ଭୁବନେଶ୍ୱର: ରାଜ୍ୟରେ ଚଳିତ ୨୦୨୬-୨୭ ଖରିଫ ଋତୁ ପାଇଁ ଧାନ ପଞ୍ଜୀକରଣ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି। ଓଡ଼ିଶାରେ ଏଥର ଚାଷୀମାନେ କରିଥିବା ପଞ୍ଜୀକରଣ ଏକ ସର୍ବକାଳୀନ ରେକର୍ଡ ଭାଙ୍ଗିଥିବା ନେଇ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ମୋଟ ୨୨ ଲକ୍ଷ ୨୮ ହଜାର ଚାଷୀ ସେମାନଙ୍କ ଉତ୍ପାଦିତ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ଏହି ସଂଖ୍ୟା ୧୯ ଲକ୍ଷ ୬୭ ହଜାର ଥିବା ବେଳେ, ଏଥର ୨ ଲକ୍ଷ ୬୧ ହଜାରରୁ ଅଧିକ ନୂଆ ଚାଷୀ ଏହି ପ୍ରକ୍ରିୟାରେ ଯୋଡ଼ି ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଅଦିନିଆ ପ୍ରବଳ ବର୍ଷା ଯୋଗୁଁ ଅଗଷ୍ଟ ୩୧ ସୁଦ୍ଧା ଅନେକ ଚାଷୀ ପଞ୍ଜୀକରଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଞ୍ଜୀକରଣ ଅବଧିକୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ, ଯାହା ଏବେ ସମ୍ପୂର୍ଣ୍ଣ ହୋଇଛି।

Also Read: ୟୁଏଇ ଗଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ବଡ଼ ପୁଞ୍ଜି ନିବେଶ ଉପରେ ଫୋକସ୍

ଏହି ସଫଳତା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ, ଏହି ରେକର୍ଡ ସଂଖ୍ୟକ ପଞ୍ଜୀକରଣ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ଏବଂ ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣକାରୀ ନୀତି ପ୍ରତି ଚାଷୀମାନଙ୍କର ଅଗାଧ ଭରସାକୁ ଦର୍ଶାଉଛି। ଆମ ସରକାରଙ୍କ କୃଷକ କଲ୍ୟାଣକାରୀ ନୀତି ପ୍ରତି ଚାଷୀଙ୍କର ଭରସାର ଏକ ପ୍ରତିଫଳନ କହିଲେ ଅତ୍ୟୁକ୍ତି ହେବ ନାହିଁ।

ସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ଦେବା ସହ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ ଧାନ କ୍ରୟ କରୁଛନ୍ତି। ଏହାସହ ଧାନ ବିକ୍ରିର ୪୮ ଘଣ୍ଟା ଭିତରେ ପ୍ରାପ୍ୟ ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଛି। ପ୍ରତ୍ୟେକ ଯୋଗ୍ୟ ଓ ପଞ୍ଜୀକୃତ ଚାଷୀଙ୍କଠାରୁ ସରକାର ସମ୍ପୂର୍ଣ୍ଣ ଧାନ କ୍ରୟ କରିବେ ବୋଲି ମନ୍ତ୍ରୀ ଚାଷୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି।