ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଓଡ଼ିଆ ଉଚ୍ଚାରଣ ସହ ସମନ୍ୱୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନନାମର ଇଂରାଜୀ ବନାନକୁ ବ୍ୟବହାର ପାଇଁ ନିର୍ଦ୍ଦେଶ ହୋଇଛି । ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ ଭାବେ ବ୍ୟବହାର ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ପୁଣି ଥରେ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି ନିଜ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନର ନାମଫଳକ ତଥା ସାଇନ୍‌ବୋର୍ଡରେ ସଂଶୋଧିତ ବନାନର ବ୍ୟାପକ ବ୍ୟବହାର ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  l

ପ୍ରକାଶ ଥାଉ କି, ଗତ ୨୨ ଜୁନ୍‌, ୨୦୨୬ରେ ଓଡ଼ିଶା ସରକାରଙ୍କ ପ୍ରକାଶିତ ଗେଜେଟ୍‌ ବିଜ୍ଞପ୍ତି ଅନୁଯାୟୀ, ସଂଶୋଧିତ ବନାନକୁ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନଗୁଡ଼ିକର ସାଇନ୍‌ବୋର୍ଡରେ ଏକ ମାସ ମଧ୍ୟରେ ଲାଗୁ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା । ସେହିପରି, ବେସରକାରୀ ଓ ଅଣ-ସରକାରୀ ପ୍ରତିଷ୍ଠାନଗୁଡ଼ିକ ପାଇଁ ଛଅ ମାସର ସମୟସୀମା ରଖାଯାଇଛି  l ସରକାରଙ୍କ ଏହି ନିଷ୍ପତ୍ତି ଅନେକ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ଏହା ଅନୁଯାୟୀ Angulକୁ Anugola, Balasoreକୁ Baleshwar, Kendraparaକୁ Kendrapada ଏବଂ Cuttackକୁ KATAKA ଭାବେ ସଂଶୋଧିତ ଇଂରାଜୀ ବନାନରେ ବ୍ୟବହାର କରାଯାଉଛି । ତେବେ, କେତେକ ସରକାରୀ କାର୍ଯ୍ୟାଳୟର ସାଇନ୍‌ବୋର୍ଡରେ ଏପର୍ଯ୍ୟନ୍ତ ପୁରୁଣା ଇଂରାଜୀ ବନାନ ବ୍ୟବହୃତ ହେଉଥିବା ରାଜ୍ୟସରକାରଙ୍କ ନଜରକୁ ଆସିଛି । ଏଥିମଧ୍ୟରେ “Jeypore” ଏବଂ “Soro” ଭଳି ପୁରୁଣା ବନାନ ମଧ୍ୟ ରହିଛି । ଏଗୁଡ଼ିକର ସ୍ଥାନରେ ସରକାରଙ୍କ ଦ୍ୱାରା ଅନୁମୋଦିତ “Jayapur” ଏବଂ “Sora” ବନାନ ବ୍ୟବହାର ସୁନିଶ୍ଚିତ କରିବାକୁ କୁହାଯାଇଛି । ଏ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।