ୍ଟର, ବ୍ୟାନରରେ  ଘୋଡ଼ାଇ ହୋଇଗଲାଣି । ପିଲାଙ୍କୁ ଖାଇବାକୁ ଦେବା  ପାଇଁ ଦିନରାତି କ୍ୟାମ୍ପସରେ ହଣ୍ଡା ବସୁଛି । ଛାମୁଆ  ଛାତ୍ର ନେତା ମାନେ କ୍ୟାମ୍ପସ ବାହାରେ ଡେରା  ପକାଇଛନ୍ତି । ବାହାରୁ ଗାଇଡ୍‌ କରୁଛନ୍ତି । ଭିତରରେ  ପୂର୍ବ ଛାତ୍ର ସଭାପତି, ସଂପାଦକ ଓ ନେତୃତ୍ୱ ମାନେ  ପ୍ରାର୍ଥୀଙ୍କୁ ତାଲିମ ପ୍ରଦାନ କରୁଛନ୍ତି ।

Watch Video:-