ଭୁବନେଶ୍ୱର: ସମୁଦ୍ରରେ ଘନୀଭୂତ ହୋଇଥିବା ଗଭୀର ଅବପାତ ଏବେ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି । ଗୋପାଳପୁରଠାରୁ ପ୍ରାୟ ୧୪୦ କିଲୋମିଟର ଦୂରରେ ରହିଛି ଏହି ଗଭୀର ଅବପାତ । ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ପ୍ରାୟ ୧୧ କିଲୋମିଟର ବେଗରେ ଗତି କରୁଛି । ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ହାଇ ଆଲର୍ଟ ହୋଇଛନ୍ତି ରାଜ୍ୟ ସରକାର। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହାର ସମୀକ୍ଷା କରିଛନ୍ତି।

ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି ଯେ ଆଜି ବିଳମ୍ବିତ ରାତିରୁ ଏହାର ପ୍ରଭାବ ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ଉତ୍ତର ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ପରେ ଓଡ଼ିଶାର ଦକ୍ଷିଣ ଜିଲ୍ଲା ଦେଇ ଏହା ଆଗକୁ ବଢ଼ିବ । ଏବେଠାରୁ ଗଭୀର ଅବପାତର ପ୍ରଭାବ ଦେଖାଦେଲାଣି । କୋରାପୁଟ, ଗଜପତି, ଗଞ୍ଜାମ, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି ଭଳି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି ।

ସିଷ୍ଟମ୍ର ଗତିପଥ ଅନୁସାରେ ଏହା ରାୟଗଡ଼ା ଓ କୋରାପୁଟ ଦେଇ ଆଗକୁ ବଢ଼ିବା ପରେ ଛତିଶଗଡ଼ ମୁହାଁ ହେବାର ସମ୍ଭାବନା ରହିଛି । ବର୍ଷା ସହ ପାହାଡ଼ିଆ ଅଞ୍ଚଳରେ ଲ୍ୟାଣ୍ଡସ୍ଲାଇଡ୍ ବଡ଼ ସମସ୍ୟା ହୋଇପାରେ । ବିଶେଷକରି କୋରାପୁଟ, ରାୟଗଡ଼ା ଓ ଗଜପତି ଭଳି ପାହାଡ଼ିଆ ଜିଲ୍ଲା ଉପରେ ରହିଛି ପ୍ରଶାସନର ନଜର ।

ରାସ୍ତାରେ ମାଟି ଅତଡ଼ା ଖସିବା କିମ୍ବା ଯାତାୟାତ ବାଧାପ୍ରାପ୍ତ ହେଲେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଛି ପ୍ରଶାସନ । ଆବଶ୍ୟକ ସ୍ଥାନରେ ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍ କରାଯିବ। ଗଭୀର ଅବପାତର ମୁକାବିଲା ପାଇଁ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ଦୁଇ ଦିନ ତଳେ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଥିବା ବେଳେ ରାଜସ୍ୱମନ୍ତ୍ରୀ ମଧ୍ୟ ସ୍ଥିତି ସମୀକ୍ଷା କରିଛନ୍ତି ।

ODRAF ଓ NDRF ଟିମ୍କୁ ବିଭିନ୍ନ ଜିଲ୍ଲାରେ ମୁତୟନ କରାଯାଇଛି। ୬ଟି ଜିଲ୍ଲାରେ ୩୩ଟି ODRAF ଟିମ୍ ମୁତୟନ ଥିବା ବେଳେ ଛତ୍ରପୁରରେ ୯ଟି ଅତିରିକ୍ତ ଟିମ୍କୁ ପ୍ରସ୍ତୁତ ରଖାଯାଇଛି । ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଆରମ୍ଭ ହୋଇଛି । ଗଜପତି ଜିଲ୍ଲାରେ ପ୍ରାୟ ୧୫୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଯେଉଁ ଅଞ୍ଚଳରେ ପ୍ରବଳ ବର୍ଷା କିମ୍ବା ଭୂସ୍ଖଳନର ଆଶଙ୍କା ରହିଛି, ସେଠାରୁ ଲୋକଙ୍କୁ ଆବଶ୍ୟକ ପଡ଼ିଲେ ତୁରନ୍ତ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ।

ଅର୍ବାନ୍ ଫ୍ଲଡ୍କୁ ନେଇ ମଧ୍ୟ ପ୍ରଶାସନ ସଜାଗ ରହିଛି । ଆବଶ୍ୟକ ପରିମାଣର ପମ୍ପ ପ୍ରସ୍ତୁତ ରଖାଯାଇଛି । ଯେଉଁଠାରେ ଅଧିକ ପାଣି ଜମିବ, ସେଠାରେ ତୁରନ୍ତ ପମ୍ପ ଲଗାଇ ଜଳ ନିଷ୍କାସନ କରାଯିବ । ଆବଶ୍ୟକ ପଡ଼ିଲେ ଘରୋଇ ପମ୍ପ ମଧ୍ୟ ଭଡ଼ାରେ ନେଇ କାମରେ ଲଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗଭୀର ଅବପାତର ପ୍ରଭାବକୁ ନେଇ ପ୍ରାୟ ୯ଟି ଜିଲ୍ଲା ଉପରେ ବିଶେଷ ନଜର ରହିଛି । ଏହା ସହ ବୌଦ୍ଧ, ସୋନପୁର ଓ ଝାରସୁଗୁଡ଼ା ମଧ୍ୟ ପ୍ରଭାବିତ ହୋଇପାରେ । ତେବେ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ତୁଳନାମୂଳକ ଭାବେ କମ୍ ରହିବାର ସମ୍ଭାବନା ରହିଛି ।

ସ୍ଥିତିର ସିଧାସଳଖ ତଦାରଖ ପାଇଁ ମନ୍ତ୍ରୀମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ରବି ନାୟକ କୋରାପୁଟରେ ରହି ସ୍ଥିତି ତଦାରଖ କରିବେ । ସେହିପରି ଗୋକୁଳାନନ୍ଦ ମଲ୍ଲିକ ଗଜପତିରେ ରହି ପରିସ୍ଥିତିର ତଦାରଖ କରିବେ । ସମ୍ଭାବ୍ୟ ବିପର୍ଯ୍ୟୟକୁ ନଜରରେ ରଖି ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲା ରହିଛି । ଅରେଞ୍ଜ ଓ ରେଡ୍ ଜୋନ୍ରେ ଥିବା ଜିଲ୍ଲାଗୁଡ଼ିକର ପ୍ରଶାସନିକ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି ।

ଏବେ ସମସ୍ତଙ୍କ ନଜର ଆଜି ରାତି ଉପରେ । ଗଭୀର ଅବପାତର ଗତିପଥ ଓ ବର୍ଷାର ପରିମାଣ ଉପରେ ପ୍ରଶାସନ ନଜର ରଖିଛି। ରାତି ସାରା ଫୋନ୍ ଚାଲୁ ରଖିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସୁଥିବା ଜରୁରୀ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ଦକ୍ଷିଣ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ ୨୫ ତାରିଖ ପରେ ପାଗ ଧୀରେ ଧୀରେ ସ୍ୱାଭାବିକ ହେବା ନେଇ ଆଶା ରହିଛି ।